ଭୁବନେଶ୍ୱର, ୬।୫(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍ସରେ ଭାରତର ଅଂଶଗ୍ରହଣକୁ ୧୦୦ ବର୍ଷ ପୂରିଛି। ପ୍ରଥମଥରପାଇଁ ଭାରତର ଏକ ଦଳ ୧୯୨୦ ଆଣ୍ଟ୍ବେର୍ପ(ବେଲଜିୟମ) ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା। ଏହି ଅଲିମ୍ପିକ୍ସରେ ଭାରତ ଗୋଟିଏ ହେଲେ ପଦକ ଜିତି ନ ଥିଲେ ହେଁ କ୍ରୀଡ଼ା ମହାକୁମ୍ଭରେ ପଦାର୍ପଣ କରି ଇତିହାସ ରଚିଥିଲା। କରୋନା ଭାଇରସ୍ ସଂକ୍ରମଣ ପ୍ର୍ରଭାବ ଯୋଗୁ ସମଗ୍ର ଭାରତ ଲକ୍ଡାଉନ୍ରେ ଥିବାବେଳେ କେରଳସ୍ଥିତ ମାଲବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗ ପ୍ରଫେସର ବଶିଷ୍ଟ ୧୯୨୦ ଅଲିମ୍ପିକ୍ସରେ ଭାଗନେଇଥିବା ଭାରତୀୟ ଆଥଲେଟ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିମ୍ବଦନ୍ତୀ ଭାରତୀୟ ଆଥଲେଟଙ୍କ ଫଟୋକୁ ନେଇ ସେ ଏକ ବ୍ରୋଚର ପ୍ରସ୍ତୁତ କରିଛନ୍ତି। ଏଥିରେ ପି.ସି. ବାନାର୍ଜୀ, ପି.ଡି. ଚୁଗୁଲା, କେ.ଟି. ନାଭାଲେ, ଏସ.ଭି. ଦତ୍ତାର, ଡି.ଡି. ସିନ୍ଧେ, ଏଚ୍.ଡି. କାଲକାଲି ପ୍ରମୁଖ ସ୍ଥାନ ପାଇଛନ୍ତି। ୧୯୨୦ ଅଲିମ୍ପିକ୍ସରେ ଭାରତର ଅଂଶଗ୍ରହଣ ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାର୍ ଦୋରାବଜି ଟାଟାଙ୍କୁ ମଧ୍ୟ ବଶିଷ୍ଟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।