ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି କର୍କଟ ଭଳି ମହାବ୍ୟାଧିର କାରଣ ମଧ୍ୟ ହୋଇପାରେ। ବିଶେଷକରି ଦୀପ ଜାଳିବା ପାଇଁ ଯେଉଁ ଘିଅ ଦୋକାନରେ ମିଳିଥାଏ ସେଗୁଡ଼ିକ ଖାଦ୍ୟ ଅନୁପଯୋଗୀ ବୋଲି ମଧ୍ୟ ଲେଖା ହୋଇଥାଏ। କିନ୍ତୁ ଅଜ୍ଞାନବଶତଃ ଲୋକେ ସେହି ଘିଅକୁ ଦେବାଳୟରେ ଅର୍ପଣ କରିବା ପରେ ଗ୍ରହଣ କରିଥାନ୍ତି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଏହି ଘିଅ ପ୍ରସ୍ତୁତକରି ବଜାରକୁ ଛାଡ଼ିଥାନ୍ତି। ସୋରିଷତେଲ ଓ ନାଲିରଙ୍ଗ ବା ଡାଇ ବ୍ୟବହାରକରି ସେମାନେ ଗାଈ ଘିଅ ସଦୃଶ ପଦାର୍ଥ ତିଆରି କରିଥାନ୍ତି। ଏପରି କି ଏଥିରେ କୋଲ୍ଟାର(ଯାହାକି କର୍କଟ ରୋଗର କାରଣ) ମଧ୍ୟ ମିଶିଥାଏ। ଏହି ଘିଅରୁ କିଛି ଏକ ପରୀକ୍ଷାନଳୀରେ ନେଇ ସେଥିରେ ୫ ମି.ଲି. ସଲ୍ଫ୍ୟୁରିକ ଏସିଡ୍ ଜଳ ସହ ମିଶାଇଲେ ଯଦି ଗୋଲାପି ରଙ୍ଗ ଦେଖାଗଲା ତେବେ ଏହା କୋଲ୍ଟାର ମିଶିଥିବାର ପ୍ରମାଣ ଦେଇଥାଏ। ଅତି ସହଜରେ ଏହା ପରୀକ୍ଷାଗାରରେ ମଧ୍ୟ ଦେଖିହେବ। ସେହିପରି ପରୀକ୍ଷା ଦ୍ୱାରା ଗାଈ ଘିଅରେ ବନସ୍ପତି ତୈଳ ମିଶାଯାଉଛି ବୋଲି ମଧ୍ୟ ପ୍ରମାଣିତ ହୋଇଛି। ବନସ୍ପତି ତୈଳକୁ ହାଇଡ୍ରୋଜେନେଶନ ପ୍ରକ୍ରିୟା ମାଧ୍ୟମରେ କଠିନ ଅବସ୍ଥା କରାଯାଇଥାଏ, ଯାହାକୁ ଡାଲ୍ଡା ଘିଅ ବୋଲି କୁହାଯାଏ। ଏହା ଗାଈ ଘିଅ ତୁଳନାରେ ଅତ୍ୟନ୍ତ ଶସ୍ତାରେ ଉପଲବ୍ଧ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଟ୍ରାନ୍ସ୍ଫ୍ୟାଟ୍ ଥିବାରୁ ସ୍ବାସ୍ଥ୍ୟ ପାଇଁ ଅହିତକର। ସାଧାରଣତଃ ପାମୋଲିନ ତେଲରୁ ଡାଲ୍ଟା ବା ବନସ୍ପତି ଘିଅ ପ୍ରସ୍ତୁତ ହୋଇଥାଏ। ପରିବେଶବିତ୍ମାନେ ମଧ୍ୟ ଅଧିକ ପାମୋଲିନ ତୈଳ ବ୍ୟବହାରକୁ ସତର୍କ କରାଇଥାନ୍ତି। ଏହା ଅପରପକ୍ଷେ ଜଙ୍ଗଲକ୍ଷୟ ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଥାଏ। ଉକ୍ତ ରକ୍ତଚାପଜନିତ ରୋଗ ଥିବା ବ୍ୟକ୍ତିବିଶେଷମାନେ ଦେଶୀ ବା ଗାଈ ଘିଅ ଓ ଡାଲ୍ଡା ବା ବାନସ୍ପତି ଘିଅଠାରୁ ଦୂରେଇ ରହିବା ଉଚିତ। କେତେଜଣଙ୍କ ମତରେ ଗାଈ ଘିଅ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ତେବେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଗୋଟିଏ ଦିନରେ ୫ରୁ ୧୦ ଗ୍ରାମ ଦେଶୀ ବା ଗାଈ ଘିଅ ନେବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ମେଦବହୁଳ ବ୍ୟକ୍ତିବିଶେଷ ଏଥିରୁ ଦୂରେଇ ରହିଲେ ଭଲ। ତେଣୁ ଶୁଦ୍ଧ ଗାଈ ବଦଳରେ ଯଦି ବନସ୍ପତି ବା ଡାଲ୍ଡା ଘିଅ ମିଶ୍ରିତ ଘିଅ ସେବନ କରାଯାଏ ତେବେ ସ୍ବାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇପାରେ। ତେଣୁ ବ୍ୟକ୍ତିବିଶେଷ ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
ଡ. ମାନସ ରଞ୍ଜନ ସେନାପତି
-ଡିନ୍ ବିଜ୍ଞାନ,ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ
ମୋ: ୯୪୩୭୨୩୭୭୯୭