ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ତାଙ୍କର ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ସରକାର ଏବେ ସାମନା କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାର ସମୟ ଆସିଛି। ଏହି ମାସ ଆରମ୍ଭରେ ପର୍ଯ୍ୟଟନ ସହର ପୁରୀ ଓ ରାଜଧାନୀ ସହର ଭୁବନେଶ୍ୱର ସମେତ ରାଜ୍ୟର ୧୪ଟି ଜିଲା ଭୟଙ୍କର ବାତ୍ୟା ଫନୀ ଦ୍ୱାରା ଧ୍ୱସ୍ତବିଧ୍ୱସ୍ତ ହୋଇଛି। ତେବେ ସରକାରଙ୍କୁ ଧନ୍ୟବାଦ ଦେବା କଥା ଯେ ସେମାନେ ବ୍ୟାପକ ସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରିବା ଯୋଗୁ ଏହି ବାତ୍ୟାରେ ଲୋକଙ୍କ ମୃତ୍ୟୁସଂଖ୍ୟାକୁ ଯଥେଷ୍ଟ କମାଇ ଦିଆଯାଇପାରିଛି। କିନ୍ତୁ ଘରୋଇ ଓ ସରକାରୀ ସମ୍ପତ୍ତି ଓ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ଭୂସଂସ୍ଥାନର ଅଧାଅଧି ତା’ର ସବୁଜିମା ହରାଇଛି। କେବଳ ପୁରୀ ଓ ଭୁବନେଶ୍ୱରରେ ପ୍ରାୟ ୨ ନିୟୁତରୁ ଅଧିକ ଗଛ ଭୂମିସାତ୍ ହୋଇଯାଇଛି। ଯଦି ଏହି କ୍ଷତି ଭରଣା ଲାଗି ବ୍ୟାପକ ବୃକ୍ଷରୋପଣର ପଦକ୍ଷେପ ନିଆ ନ ଯାଏ, ତେବେ ଲୋକମାନେ ଏହାର କୁପ୍ରଭାବ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ।
ରାଜ୍ୟର ଅର୍ଥନୈତିକ ସ୍ବାସ୍ଥ୍ୟ ବାତ୍ୟା ପୂର୍ବରୁ ମଧ୍ୟ ଭଲ ନ ଥିଲା। ରାଜ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣଭାରରେ ବୁଡ଼ି ରହିଛି। ଗରିବ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କ ଲାଗି ଅବିଚାରିତଭାବେ ଅନେକ ମାଗଣା ଯୋଜନା କାର୍ଯ୍ୟକାରୀ କରିବା ଯୋଗୁ ଏହି ବାବଦରେ ସରକାରଙ୍କୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଯାହାଫଳରେ ନୂତନ ପୁଞ୍ଜିଲଗାଣ ଲାଗି ସରକାରଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ଓଡ଼ିଶା ଖଣିଜ ସମ୍ପଦରେ ଧନୀ ଏବଂ ଏହାର ବିଶାଳ ସାମୁଦ୍ରିକ ତଟରେଖା ରହିଛି। ଏହାର ପର୍ଯ୍ୟଟନ ସମ୍ଭାବ୍ୟତା ମଧ୍ୟ ଯଥେଷ୍ଟ ଅଧିକ। ତେବେ ଭିତ୍ତିଭୂମି ଦୃଷ୍ଟିରୁ ଓଡ଼ିଶା ବହୁତ ପଛରେ ଅଛି। ଏକ ସୁବିକଶିତ ଭିତ୍ତିଭୂମି ଅଭାବ ହେତୁ ରାଜ୍ୟ ଏହାର ପ୍ରାକୃତିକ ସମ୍ବଳ ବିନିଯୋଗରେ ବିଫଳ ହୋଇଛି। ଅଥଚ ସରକାର ରାଜ୍ୟର ସୀମିତ ସମ୍ବଳକୁ ଜନମଙ୍ଗଳ ଯୋଜନାଗୁଡ଼ିକରେ ବିନିଯୋଗ କରିବାରେ ଲାଗିଛନ୍ତି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଲୋକଲୋଭାଣିଆ ବା ପପୁଲିଷ୍ଟ। ବର୍ତ୍ତମାନ ରାଜ୍ୟର ଜନସାଧାରଣ ବିଜେଡିକୁ ବହୁମତ ଦେଇ ପୁନଃକ୍ଷମତାସୀନ କରାଇଥିବାରୁ ସରକାର ଏବେ ଯେଉଁଥିରେ ରାଜ୍ୟର ଦୀର୍ଘକାଳୀନ ମଙ୍ଗଳ ହେବ, ତାହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଯେଉଁ ଟଙ୍କା ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ଅନୁଦାନ ଆକାରରେ ଦିଆଯାଉଛି ତାକୁ ବିବାଦ ଘେରକୁ ଆଣିବା ଠିକ୍ ନୁହେଁ। କିନ୍ତୁ ସେହି କାର୍ଯ୍ୟକୁ ଉପଯୁକ୍ତ ଯାଞ୍ଚ ପରିସରକୁ ଆଣି ସେଥିରେ ଯେପରି ସମ୍ପୂର୍ଣ୍ଣ ସ୍ବଚ୍ଛତା ରକ୍ଷା ହୁଏ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ବର୍ତ୍ତମାନ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯେଉଁ ଟଙ୍କା ଦିଆଯାଉଛି ତାହାକୁ ଭିନ୍ନ କାର୍ଯ୍ୟରେ ଲଗାଯାଉଥିବାର ବହୁ ଅଭିଯୋଗ ଆସୁଛି।
