ନୂଆଦିଲ୍ଲୀ,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ୍ ଦାଏର ହୋଇଥିବାବେଳେ ମଙ୍ଗଳବାରଠାରୁ ଏହାର ଶୁଣାଣି ଆରମ୍ଭ ହେବ। ଉକ୍ତ ପିଟିଶନ୍ଗୁଡିକୁ ସୋମବାର ସାମ୍ବିଧାନିକ ପୀଠକୁ ପଠାଇ ଦିଆଯାଇଛି। ଏଥିସହିତ ଉପତ୍ୟକାରେ ନାବାଳକଙ୍କୁ ବେଆଇନ ଭାବେ ଅଟକ ରଖାଯିବା ଓ ଖବରଦାତାମାନଙ୍କୁ ସେଠାକୁ ଛଡା ନଯିବା ଆଦି କଟକଣା ବିରୋଧରେ ଦାଏର ପିଟିଶନଗୁଡିକୁ ମଧ୍ୟ ଉକ୍ତ ୫ ଜଣିଆ ପୀଠକୁ ପଠାଯାଇଛି। ଜଷ୍ଟିସ୍ ଏନ୍.ଭି. ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍ ଏସ.କେ. କୌଲ, ଆର୍. ସୁଭାଷ ରେଡ୍ଡୀ, ବି.ଆର୍. ଗଭାଇ ଏବଂ ସୂର୍ଯ୍ୟ କାନ୍ତ ରହିଛନ୍ତି। ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ୍ ଦାଏର ହୋଇଥିଲା।