କଟକ ଅଫିସ,୫ା୧୧: ବାଲିଯାତ୍ରାରେ ବୁଲିଲେ ପାଦ ଥକି ଯାଏ, ମନ କେବେ ଥକେନି। ଯେହେତୁ ମୁଁ ଜଣେ କଟକବାସୀ, ଏଣୁ ପ୍ରତିବର୍ଷ ବାଲିଯାତ୍ରା ଯିବା ଥୟ। ଏବେ ସେ ବଳ ବୟସ ନାହିଁ। ତଥାପି ବାଲିଯାତ୍ରା ବୁଲିବା ମଜା ସେମିତି ହିଁ ସତେଜ ଅଛି। ଦିନ ଥିଲା ଏହି ଯାତ୍ରାର ମଞ୍ଚରେ ଅଭିନୟ କରିଥିଲି। ବର୍ଷ ମନେ ନାହିଁ, ହେଲେ ସେ ଅଭିନୟ ବିଷୟରେ ଟିକିନିକି କଥା ମନେ ଅଛି। ଗୀତିନାଟ୍ୟର ନଁା ଥିଲା କର୍ନ-ଅର୍ଜୁନ। ଏଥିରେ ମୁଁ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲି। ଯାତ୍ରା ବୁଲି ଆସିଥିବା ଲୋକମାନେ ଏହାକୁ ବେଶ୍ ପସନ୍ଦ କରିଥିଲେ। ‘ଅନୁଭୂତିରେ ବାଲିଯାତ୍ରା’ ସ୍ତମ୍ଭରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସହ କିଛି କଥା…
ବାଲିଯାତ୍ରା କଟକିଆଙ୍କ ପାଇଁ ଏକ ମହାନ ପର୍ବ। ମୁଁ ଜଣେ କଟକିଆ ଭାବେ ସବୁବେଳେ ଗର୍ବ ଅନୁଭବ କରେ। ଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଆଗ୍ରହ ଭରି ରହିଥାଏ। ୧୯୬୫ରୁ କେବେ ବି ବାଲିଯାତ୍ରା ବୁଲି ଯିବାକୁ ଭୁଲିଯାଇନି। ସେତେବେଳେ ଆମେ ସବୁ ସାଙ୍ଗ ମିଶି ଡ୍ରାମା କରୁ। ଡ୍ରାମା ସାରି ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କ ମନରେ ଆଗ୍ରହ ବଢିଥାଏ। ଯେତେଦିନ ବାଲିଯାତ୍ରା ଚାଲିଥାଏ ସେତେଦିନ ସାଙ୍ଗମାନଙ୍କ ଭିତରେ ସିଝାଅଣ୍ଡା, ଠୁଙ୍କାପୁରି ସହିତ ତରକାରି ଖାଇବାକୁ ପ୍ରତିଯୋଗିତା ଚାଲେ। ବାଲା ସାହୁ ଦୋକାନରୁ ଠୁଙ୍କାପୁରି ଖାଇବାକୁ ଭିଡ ଜମୁଥିଲା। ପଡିଆରେ ବହୁ ଧୂଳି ଉଡୁଥାଏ, ସେହି ଧୂଳିରେ ବି ମହା ଆନନ୍ଦ ପାଉଥିଲୁ। ସେତେବେଳର ବାଲିଯାତ୍ରା ଆଉ ଏବେକାର ବାଲିଯାତ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏବେ ଏହା ବାଣିଜ୍ୟ ମେଳାର ରୂପ ନେଉଛି। ମୋ ସମୟରେ ଲୋକମାନେ ନିଜ ଦୈନଦିନ ଜୀବନରୁ ସମୟ ବାହାର କରି ଖୁସି ମନାଇବାକୁ ବାଲିଯାତ୍ରା ଆସୁଥିଲେ। ଏବେର ବାଲିଯାତ୍ରା ବ୍ୟବସାୟିକ ଢଙ୍ଗ ଆଡକୁ ଗତି କରୁଛି।