କୃଷକ ସମସ୍ୟା ସବୁବେଳେ ସ୍ଥାନୀୟ ଖବରକାଗଜଗୁଡ଼ିକର ପ୍ରମୁଖ ପୃଷ୍ଠାରେ ସ୍ଥାନ ପାଉଛି। ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବାରୁ କୃଷକଙ୍କ ସ୍ବାର୍ଥକୁ ଯେତେ ଗୁରୁତ୍ୱ ଦେଲେ ବି ତାକୁ ମାତ୍ରାଧିକ ବୋଲି କୁହାଯାଇପାରିବ ନାହିଁ। ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୦୦ ଟଙ୍କା ହେଉ ବୋଲି ଦାବି କରୁଛନ୍ତି। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ରାଜ୍ୟ ସରକାର କୃଷକମାନଙ୍କ ସ୍ବାର୍ଥ ଦେଖିବା ଲାଗି କେବଳ କେନ୍ଦ୍ର ଉପରେ ନିର୍ଭର କରି ଚୁପ୍ ହୋଇ ବସିପାରିବେ ନାହିଁ। ସରକାର କୃଷକମାନଙ୍କ ଆୟ ସମର୍ଥନକାରୀ କାଳିଆ ଯୋଜନା ଲାଗୁ କରି ବ୍ୟାପକ ପ୍ରଶଂସାଭାଜନ ହୋଇଥିବା ବେଳେ ଏହାକୁ ଚାଲୁ ରଖିବେ କାରଣ କୃଷକ ଓ ମହିଳା ହେଉଛନ୍ତି ବିଜେଡିର ପାରମ୍ପରିକ ଭୋଟ ବ୍ୟାଙ୍କ। ରାଜ୍ୟର ବ୍ୟାପକ କୃଷିଜମି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଜଳସେଚନ ବ୍ୟବସ୍ଥା ଦୃଷ୍ଟିରୁ ଓଡ଼ିଶା ଅନେକ ପଛରେ ରହିଛି। ସରକାର ଅନେକ ବର୍ଷ ହେଲା ବଡ଼ ବଡ଼ ଦାବି କରି ଆସୁଥିଲେ ମଧ୍ୟ ଜଳସେଚନ ଭିତ୍ତିଭୂମିର ବିକାଶ ଲାଗି ବିଶେଷ କିଛି କରିନାହାନ୍ତି। ସରକାରଙ୍କ କାର୍ଯ୍ୟସୂଚୀର ଅଗ୍ରଭାଗରେ କୃଷି ସଂକ୍ରାନ୍ତ ସଂରଚନାତ୍ମକ ସଂସ୍କାର ରହିବା ଆବଶ୍ୟକ। ତା’ ସହ ସରକାର ପୁଞ୍ଜିନିବେଶ ପରିବେଶକୁ ସୁହାଇଲା ଭଳି ନୀତି ନିର୍ଦ୍ଧାରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ରହିଥିବା ତ୍ରୁଟିବିଚ୍ୟୁତି ଦୂର କରିବା ଉଚିତ। ପୂର୍ବ ପାଳିରେ ସରକାର ରାଜ୍ୟରେ ଆବଶ୍ୟକ ଥିବା କିଛି ଶୀତଳ ଭଣ୍ଡାର ନିର୍ମାଣ କରିବା ଓ ‘ଆଳୁ ମିଶନ’ ପ୍ରଭୃତି କେତେକ ପଦକ୍ଷେପ ନେଇଥିଲେ। କିନ୍ତୁ ସେହିସବୁ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିଲେ। ରାଜ୍ୟର ଉଦ୍ୟାନକୃଷି ସମ୍ଭାବ୍ୟତା ବୃଦ୍ଧି ପାଉଥିବା ବେଳେ ଶୀତଳଭଣ୍ଡାର ନିର୍ମାଣ ଲାଗି ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ମଧ୍ୟ ବିକାଶ ହେବା ଦରକାର।
ସମ୍ବଳ ସୀମିତ ଥିବାରୁ ସବୁ କ୍ଷେତ୍ରର ବିକାଶ କରିବା ସରକାରଙ୍କ ଲାଗି ଏକ ଆହ୍ବାନ। ଏଣୁ ସରକାର ନୀତିଗତ ପରିବର୍ତ୍ତନ କରି ସର୍ବାଧିକ ଗୁଣକ ପ୍ରଭାବଯୁକ୍ତ କ୍ଷେତ୍ରଗୁଡ଼ିକର ବିକାଶ ଲାଗି ଦୃଷ୍ଟିଦେବା ଆବଶ୍ୟକ। ବୃହଦାକାର ସଂରଚନାତ୍ମକ ସଂସ୍କାର ଅର୍ଥନୀତିକୁ ସମୃଦ୍ଧ କରିବାର ସମ୍ଭାବନା ରଖୁଥିବା ବେଳେ ବୃଦ୍ଧିଶୀଳ ନୀତିଗତ ପରିବର୍ତ୍ତନ ଠିକ୍ଭାବରେ ହେଲେ ସେଥିରୁ ଉଲ୍ଲେଖନୀୟ ସୁଫଳ ମିଳିପାରିବ। ଏଣୁ ରାଜ୍ୟ ସରକାର ଲୋକଲୋଭାଣିଆ (ପପୁଲିଷ୍ଟ) ପଦକ୍ଷେପଗୁଡ଼ିକୁ ଛାଡ଼ି ତା’ ବଦଳରେ ସୁଚିନ୍ତିତ ଓ ଦୀର୍ଘକାଳୀନ ନୀତି ଗ୍ରହଣ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା।