ଅନୁଗୋଳ ଅଫିସ, ୨୩।୪ଅନୁଗୋଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ସକାଳେ ଚିକ୍ଚିକ୍ ଖରା ଥିଲେ ବି ଅପରାହ୍ନରେ ଆକାଶ ହଠାତ୍ ମେଘାଚ୍ଛନ୍ନ ହୋଇଯାଇଥିଲା। ଏହାପରେ ଜୋରଦାର ପବନ ସାଙ୍ଗକୁ ୧ ଘଣ୍ଟା ଧରି ବର୍ଷା ଚାଲିଥିଲା। ଫଳରେ ସହର ଓ ସହର ଉପକଣ୍ଠର ବିଭିନ୍ନ ସ୍ଥାନରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଏଥିଯୋଗୁ ଯାତାୟାତ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସେହିପରି ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ରହିଥିଲା। ତେବେ ବର୍ଷା ଛାଡ଼ିବା ପରେ ରାସ୍ତାରୁ ଗଛ ଡାଳ ସଫା କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।