Categories: ଜାତୀୟ

ବଜେଟରେ ତାଲିବାନ ପାଇଁ କାହିଁକି ସହାୟତା, କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଦେଶର ବିକାଶ ପାଇଁ କେନ୍ଦ୍ର ବଜେଟରେ ଆର୍ଥିକ ସହାୟତା ପ୍ରଦାନ ଉପରେ ପ୍ରଶ୍ନ କରିଛନ୍ତି।
ସେ ଟୁଇଟ କରି ଲେଖିଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦିଲ୍ଲୀର ପାଣ୍ଠି କାଟି ଆମ ଦେଶ ତାଲିବାନକୁ ଆର୍ଥିକ ସହାୟତା ଦେବା ଠିକ କି? ଲୋକମାନେ ଏହାକୁ ଦୃଢ଼ ବିରୋଧ କରୁଛନ୍ତି। ବଜେଟରେ ଆଫଗାନିସ୍ତାନ ପାଇଁ କେନ୍ଦ୍ର ସରକାର ୨.୫ କୋଟି ଡଲାର ଅର୍ଥାତ୍‌ ୨୦୦ କୋଟି ଟଙ୍କାର ସହାୟତା ପ୍ୟାକେଜର ଏକ ପ୍ରସ୍ତାବ ଘୋଷଣା କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିକାଶ ପାଇଁ ଆଫଗାନିସ୍ତାନକୁ ଏହି ଟଙ୍କା ଦେବାକୁ ବଜେଟରେ ଘୋଷଣା କରିଥିଲେ। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି। ଗଣମାଧ୍ୟମ ଅନୁଯାୟୀ ଗତ ବଜେଟରେ ମଧ୍ୟ ସହାୟତା ଘୋଷଣା କରାଯାଇଥିଲା।
ତେବେ ତାଲିବାନର ସଦସ୍ୟ ସୁହେଲ ଶାହିନ କହିଛନ୍ତି ଯେ ଆମେ ଭାରତର ଆର୍ଥିକ ସହାୟତାକୁ ପ୍ରଶଂସା କରୁଛୁ। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଏବଂ ବିଶ୍ୱାସ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଆଫଗାନିସ୍ତାନରେ ଭାରତ ଅନେକ ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରୁଛି। ଯଦି ଭାରତ ଏହା ଜାରି ରଖେ ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଗଭୀର ହେବ।

Share