ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ.)- କରୋନା ଭୂତାଣରୁ ରକ୍ଷା ପାଇଁ ଜିଲାରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ମଙ୍ଗଳବାରଠାରୁ ଜିଲା ଲକ୍ଡାଉନ ଘୋଷଣା କରାଯାଇଛି। ସମସ୍ତେ ଘରେ ରହିବା ଏବଂ ପଦାକୁ ନ ବାହାରିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଏଥିସହ ନିୟମ ଉଲ୍ଲଂଘନ କଲେ ଆବଶ୍ୟକ ସ୍ଥଳରେ ଗିରଫ କରାଯିବ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଏକ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରିଛନ୍ତି। କୌଣସି ଜରୁରୀ କାର୍ଯ୍ୟ ନ ଥାଇ ବାହାରେ ବୁଲୁଥିବା ବାଇକ୍ ଚାଳକଙ୍କ ସମେତ ବ୍ୟକ୍ତି ବିଶେଷଙ୍କ ହାତରେ ଏକ ପ୍ଲାକାର୍ଡ଼ ଧରାଇଛନ୍ତି। ‘ ମୁଁ ଗୋଟେ ସ୍ବାର୍ଥପର, ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲି ଦେଇପାରେ, ଆଉ ଏଥିପାଇଁ ମୁଁ ଅନୁତପ୍ତ ମଧ୍ୟ ନୁହଁ’ ବୋଲି ସେଥିରେ ଉଲ୍ଲେଖ ରହିଛ। ଏହା ଦେଖି କେତେଜଣ ନିଜ ଭୁଲ ଜାଣିପାରି ଘରକୁ ପଳାଉଛନ୍ତି। ପୋଲିସର ପରାମର୍ଶ ମାନୁ ନ ଥିବା ଲୋକଙ୍କୁ ଗିରଫକରାଯାଉଥିବା ଏସ୍ଡିପିଓ ବାରିକ କହିଛନ୍ତି।