ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବରର ଗାଡି ଗଡିବା ଆରମ୍ଭ କରିଛି। ସୋମବାର ଇଭିନ୍ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଜରିଓ୍ବାଲ ଏପରି କରିଛନ୍ତି। ତେଣୁ ଏଥିପାଇଁ ସେ ଫାଇନ୍ ଦେବାକୁ ରାଜି ବୋଲି କହିଛନ୍ତି। ଅନ୍ୟପଟେ ଭାଜପା ନେତାଙ୍କ ଏଭଳି ଯୁକ୍ତିକୁ ନେଇ କେଜରିଓ୍ବାଲ କହିଛନ୍ତି ଅଡ୍-ଇଭିନ ନମ୍ବର ସମସ୍ତେ ଗ୍ରହଣ କରୁଥିବା ବେଳେ ଭାଜପା ନେତାଙ୍କର କ’ଣ ଅସୁବିଧା ହେଉଛି ତାହା ବୁଝା ପଡୁନାହିଁ। ଏହାଦ୍ୱାରା ପ୍ରଦୂଷଣର ମାତ୍ରା ଯେ କମିବ ଏହା ବୋଧହୁଏ ସେମାନେ ବୁଝି ପାରୁ ନାହାଁନ୍ତି।
ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ।