ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ

ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ସେଠାକାର ପୋଲିସ। ଏହି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଗାଡି ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ ପରେ ପ୍ରମାଣ ଯୋଗାଡରେ ଲାଗି ପଡିଛି ଛତିଶଗଡ଼ ପୋଲିସ। କଳ୍ପନା ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରିବାରେ କେଉଁ ଗାଡ଼ି ବ୍ୟବହାର ହୋଇଥିଲା, ତାହାକୁ ନେଇ ତଦନ୍ତ ଚାଲିଛି। ସୋମବାର ଛତିଶଗଡ଼ ପୋଲିସର ୪ ଜଣିଆ ଟିମ୍‌ ବ୍ରଜରାଜନଗର ଏବଂ ୩ ଜଣିଆ ଟିମ୍‌ ଭୁବନେଶ୍ୱର ଆସି ଖୋଳତାଡ଼ କରୁଛି। ତଦନ୍ତକାରୀ ଟିମ୍‌ ଅନୁପ ସାଏଙ୍କ କକା ପୁଅ ଭାଇ ନୃପଲାଲ ସାଏ, ପୁତୁରା ସଂଗ୍ରାମ ସାଏ ଓ ମୃତା କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କୁ ପୋଲିସ ନୋଟିସ ଦେଇଛି। ସେମାନେ ମଙ୍ଗଳବାର ଛତିଶଗଡ଼ର ଚକ୍ରଧରନଗର ଥାନାରେ ହାଜିର ହେବା ପାଇଁ କୁହାଯାଇଛି। ତଦନ୍ତକାରୀ ଟିମ୍‌ ସୋମବାର ସକାଳେ ବଡ଼ଯୋବସ୍ଥିତ ଅନୁପଙ୍କ କାକାପୁଅ ଭାଇ ନୃପଲାଲ ସାଏଙ୍କ ଘରକୁ ଯାଇ ନୋଟିସ ଦେଇଥିଲା। ପରେ ବଘରାଚକା ଯାଇ ଅନୁପଙ୍କ ପୁତୁରା ସଂଗ୍ରାମ ସାଏଙ୍କ ଉଦ୍ଦେଶ୍ୟରେ ନୋଟିସ ଦେଇଥିଲା। ସଂଗ୍ରାମଙ୍କୁ ବୋଲେରୋ ଓ ଇନୋଭା ଗାଡି ସହିତ ଚକ୍ରଧରନଗର ଥାନାରେ ମଙ୍ଗଳବାର ହାଜିର ହେବା ପାଇଁ କୁହାଯାଇଛି। ସେଠାରୁ ତଦନ୍ତକାରୀ ଟିମ୍‌ କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କ ବାସଭବନକୁ ଯାଇ ଥାନାରେ ହାଜର ପାଇଁ ନୋଟିସ ଦେଇଥିଲା। ତେବେ ସେ ଏକୁଟିଆ ରହୁଥିବାରୁ ଏତେଦୂର କିପରି ଯିବେ ବୋଲି କହିଥିଲେ। ତେଣୁ ମହିଳା ପୋଲିସ ସହିତ ଚକ୍ରଧରନଗର ଯିବା ପାଇଁ ଛତିଶଗଡ ପୋଲିସ ରୀନାଙ୍କୁ ପରାମର୍ଶ ଦେଇଥିଲା। ନୋଟିସ ଦେବା ପଛରେ ଛତିଶଗଡ ପୋଲିସର କ’ଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ିନାହିଁ।

ବ୍ୟାଙ୍କ୍‌ ଆକାଉଣ୍ଟରୁ ମିଳିପାରେ ଅଧିକ ତଥ୍ୟ
ବ୍ରଜରାଜନଗରକୁ ଆସିଥିବା ୪ଜଣିଆ ଟିମ୍‌ ମଧ୍ୟରୁ ୨ ଜଣ ଅନୁପଙ୍କ ଘରକୁ ଯାଇ ତାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି । ଅନ୍ୟ ୨ଜଣ ଅନୁପଙ୍କ ବ୍ୟାଙ୍କ ଜମା ଓ ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ କରିଛନ୍ତି। ବିଶେଷ କରି ବ୍ରଜରାଜନଗରରେ ଥିବା ଏସ୍‌ବିଆଇ ଆକାଉଣ୍ଟ ଏବଂ ଏମ୍‌ସିଏଲ୍‌ ପରିସରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଛତିଶଗଡ଼ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ହତ୍ୟା ପୂର୍ବରୁ ସେ କେଉଁମାନଙ୍କୁ ଟଙ୍କା ଦେଇଛନ୍ତି ଏବଂ କାହାଠାରୁ ସେ ଟଙ୍କା ଆଣିଛନ୍ତି। ଏପରି କି କଳ୍ପନାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଥିଲା କି ନାହିଁ। ଯଦି ଥିଲା, ତେବେ ତାଙ୍କ ଆକାଉଣ୍ଟକୁ ଅନୁପ କେତେ ଟଙ୍କା ପଠାଇଛନ୍ତି। ଏସବୁ ଦିଗକୁ ନେଇ ତଦନ୍ତ କରାଯାଉଛି।
ସ୍କାନରରେ ବ୍ୟବସାୟିକ ପାର୍ଟନର
ଛତିଶଗଡ଼ ପୋଲିସ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରିବା ପରେ ସିନ୍‌ କ୍ରିଏଟ୍‌ କରିବା ପାଇଁ ହତ୍ୟାସ୍ଥଳକୁ ନେଇଥିଲା। ସେଠାରେ ପୋଲିସକୁ ବର୍ଦ୍ଧନ ଏକ ବିସ୍ଫୋରକ ତଥ୍ୟ ଦେଇଥିଲେ। ତାଙ୍କ କହିବାନୁଯାୟୀ, ବୋଲେରୋରେ ଅନୁପ, କଳ୍ପନା ଏବଂ ତାଙ୍କ ଝିଅ ଥିଲେ। ବର୍ଦ୍ଧନ, ଅନୁପ ଲୁହାରଡ଼ରେ କଳ୍ପନା ଓ ଝିଅ ବବ୍‌ଲିଙ୍କୁ ହତ୍ୟା କରିଥିବା ବେଳେ ନିକଟରେ ଏକ ଇନୋଭା ଗାଡ଼ି ପୂର୍ବରୁ ସେଠାରେ ରହିଥିଲା। ହେଲେ ଏହି ଇନୋଭା ଗାଡିକୁ କିଏ ଚଲାଉଥିଲା ଏବଂ ଏଥିରେ କେଉଁମାନେ ଥିଲେ ସେନେଇ ବର୍ଦ୍ଧନ ପୋଲିସକୁ ଲୁଚାଉଛି। ତେଣୁ ପୋଲିସ ସ୍କାନରରେ ଅନୁପ ବ୍ୟବସାୟିକ ପାର୍ଟନର ରହିଛନ୍ତି। ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।
୨୦୧୪ ନିର୍ବାଚନ ସତ୍ୟପାଠରେ ଅନୁପଙ୍କ ୨ ଗାଡ଼ି
୨୦୧୪ ସାଧାରଣ ନିର୍ବାଚନରେ ଅନୁପ ଦେଇଥିବା ସତ୍ୟପାଠରେ ତାଙ୍କର ଦୁଇଟି ଗାଡ଼ିଥିବା ଦର୍ଶାଇଥିଲେ। ସେଥିରୁ ଗୋଟିଏ ବୋଲେରୋ, ଅନ୍ୟଟି ଇନୋଭା। ଏପରିକି ଗୋଟିଏ ଗାଡ଼ି ଗୁଜରାଟ ନେବା ପାଇଁ ଅନୁପ ସ୍ଥାନୀୟ ଆରଟିଓରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଆରଟିଓଙ୍କ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ୟ ସେ ଗାଡିକୁ ସେଠାକୁ ନେଇ ନ ଥିଲେ।
ସୁନ୍ଦରପଦା ଫ୍ଲାଟ୍‌, ସ୍କୁଲରେ ତଦନ୍ତ
ଏହି ଡବଲ ମର୍ଡର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରକୁ ଛତିଶଗଡ଼ର ଏକ ୩ଜଣିଆ ଟିମ୍‌ ସୋମବାର ଅପରାହ୍ନରେ ଭୁବନେଶ୍ୱରକୁ ଆସିଛନ୍ତି। ଅନୁପ ପୂର୍ବରୁ ରହୁଥିବା ସୁନ୍ଦରପଦାସ୍ଥିତ ଫ୍ଲାଟକୁ ଏହି ଟିମ୍‌ ଯାଇଥିଲେ। ଅନୁପ ଉକ୍ତ ଫ୍ଲାଟକୁ ଜଣଙ୍କୁ ବିକ୍ରି କରି ଦେଇଥିଲେ। ସେ ପୁଣି ଆଉ ଜଣକୁ ବିକ୍ରି କରିଥିଲେ। ତଦନ୍ତକାରୀ ଟିମ୍‌ ଉକ୍ତ ଘରେ ରହୁଥିବା ଲୋକ ଏବଂ ପଡୋଶୀମାନଙ୍କୁ ପଚରାଉଚରା କରିଛି। ଘର କିଣିବା ସମୟରେ ଘରେ ଅନୁପ କିମ୍ବା କଳ୍ପନାଙ୍କର କିଛି ସାମଗ୍ରୀ ରହିଯାଇଥିଲା କି ତାହା ପଚରାଉଚରା କରିଛି। ଏଥିସହ କଳ୍ପନାଙ୍କ ଝିଅ ବବ୍‌ଲି ପଢ଼ୁଥିବା ସ୍କୁଲକୁ ମଧ୍ୟ ଛତିଶଗଡ଼ ପୋଲିସ ଯାଇଥିବା ଜଣାପଡ଼ିଛି। ପୋଲିସ ସ୍କୁଲ ରେକର୍ଡରୁ ଗତ ୫ ବର୍ଷର ତଥ୍ୟ ଖୋଜିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁପଙ୍କ ଭୁବନେଶ୍ୱରରେ ୩ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ଜଣାପଡିଛି। ଉକ୍ତ ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ମଧ୍ୟ ପୋଲିସ ଖୋଳତାଡ଼ କରୁଛି।
ଗିରଫଦାରିକୁ ସହଯୋଗୀଙ୍କ ଖଣ୍ଡନ
ଅନୁପଙ୍କ ସହଯୋଗୀ କୁହାଯାଉଥିବା ରମେଶ ଗେନେରିଓ୍ବାଲଙ୍କୁ ଏହି ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଗିରଫ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଗିରଫଦାରିକୁ ଖଣ୍ଡନ କରିଛନ୍ତି ଗେନେରିଓ୍ବାଲ। ମୁଁ ଘରେ ଅଛି। ମୋତେ ବଦନାମ କରା ନ ଯାଉ ବୋଲି ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି।
ଅନୁପଙ୍କ ଟ୍ରାଭେଲ ସମ୍ପର୍କରେ ହେବ ଖୋଳତାଡ଼
ଅନୁପଙ୍କ ଟ୍ରାଭେଲ ସମ୍ପର୍କରେ ଖୋଳତାଡ଼ କରିବ ଛତିଶଗଡ଼ ପୋଲିସ। ସେ ୬ ବର୍ଷ ଭିତରେ କେଉଁଆଡେ ଯାଇଛନ୍ତି ଏବଂ କାହା କାହା ସହିତ ଯାଇଛନ୍ତି ତାହା ଯାଞ୍ଚ ହେବ ବୋଲି କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ। ଏପରି କି ହତ୍ୟାକାଣ୍ଡ ପରେ ସେ ରାଜ୍ୟ ବାହାରକୁ ଯାଇଛନ୍ତି କି ନାହିଁ ତାହା ଖୋଳତାଡ଼ ହେବ। ବିଶେଷ କରି ଏହି ହତ୍ୟାକାଣ୍ଡରେ ଅନୁପଙ୍କର କେଉଁ ସହଯୋଗୀ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ପୋଲିସ ଏହି ଖୋଳତାଡ଼କୁ ଗୁରୁତ୍ୱ ଦେଉଛି।
ଉଭୟଙ୍କୁ ଏକା ସଙ୍ଗରେ ରିମାଣ୍ଡରେ ଆଣିବ ପୋଲିସ
ଉଭୟ ଅଭିଯୁକ୍ତ ଅନୁପ ଓ ବର୍ଦ୍ଧନଙ୍କ କଥା ବାର୍ତ୍ତାରେ ତାଳମେଳ ନ ଥିବାରୁ ଛତିଶଗଡ଼ ପୋଲିସ ମଙ୍ଗଳବାର ସେମାନଙ୍କୁ ଏକାବେଳେ ରିମାଣ୍ଡରେ ଆଣିବ। ଏନେଇ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିବା କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ। ରିମାଣ୍ଡରେ ଅଣାଯିିବା ପରେ ପ୍ରଥମେ ଅଲଗା ଅଲଗା କରି ପଚରାଉଚରା କରାଯିବ। ଏହାପରେ ଉଭୟଙ୍କୁ ମୁହଁାମୁହିଁ ଜେରା କରାଯିବ।
