ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସୋମବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜେ.ପି. ନଡ୍ଡା। ଏହାପରେ ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟାଳୟରେ ତାଙ୍କ ପାଇଁ ସ୍ବାଗତ ସମାରୋହ ଆୟାଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଡ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏହି ଅବସରରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହି ସମୟରେ ନଡ୍ଡା ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି। ଏହି ସମାରୋହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ଶୁଭକାମନା ଜଣାଇଥିଲେ। ନଡ୍ଡାଙ୍କ କାର୍ଯ୍ୟକାଳରେ ଦଳ ଦେଶର ସବୁ କୋଣରେ ଭଲ ପ୍ରଦର୍ଶନ କରୁ ବୋଲି ରାଜନାଥ ସିଂହ କହିଛନ୍ତି। ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଏହି ପଦକୁ ସମ୍ଭାଳିଥିଲେ।