ଆନ୍ଦୋଳନର ଆଚାର ସଂହିତା ଓ ଅରାଜକତା

ଅରୁଣ କୁମାର ପଣ୍ଡା
ଆନ୍ଦୋଳନ, ଧର୍ମଘଟ, ଧାରଣା ଦାୟିତ୍ୱହୀନ ରାଜନୈତିକ ଖେଳ ନୁହେଁ, ବରଂ ଏହା ଜୀବନ୍ତ ଗଣତନ୍ତ୍ରର ପ୍ରାଣଶକ୍ତି। ନିଜର ବିଚାର କିମ୍ବା ଯୁକ୍ତି ସପକ୍ଷରେ ଜନମତ ପ୍ରଭାବିତ କରିବା ସହିତ ଶାସନର ସ୍ବେଚ୍ଛାଚାର ବିରୋଧରେ ଜାଗରଣ ସୃଷ୍ଟି କରିବା ହେଉଛି ଆନ୍ଦୋଳନର ଲକ୍ଷ୍ୟ। ସଚ୍ଚା ଆନ୍ଦୋଳନକାରୀ ସମ୍ବିଧାନ ଓ ବିଧିବ୍ୟବସ୍ଥାର ଗଣ୍ଡି ଭିତରେ ରହି ନ୍ୟାୟପୂର୍ଣ୍ଣ ଭାବେ ଶାସନ ଉପରେ ଚାପ ସୃଷ୍ଟି କରନ୍ତି। ପରନ୍ତୁ ଆନ୍ଦୋଳନ ନାଁରେ ଦେଶର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ହେଲା ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତିକୁ ଭାଙ୍ଗିରୁଜି, ଜାଳିପୋଡି ଯେଭଳି ଭାବରେ ନଷ୍ଟ କରାଯାଉଛି ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଠିକ୍‌ ଏବଂ ନ୍ୟାୟପୂର୍ଣ୍ଣ ଆନ୍ଦୋଳନ ଶାସନ ଓ ସମାଜକୁ ଦିଶା ନିର୍ଦ୍ଦେଶ କରିଥାଏ, କିନ୍ତୁ ଅରାଜକତା ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରଭାବଶୂନ୍ୟ କରିଥାଏ। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଯେଉଁ ହିଂସାତ୍ମକ ଆନ୍ଦୋଳନ ହେଲା ସେଥିରେ କେବଳ ଭାରତୀୟ ରେଳବାଇର ପାଖାପାଖି ୯୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ହିଂସାତ୍ମକ ବିରୋଧ ପ୍ରଦର୍ଶନ ବେଳେ ୨୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ବହୁସଂଖ୍ୟକ ପୋଲିସ ଓ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। କୋଟି କୋଟି ଟଙ୍କା ମୂଲ୍ୟର ସରକାରୀ ଓ ବେସରକାରୀ ଗାଡ଼ିରେ ନିଆଁ ଲଗାଇ ଦିଆଗଲା। ସାଧାରଣ ଲୋକଙ୍କ ଘର ଓ ଦୋକାନକୁ ମଧ୍ୟ ଜଳାଇଦିଆଗଲା।
ସମ୍ବିଧାନର ଅନୁଚ୍ଛେଦ ୫୧-ଏ/ବି’ରେ କୁହାଯାଇଛି ଯେ, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା ଏବଂ ହିଂସାଠାରୁ ଦୂରେଇ ରହିବା ଆମର ସାମ୍ବିଧାନିକ କର୍ତ୍ତବ୍ୟ। ସ୍ବାଧୀନତା ଆନ୍ଦୋଳନ ସମୟରେ ବିଦେଶୀ ଶାସନ କବଳରୁ ମୁକ୍ତି ପାଇଁ ହୋଇଥିବା ସଂଗ୍ରାମରେ ଆଦର୍ଶ ଜୀବନମୂଲ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ମର୍ଯ୍ୟାଦାର ଲକ୍ଷ୍ମଣରେଖା ଭିତରେ ହିଁ ଆନ୍ଦୋଳନ ଚାଲିଥିଲା।
