ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ପାଲଟିଛି। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ ୟୁନିୟନ ଗଠନ ପାଇଁ ସ୍ବିଜରଲାଣ୍ଡର ବର୍ନରେ ୨୨ଟି ଦେଶ ମିଶି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ପ୍ରଥମ ଏସୀୟ ଦେଶ ଭାବେ ଭାରତ ୟୁନିଭରସାଲ ପୋଷ୍ଟ ୟୁନିୟନର ସଦସ୍ୟ ହୋଇଥିଲା। ଆନନ୍ଦ ମୋହନ ନରୁଲା ନାମକ ଜଣେ ଭାରତୀୟଙ୍କ ପ୍ରସ୍ତାବ କ୍ରମେ ୧୯୬୯ ମସିହାରେ ଟୋକିଓରେ ହୋଇଥିବା ଏକ ସମ୍ମିଳନୀରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ଘୋଷଣା ହୋଇଥିଲା। ବିଶ୍ୱସ୍ତରରେ ଡାକସେବାର ପ୍ରଚାର ଓ ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଅକ୍ଟୋବର ୧, ୧୮୫୪ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। ଦେଶରେ ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ଓ୍ବାରେନ ହେଷ୍ଟିଙ୍ଗ୍ସ କରିଥିଲେ। ୧୭୭୪ରେ କୋଲକାତାରେ ସେ ଜିପିଓ ସ୍ଥାପନା କରିଥିଲେ। ଚେନ୍ନାଇ ଏବଂ ମୁମ୍ବାଇରେ ଜେନେରାଲ ପୋଷ୍ଟ ଅଫିସ୍ ୧୭୮୬ ଏବଂ ୧୭୯୩ରେ ହୋଇଥିଲା। ଏବେ ୧୪୨ଟି ଦେଶରେ ପୋଷ୍ଟା କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗ ପିନକୋର୍ଡ ନମ୍ବର ଆଧାରରେ ଡାକ ବିତରଣ ବ୍ୟବସ୍ଥା କାର୍ଯ୍ୟ କରେ। ପିନ୍କୋଡ୍ ନମ୍ବର ଅଗଷ୍ଟ ୧୫, ୧୯୭୨ରେ ହୋଇଥିଲା।
ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି। ଏହା କେବଳ ଚିଠି ଦେଣନେଣ, ଲଫାପା, ଡାକ ଟିକଟ ବିକ୍ରି କରି ନ ଥାଏ, ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡି ଥାଏ। ଆଗ କାଳରେ ସେବା ଏକ ଜରୁରୀ ସେବା ଥିଲା। ସେବା ମାଧ୍ୟମରେ ସବୁ ପ୍ରକାର ଯୋଗାଯୋଗ କରାଯାଉଥିଲା। ଯୁଗ ଏବଂ ସମୟ ବଦଳିବା ସହ ଡାକଘରର ଆବଶ୍ୟକତା ମଧ୍ୟ ବଢିଚାଲିଛି। ଏଣୁ ଡାକଘରର ଆବଶ୍ୟକତା ଓ ଉପକାରିତା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବାର ଲକ୍ଷ୍ୟ ନେଇ ଡାକ ଦିବସ ପାଳିତ ହେଉଛି।