କରୋନା ଭାଇରସ୍ ଯୋଗୁ ଭାରତରେ ଲକ୍ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ ନ ପାଇ କେତେକଙ୍କ ମୃତ୍ୟୁ ଘଟିଲାଣି। ଏପରି କି ହଜାର ହଜାର କିଲୋମିଟର ଚାଲିଚାଲି ଶ୍ରମିକ ନିଜ ଗାଁକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକେ ରାସ୍ତାରେ ପଡ଼ି ମରିଥିବାର ଖବର ଶୁଣିବାକୁ ମିଳିଛି। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ଆଉ ୩ ମାସ ଯାଇପାରେ ବୋଲି ଆକଳନ କରାଗଲାଣି। ଅନ୍ୟପଟେ ଏବେକାର କୃଷିକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ମୋଟ ଉପରେ କହିଲେ ଭାରତୀୟ ଅର୍ଥନୀତି ଏକ ବିଷମ ସଙ୍କଟରେ ପଡ଼ିଛି। କରୋନା ଯୋଗୁ ମଣିଷ ମୁଣ୍ଡ ଉପରେ କଳାବାଦଲ ଘୋଟି ଆସିଥିଲେ ମଧ୍ୟ ମାନବ ଜାତି ପାଇଁ ଯେଉଁ ଆଲୋକର ରେଖାଟି ଚିକ୍ମିକ୍ କରୁଛି, ତାହା ସମସ୍ତଙ୍କ ପାଇଁ ଆଶ୍ୱାସନା ଆଣିଦେଇଛି। ଏକ ପ୍ରଦୂଷଣମୁକ୍ତ ବାତାବରଣ ଫେରିଆସିଥିବାରୁ ପକ୍ଷୀମାନେ ଖୁସିରେ ଚାରିଆଡ଼େ ବିଚରଣ କରୁଥିବା ଦେଖିବାକୁ ମିଳୁଛି।
ପ୍ରଦୂଷଣର ମୂଳ କାରଣ ହେଉଛି ଅପର୍ଯ୍ୟାପ୍ତ କଳକାରଖାନା ଗଢ଼ି ଉଠିବା, ଜଙ୍ଗଲ ପଦା କରାଯାଇ ଚାରିଆଡ଼େ କଂକ୍ରିଟ ସୃଷ୍ଟି, ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଗର୍ଭକୁ ନିକ୍ଷେପ, ଗାଡ଼ିମୋଟର ଯାନରୁ ଅପର୍ଯ୍ୟାପ୍ତ ଧୂଆଁ ବାୟୁମଣ୍ଡଳକୁ ଛଡ଼ାଯିବା ସହ ଜଳ ମାନ ହ୍ରାସ ପାଇଯିବା। ଭାରତ ଭଳି ଜନସଂଖ୍ୟାବହୁଳ ରାଷ୍ଟ୍ରରେ ପ୍ରତି ସ୍ତରରେ ଲୋକେ ପ୍ରଦୂଷଣ ବଢ଼ାଇ ଚାଲି ଆସୁଥିଲେ। ଅଳ୍ପ କେତୋଟି ସପ୍ତାହର ଲକ୍ଡାଉନରେ ବାୟୁମଣ୍ଡଳ ନିର୍ମଳ ହେବା ସହ ଜଳ ସ୍ବଚ୍ଛ ପାଲଟିବା ନିଶ୍ଚିତ ଭାବେ କରୋନା ଯୋଗୁ ଘଟିଛି ବୋଲି କୁହାଯାଇପାରେ। ଏବର ଅସ୍ବାଭାବିକ ପରିସ୍ଥିତିରେ ପ୍ରକୃତି ଓ ପରିବେଶ କିଭଳି ନିର୍ମଳ ହୋଇପାରିଛି ତାହା ମଣିଷ ଶିଖିବା ଉଚିତ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥିବା ଲକ୍ଡାଉନ୍କୁ ଯେତେ ସମାଲୋଚନା କଲେ ମଧ୍ୟ ତାହାର ପରିବେଶ ପ୍ରତି ଅବଦାନକୁ ଭୁଲିହେବ ନାହିଁ। ଏହି ସମୟ ଆମକୁ ଶିକ୍ଷା ଦେଇଛି ଯେ ମଣିଷ ଯଦି ଅସ୍ତବ୍ୟସ୍ତ ନ ହୋଇ ସ୍ବଳ୍ପ ଖର୍ଚ୍ଚ କରି ଶାନ୍ତିରେ ରହିବା ଶିଖିପାରିବ, ତେବେ ପରିବେଶ ସମେତ ପଡ଼ୋଶୀକୁ ମଧ୍ୟ ସନ୍ତୁଷ୍ଟ କରିପାରିବ। ମନ୍ଦିର, ମସ୍ଜିଦ୍, ବିଭାଘର ଆଦିଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣି ବନ୍ଦ ହୋଇଯାଇଥିବାରୁ ଶବ୍ଦ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଛି। ବିଶ୍ୱସ୍ତରରେ ଦେଖିଲେ ସବୁ ବଡ଼ ସହରରେ ଜଙ୍ଗଲୀ ପଶୁପକ୍ଷୀ ବୁଲିବାର ଭିଡିଓ ଦେଖିବାକୁ ମିଳୁଛି। ସମ୍ଭବତଃ ସେମାନେ ଖୋଜୁଛନ୍ତି ମଣିଷ ଗଲା କୁଆଡ଼େ। କୌତୂହଳର କଥା ହେଉଛି ସେମାନେ ଏବେ ମୁକ୍ତ, ମଣିଷ ପିଞ୍ଜରା ଭିତରେ। ଅନ୍ୟପଟେ ପୃଥିବୀ ଯେ ଏତେ ଶୀଘ୍ର ନିଜ ଭାରସାମ୍ୟ ଫେରିପାଇବ ବିଶ୍ୱାସ ହେଉ ନ ଥିଲା। ପ୍ରକୃତି ଓ ପରିବେଶ ଉପରେ ମଣିଷର ଅତ୍ୟାଚାର ଅତ୍ୟଧିକ ମାତ୍ରାରେ ପହଞ୍ଚି ଯାଇଥିଲା। ଏହି ଅସ୍ବାଭାବିକ ପରିସ୍ଥିତି ଆଜି ନ ହେଲେ କାଲି ଶେଷ ହେବ। ରାଜନେତାମାନେ ନିଜ ମଉଜ ପାଇଁ ଏହାକୁ ଦୀର୍ଘକାଳ ରଖିବାକୁ ଚେଷ୍ଟା କଲେ ମଧ୍ୟ ଜନସାଧାରଣ ଆଉ କିଛି ସମୟ ପରେ ଲକ୍ଡାଉନ୍କୁ ବିରୋଧ କରିବାକୁ ଆରମ୍ଭ କରିବେ। ପରିସ୍ଥିତି ପୁନର୍ବାର ସ୍ବାଭାବିକ ହେବ ହିଁ ହେବ। ଏବେ ନିଜେ ସୁଧୁରିଯିବାର ସୁଯୋଗ ଆସିଛି। ସେହି ସୁଯୋଗକୁ ସଦୁପଯୋଗ ବା ବଦ୍ ଉପଯୋଗ କରିବା ଆମ ଉପରେ ନିର୍ଭର କରେ।