ବର୍ଦ୍ଧନଙ୍କ ହେବ ନାର୍‌କୋ ଟେଷ୍ଟ
ମା’ଝିଅଙ୍କୁ ଅନୁପ ଓ ବର୍ଦ୍ଧନ ହତ୍ୟା କରିଥିବା ଛତିଶଗଡ଼ ପୋଲିସ ନିକଟରେ ଏକାଧିକ ପ୍ରମାଣ ରହିଛି। ତଥାପି ହତ୍ୟାରେ ବ୍ୟବହୃତ ଲୁହାରଡ ଏବଂ ବୋଲେରୋ ଗାଡି ଜବତ ହୋଇନାହିଁ, ଯାହାକୁ ଖୋଜିବା ପୋଲିସ ପାଇଁ ନିହାତି ଆବଶ୍ୟକ। ବର୍ଦ୍ଧନ ବିଭିନ୍ନ ସମୟରେ ମିଛ କହୁଥିବାରୁ ତାଙ୍କର ନାର୍‌କୋ ଟେଷ୍ଟ କରାଯିବ ବୋଲି କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ। ବର୍ଦ୍ଧନ ରାଜି ନ ହେଲେ ଏହି ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯିବ।
ଉଭୟ ଦେଖାଇବେ ଡେମୋ
କିଭଳି ମା’ଝଅଙ୍କୁ ଲୁହାରଡ଼ରେ ବାଡେଇ ହତ୍ୟା କଲେ ଓ ମୃତଦେହ ଉପରେ ବୋଲେରୋ ଚଢାଇଲେ ତାହାର ଡେମୋ ଦେଖାଇବେ ଅନୁପ ଏବଂ ବର୍ଦ୍ଧନ। ମଙ୍ଗଳବାର ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପରେ ଘଟଣାସ୍ଥଳକୁ ନିଆଯିବ। ସେଠାରେ ସେମାନେ ହତ୍ୟାକାଣ୍ଡର ଡେମୋ ଦେଖାଇବେ। ତାହାର ଭିଡିଓଗ୍ରାଫିକୁ କୋର୍ଟରେ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।
ଅଡୁଆରେ ସମ୍ପର୍କୀୟ
ଏହି ହାଇପ୍ରୋଫାଇଲ ଡବଲ ମର୍ଡର ମାମଲାରେ ଛତିଶଗଡ଼ ପୋଲିସର ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ତଥ୍ୟ ବାହାରିବାରେ ଲାଗିଛି। ଅଭିଯୁକ୍ତ ବର୍ଦ୍ଧନ ରବିବାର ଛତିଶଗଡ଼ ପୋଲିସକୁ ଡେମୋ ଦେଖାଇବାବେଳେ ଇନୋଭା ଗାଡ଼ି ବ୍ୟବହାର କରାଯାଇଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ଇନୋଭା ଗାଡ଼ି ବ୍ୟବହାର ହୋଇଥିବା ଜଣାପଡ଼ିଛି। ତେବେ ସେହି ଇନୋଭାଟି କାହାର ତାହା ଏକ ପ୍ରଶ୍ନ ହୋଇରହିଛି। ଏଭଳିସ୍ଥଳେ ଅନୁପଙ୍କ ନିଜ ମାଲିକାନାରେ ଥିବା କଫି ରଙ୍ଗର ଇନୋଭାଟି ହତ୍ୟାକାଣ୍ଡରେ ବ୍ୟବହାର ହୋଇ ନାହିଁ ତ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। ଅନ୍ୟପକ୍ଷରେ ଅନୁପଙ୍କ ନିକଟ ସମ୍ପର୍କୀୟମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ୪ବର୍ଷ ତଳର ଘଟଣା କାହାର ମନେନାହିଁ । ବହୁ ସମୟରେ ଅନୁପ ତାଙ୍କ ସମ୍ପର୍କୀୟମାନଙ୍କୁ ଗାଡ଼ି ମାଗି ବ୍ୟବହାର କରିଥାନ୍ତି। ଯେଉଁ ସମ୍ପର୍କୀୟମାନଙ୍କ ଇନୋଭା କି ବୋଲେରୋ ଅଛି ସେମାନେ ଛତିଶଗଡ ପୋଲିସର ତଦନ୍ତ ପରିସରକୁ ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri