ଇନ୍ଦୋର: ବିଶ୍ୱରେ ପ୍ରତି ସେକେଣ୍ଡ୍ରେ ୪୫୦ ସଡ଼କ ଦୁର୍ଘଟଣା ଘଟୁଛି। ଏହାର କାରଣ ଲୋକେ ରାସ୍ତା ସୁରକ୍ଷା ନିୟମ ମାନୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଗଜେନ୍ଦ୍ର ଶର୍ମା ନାମକ ଜଣେ ଛାତ୍ର ଅଣ୍ଡା ଖୋଳପାରେ ପେଣ୍ଟିଂ ଜରିଆରେ ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି। ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ସେ ଏହି ପେଣ୍ଟିଂ କରିଛନ୍ତି। ପେଣ୍ଟିଂଟି ସ୍କେଚ୍ରେ ହୋଇଥିବା ବେଳେ ଏହା ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଖରାପ ହେବ ନାହିଁ। ଧଳା ଖୋଳପା ଉପରେ କଳାରଙ୍ଗର ପେଣ୍ଟିଂ ବେଶ୍ ଆକର୍ଷଣୀୟ ହୋଇଛି।
ଗଜେନ୍ଦ୍ର ୫ ବର୍ଷରୁ ଅଧିକ ହେବ ବିଭିନ୍ନ ଥିମ୍ ପେଣ୍ଟିଂ କରୁଛନ୍ତି। ଏହା ପୂର୍ବରୁ ନଡ଼ିଆ ଖୋଳ ଉପରେ ବିଶ୍ୱର ପେଣ୍ଟିଂ କରିଥିଲେ। ଏଥିପାଇଁ ତାଙ୍କ ନାମ ଲିମ୍କା ବୁକ୍ରେ ସ୍ଥାନ ପାଇଥିବା ବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଗଜେନ୍ଦ୍ର ୫ରୁ ଅଧିକ ଥିମ୍ ପେଣ୍ଟିଂ କରିସାରିଛନ୍ତି। ଲୋକମାନଙ୍କୁ ସଚେତନ କରାଇବା ତାଙ୍କର ମୂଳ ଲକ୍ଷ୍ୟ ବୋଲି କୁହନ୍ତି। ଏହି ଥିମ୍ ପେଣ୍ଟିଂରେ ଜେବ୍ରା କ୍ରସିଂ, ନୋ ପାର୍କିଂ, ରାଉଣ୍ଡ ରୋଡ୍, ନୋ ଟ୍ରାଫିକ୍, ଟ୍ରାଫିକ୍ ସିଗ୍ନାଲ ରହିଛି। ସେ କୁହନ୍ତି, ଯେଉଁ ଜିନିଷ ଉପରେ ଲୋକେ ପେଣ୍ଟିଂ କରିବାକୁ କେବେ ଭାବି ନ ଥିବେ ସେ ସେପରି ଜିନିଷରେ ପେଣ୍ଟିଂ କରୁଛନ୍ତି। ଏହା ଦ୍ୱାରା ତାଙ୍କୁ ବହୁତ ଖୁସି ମିଳୁଛି।