ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରର ଏନ୍ସିପି ନେତା ଅଜିତ୍ ପାଓ୍ବାର ଭାଜପା ସହ ମିଶି ସରକାର ଗଢିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛି ଏନ୍ସିପି। ସୋମବାର ସକାଳେ ଛଗନ ଭୂଜବଳ ତାଙ୍କ ଘରେ ପହଞ୍ଚିଥିବା ସୂଚନା ମିଳିଛି। ଯଦି ଭୂଜବଳଙ୍କ କଥାରେ ଅଜିତ୍ ରାଜି ହୋଇଯାଆନ୍ତି ତେବେ ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଦେଖାଦେବ। ସୂଚନାଯୋଗ୍ୟ, ଶନିବାର ଶିବସେନା, ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଢିବାକୁ ଅଣ୍ଟା ଭିଡୁଥିବା ବେଳେ ରାତାରାତି କିନ୍ତୁ ସବୁ ହୋଇଯାଇଥିଲା ଓଲଟ ପାଲଟ। ଗୋଟିଏ ପଟେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ କଥା ହେଉଥିବା ବେଳେ ଅନ୍ୟପଟେ ଏନ୍ସିପି ନେତା ଅଜିତ ପାଓ୍ବାର ଭାଜପା ସହ ମିଶି ଉପ ମୁଖ୍ୟମନ୍ତ୍ରୀ ଆସନରେ ବସି ପଡିଥିଲେ। ଏବେ ଏହାକୁ ନେଇ ଶିବସେନା, ଏନ୍ସିପି ଓ କଂଗ୍ରେସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୋମବାର କୋର୍ଟ ଏହା ଉପରେ ରାୟ ଦେବାର ଅଛି। ହେଲେ ତା’ପୂର୍ବରୁ ଏନ୍ସିପି ପୁଣିଥରେ ଅଜିତଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛି।