ନୂଆଦିଲ୍ଲୀ,୨୩।୪: ରିଲାଏନ୍ସ ଜିଓରେ ଫେସ୍ବୁକ୍ର ୫.୭ ବିଲିୟନ ଡଲାର ନିବେଶ ଭାରତୀୟ ବଜାର ଲାଗି ଅନେକ ଗୁରୁତ୍ୱ ବହନ କରିବ। ରିଲାଏନ୍ସ ଜିଓ ପ୍ଲାଟ୍ଫର୍ମ ଆଗାମୀ ଦିନରେ ଆମାଜନ ଏବଂ ଫ୍ଲିପ୍କାର୍ଟ ଏବଂ ଗୁଗଲ ପେ ଭଳି କମ୍ପାନୀଙ୍କ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ସହଭାଗିତା ମୁକେଶ ଅମ୍ବାନୀଙ୍କ ଜିଓ ମାର୍ଟକୁ ଅନ୍ଲାଇନ କମର୍ସ କ୍ଷେତ୍ରକୁ ଆଗକୁ ବଢିବାରେ ଆହୁରି ଉତ୍ସାହିତ କରିବ ବୋଲି କୁହାଯାଉଛି। ଏ ଦିଗରେ ଫେସ୍ବୁକ୍ ଏକ ଅଗ୍ରଣୀ ଭୂମିକା ନେବ। କାରଣ ଫେସ୍ବୁକର ଏକ ବୃହତ୍ ୟୁଜର ବେସ୍ ଭାରତରେ ରହିଛି। ଭାରତୀୟ ଇକସର୍ମ ବଜାର ଆଗାମୀ ୮ ବର୍ଷରେ ୨୦୦ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି। ୨୦୧୮ରେ ଏହା ୩୦ ବିଲିୟନ ଡଲାର ରହିଛି। ନୂଆ ନିବେଶ ଦ୍ୱାରା ଜିଓ ଏହାର ଜିଓ ମାର୍ଟକୁ ଆହୁରି ଶକ୍ତିଶାଳୀ କରିବ ବୋଲି କୁହାଯାଉଛି। ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ଲାଗି ଏହା ବିଭିନ୍ନ କୌଶଳ ଅବଲମ୍ବନ କରିବ। ଏହା ବାଦ୍ ଫେସ୍ବୁକ୍ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓର ସହଯୋଗରେ ଏହାର ପେମେଣ୍ଟ ସେବାକୁ ଭାରତୀୟ ବଜାରରେ ଲୋକପ୍ରିୟ କରିବା ଲାଗି ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ଗୁଗଲ ପେ, ପେଟିଏମ୍ ଭଳି କମ୍ପାନୀଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ଫୋରଷ୍ଟର ରିସର୍ଚ୍ଚର ବରିଷ୍ଠ ଫୋରକାଷ୍ଟ ଆନାଲିଷ୍ଟ ସତୀଶ ମୀନା କହିଛନ୍ତି।