ସେହିପରି ୨୦୧୬ ଫେବୃୟାରୀ ମାସରେ ହରିୟାଣାରେ ଜାଠ ଆନ୍ଦୋଳନ ବେଳେ ବ୍ୟାପକ ହିଂସା, ଲୁଟପାଟ ଏବଂ ସରକାରୀ ସମ୍ପତ୍ତିର ବ୍ୟାପକ ଜଳାପୋଡା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସୁପ୍ରିମ୍‌କୋର୍ଟ ଏକ ଜନହିତ ମାମଲାର ଶୁଣାଣି କରି ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ବିରୋଧ ପ୍ରଦର୍ଶନ ନାଁରେ କାହାକୁ ମଧ୍ୟ ସରକାରୀ ସମ୍ପତ୍ତି ନଷ୍ଟ କରିବା ପାଇଁ ଅଧିକାର ଦିଆଯାଇନାହିଁ। କୌଣସି ସଂଗଠନ, କୌଣସି ରାଜନୈତିକ ଦଳ କିମ୍ବା କୌଣସି ବ୍ୟକ୍ତିଙ୍କୁ ଅଧିକାର ଦିଆଯାଇ ନାହିଁ ଯେ ସେମାନେ ରାଷ୍ଟ୍ରର ସମ୍ପତ୍ତିକୁ ନଷ୍ଟ କରିବେ। ବିରୋଧ ପ୍ରଦର୍ଶନର ଏହି ଢଙ୍ଗ ଆଦୌ ଗ୍ରହଣୀୟ ନୁହେଁ। ପୂରା ତନ୍ତ୍ରକୁ ଠପ୍‌ କରିବାର ଅଧିକାର କାହାର ନାହିଁ। ଯେଉଁମାନେ ସରକାରୀ ସମ୍ପତ୍ତି ବା ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରୁଛନ୍ତି ଦଣ୍ଡସ୍ବରୂପ ସେମାନଙ୍କୁ ଏହାର ପୂର୍ଣ୍ଣ କ୍ଷତିପୂରଣ ଦେବାକୁ ହେବ। ସରକାର ଏ ନେଇ ଏକ ଗାଇଡଲାଇନ ଜାରି କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶଥାଉ କି ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ ସମୟରେ ଗୁଜରାଟରେ ଅହମଦାବାଦ, ବଡ଼ୋଦରା, ସୁରତରେ ଆନ୍ଦୋଳନକାରୀମାନେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ। ଶିଳ୍ପ ସଂଗଠନ ଆସୋଚାମ୍‌ର ହିସାବ ଅନୁଯାୟୀ ହରିୟାଣା ଜାଠ ଆନ୍ଦୋଳନ ବେଳେ ପ୍ରାୟ ୩୪ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରାଯାଇଥିଲା। ହରିୟାଣା ରୋଡ୍‌ଓ୍ବେଜର ୩୬ଟି ବସ୍‌ ଏବଂ ରାଜ୍ୟର ୧୮ଟି ଥାନାରେ ନିଆଁ ଲଗାଇ ପୋଡି ଦିଆଯାଇଥିଲା।
ମହାତ୍ମା ଗାନ୍ଧୀ ଏବଂ ଆନ୍ନା ହାଜାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ପଥ ପ୍ରଦର୍ଶନ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ବେଳେ ଚୌରୀଚଉଁରାରେ ବ୍ୟାପକ ହିଂସାକାଣ୍ଡ ହେବାରୁ ଗାନ୍ଧିଜୀ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ। ମ୍ୟାନ୍‌ମାରରେ ଅଙ୍ଗ୍‌ ସାନ୍‌ ସ୍ୟୁକୀ ଏବଂ ଦକ୍ଷିଣ ଆଫ୍ରିକାରେ ନେଲସନ ମାଣ୍ଡେଲା ମଧ୍ୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ। ଏକଥା ମନେରଖିବାକୁ ହେବ ଯେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ।
ସ୍ବାଧୀନତା ଆନ୍ଦୋଳନକୁ ତୀବ୍ର ଓ ଗତିଶୀଳ କରିବା ପାଇଁ ଗାନ୍ଧିଜୀ ସବିନୟ ଅବଜ୍ଞା (ଆଇନ ଅମାନ୍ୟ) ଆନ୍ଦୋଳନ ପାଇଁ ଘୋଷଣା କଲେ ସିନା ଆନ୍ଦୋଳନ ପ୍ରାରମ୍ଭ ପାଇଁ ବିଳମ୍ବ ହେବାରୁ ୧୯୪୦ରେ ତାଙ୍କୁ ଆନ୍ଦୋଳନ କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ କରାଗଲା। କଂଗ୍ରେସର କାର୍ଯ୍ୟକାରୀ ସମିତି ବୈଠକରେ ଏ ନେଇ ଆଲୋଚନା ବେଳେ ଗାନ୍ଧିଜୀ କହିଲେ- ଛୋଟ ହେଲେ ବି ଅନୁଶାସନବଦ୍ଧ କଂଗ୍ରେସକୁ ନେଇ ମୁଁ ବିଶ୍ୱ ସହିତ ଲଢେଇ କରିପାରିବି। ପରନ୍ତୁ ଦେଶ ଏବେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତ ନୁହେଁ। ସବିନୟ ଅବଜ୍ଞା ଆନ୍ଦୋଳନ ଏବେ ଆରମ୍ଭ ହେଲେ ‘ଅବଜ୍ଞା’ ହିଁ ରହିବ ‘ସବିନୟ’ ଲୁପ୍ତ ହୋଇଯିବ। ଗାନ୍ଧିଜୀ ଅହିଂସାକୁ ଯେତିକି ମହତ୍ତ୍ୱ ଦେଉଥିଲେ ସବିନୟକୁ ମଧ୍ୟ ତତୋଽଧିକ ମହତ୍ତ୍ୱ ଦେଉଥିଲେ। ସବିନୟର ଅର୍ଥ ହେଲା ଶାନ୍ତିପୂର୍ଣ୍ଣ। ଏବେ କଂଗ୍ରେସ ଭିତରେ ଅନୁଶାସନହୀନତା ଏବଂ ହିଂସା ଭରି ହୋଇ ରହିଛି। ଏଭଳି ପରିସ୍ଥିତିରେ ସବିନୟ ଆନ୍ଦୋଳନ ପାଇଁ ଆହ୍ବାନ ଦେବା ଆତ୍ମହତ୍ୟା ସହ ସମାନ।
ଆନ୍ଦୋଳନର ପ୍ରଚଣ୍ଡ, ଓଜସ୍ବୀ, ତେଜସ୍ବୀ ନେତା ରାମମନୋହର ଲୋହିଆ ଅନେକ ସାମାଜିକ ଓ ରାଜନୈତିକ ପ୍ରସଙ୍ଗକୁ ନେଇ ଅନେକବାର ଆନ୍ଦୋଳନର ଆହ୍ବାନ ଦେଇଛନ୍ତି, ବ୍ୟକ୍ତିଗତ ସତ୍ୟାଗ୍ରହ ମଧ୍ୟ କରିଛନ୍ତି। ପରନ୍ତୁ କୌଣସି କ୍ଷେତ୍ରରେ ହିଂସାକୁ ପ୍ରୋତ୍ସାହିତ କରିନାହାନ୍ତି। ଆନ୍ଦୋଳନ ହେଉଛି ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ଏକ ମଜଭୁତ ଅସ୍ତ୍ର। ସେହିପରି ଲୋକନାୟକ ଜୟପ୍ରକାଶଙ୍କ ନେତୃତ୍ୱରେ ଏକଚ୍ଛତ୍ରବାଦ ବିରୋଧରେ ଦେଶବ୍ୟାପୀ ଯେଉଁ ଅଭୂତପୂର୍ବ ଜନଜାଗରଣ ଓ ଆନ୍ଦୋଳନ ହେଲା ସେଥିରେ ହିଂସାର ସ୍ଥାନ ନ ଥିଲା। ହଜାର ହଜାର ଆନ୍ଦୋଳନକାରୀଙ୍କ ସମେତ ସହସ୍ରାଧିକ ଆଗଧାଡିର ନେତାଙ୍କୁ ଜେଲରେ ଭର୍ତ୍ତି କରି ଦିଆଗଲା। ଜରୁରୀ ପରିସ୍ଥିତି ଜାରି କରାଯାଇ ଦମନଲୀଳା ଚାଲିବା ସତ୍ତ୍ୱେ ଲୋକେ ବିଶେଷକରି ଯୁବଶକ୍ତି ନିଜ ସଂଯମର ପରିସୀମା ଭିତରେ ହିଁ ରହିଥିଲେ। ସେହିପରି ସାମାଜିକ ଅସମାନତା ବିରୋଧରେ ସଂଗ୍ରାମ କରିଥିବା ସଂବିଧାନ ନିର୍ମାତା ଡ. ଭୀମରାଓ ଆମ୍ବେଦକର ୧୯୪୯, ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ନିଜର ଅନ୍ତିମ ଅଭିଭାଷଣରେ କହିଥିଲେ, ଯଦି ଆମେ ଲୋକତନ୍ତ୍ରକୁ ଯଥାର୍ଥ ରୂପରେ ବଞ୍ଚାଇ ରଖିବା ପାଇଁ ଚାହୁଁଛନ୍ତି ଅସାଂବିଧାନିକ ନୀତି ବା କାର୍ଯ୍ୟରୁ ନିବୃତ୍ତ ରହିବାକୁ ପଡିବ। ଏହିସବୁ ରୀତି ଅନୀତି ପର୍ଯ୍ୟାୟଭୁକ୍ତ। ଏହା ହିଁ ଅରାଜକତା। ପ୍ରତ୍ୟେକ ଆନ୍ଦୋଳନର ଆଚାର ସଂହିତା ରହିଛି। କେନ୍ଦ୍ର ସରକାର ଯଦି ଏକଚ୍ଛତ୍ରବାଦୀ ଆଚରଣ କଲେ ତେବେ ଏହା ବିରୋଧରେ ଆନ୍ଦୋଳନର ଢଙ୍ଗ ଜୟପ୍ରକାଶଜୀଙ୍କ ଢାଞ୍ଚାରେ ହେବା ଆବଶ୍ୟକ। ମନେରଖିବାକୁ ହେବ ଜାତୀୟ ସମ୍ପତ୍ତି ନଷ୍ଟ ଅର୍ଥ ଆମ ନିଜ ସମ୍ପତ୍ତିର ବିନାଶ।
୧୩୪୮/୪-ସି, ସେକ୍ଟର-୬, ସିଡିଏ, କଟକ, ମୋ-୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri