ଚେନ୍ନାଇ, ୨୭ା୪ (ପି.ଟି.)-ଅନ୍ଲାଇନ୍ ଚେସ୍ ଚ୍ୟାରିଟି ଇଭେଣ୍ଟରୁ ୮.୮ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସମେତ ଅନ୍ୟ କେତେଜଣ ଏକ ଅନ୍ଲାଇନ୍ ଚେସ୍ ଚ୍ୟାରିଟି ଇଭେଣ୍ଟରେ ଭାଗ ନେଇଥିଲେ। କୋଭିଡ୍-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଥିବା ଆବର୍ଜନା ଉଠାଳିମାନଙ୍କ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ପାଇଁ ଇଭେଣ୍ଟର ଆୟୋଜନ କରାଯାଇଥିଲା। ‘ଚେସ୍ ଫର୍ ଚ୍ୟାରିଟି’ ଶନିବାର ଚେସ୍ ଡଟ୍ କମ୍ ଜରିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ନମ୍ବର-୧ ଆନନ୍ଦ, ନମ୍ବର-୨, ଭିଦିତ୍ ଗୁଜରାଠୀ, ଗ୍ରାଣ୍ଡମାଷ୍ଟର ନିହାଲ ସରିନ୍, ମହିଳା ଗ୍ରାଣ୍ଡମାଷ୍ଟର ଟାନିଆ ସଚଦେବ ଏବଂ କ୍ରୋଏସିଆର ଆଣ୍ଟୋନିଓଙ୍କୁ ନେଇ ଗଠିତ ଦଳ ବିଶ୍ୱ କଲ୍ୟାଣ ରଥ, ସମୟ ରାଇନା, ଅଭିଷେକ ଉପମନ୍ୟୁ ଏବଂ ଆକାଶ ମେହେଟା ପ୍ରମୁଖ କମେଡିଆନମାନଙ୍କୁ ନେଇ ଗଠିତ ଦଳ ମଧ୍ୟରେ ଗେମ୍ ଅନୁଷ୍ଠିତ ହୋଇଥିଲା। ଚହଲ ହେଉଛନ୍ତି ପୂର୍ବତନ ୧୨ ବର୍ଷରୁ କମ୍ ଜାତୀୟ ଚେସ୍ ଚାମ୍ପିୟନ। ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏପ୍ରିଲ ୫ରେ ଏକ ଅନ୍ଲାଇନ୍ ବ୍ଲିଜ୍ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେହିପରି ଏପ୍ରିଲ ୧୧ରେ ଅନନ୍ଦ ଏକ ଅନ୍ଳାଇନ୍ ଇଭେଣ୍ଟରେ ଭାଗ ନେଇଥିଲେ। ଏଥିରୁ ମିଳିଥିବା ୪.୫ଲକ୍ଷ ଟଙ୍କା ସେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆନନ୍ଦ ଓ ଗୁଜରାଠୀ ସମେତ ଅନ୍ୟମାନଙ୍କୁ ନେଇ ଅନୁଷ୍ଠିତ ଚେସ୍ ଇଭେଣ୍ଟରୁ ୮.୮୬ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇପାରିଛି। ଇଣ୍ଟରନ୍ୟାଶନାଲ ମାଷ୍ଟର ତଥା ଚେସ୍ଡଟ୍ କମ୍ ଇଣ୍ଡିଆନର ନିର୍ଦ୍ଦେଶକ ରାକେଶ କୁଲକର୍ନୀ ଚେସ୍ ଖେଳାଳିମାନଙ୍କ ଏହି ମହାନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।