ଭାରତରେ ପ୍ରତିବର୍ଷ ୨୪ ଫେବୃୟାରୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଦିବସ ପାଳନ କରାଯାଉଛି। ଏହିି ଦିନରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତଥା ଲବଣ ଆଇନ, ୧୯୪୪କୁ ମଧ୍ୟ ସ୍ମରଣ କରାଯାଏ। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବିଭାଗ ଦ୍ୱାରା ଏହି ଦିବସ ପାଳନ କରାଯାଉଛି। ସାରା ଦେଶରେ କେନ୍ଦ୍ରୀୟ ଉତ୍ପାଦଶୁଳ୍କ ଲାଗୁ କରାଇବା ସହ ଏ ସମ୍ବନ୍ଧିତ ଆଇନ ବଳରେ ଉତ୍ପାଦନକାରୀ ବ୍ୟବସାୟରେ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ଏହି ଦିବସ ବିଭାଗୀୟ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିଥାଏ। ଦେଶର ସାମାଜିକ ,ଅର୍ଥନୈତିକ ବିକାଶରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉକ୍ତ ବିଭାଗ ଦେଶରେ ଉତ୍ତମ ସେବା ଯୋଗାଇ ଦେବା ଯୋଗୁ ରାଜସ୍ବରେ ଢ଼େର ସୁଧାର ଆସିଛି। ରାଜସ୍ବ ଆଦାୟ ପୂର୍ବାପେକ୍ଷା ଦୁଇଗୁଣ ହୋଇପାରିଛି। ଏହି ବିଭାଗ ଦ୍ୱାରା ଯେଉଁ ରାଜସ୍ବ ଆଦାୟ ହେଉଛି ତାହା ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ବିନିଯୋଗ କରାଯାଉଛି। ଫଳରେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏହାର ଯଥେଷ୍ଟ ଅବଦାନ ରହିଛି।
ଏହି ଦିବସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ବିଭିନ୍ନ ଉତ୍ପାଦ ଓ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଇନ, ୧୯୪୪ ସର୍ତ୍ତ ଅନୁଯାୟୀ ଶୁଳ୍କ ଆଦାୟ କରିବାର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋକପାତ କରାଯାଏ। ଶୁଳ୍କ ଦେୟ ହାର ସେଣ୍ଟ୍ରାଲ ଏକ୍ସାଇଜ ଟାରିଫ ଆକ୍ଟ, ୧୯୮୫ର ଅନୁସୂଚୀ ୧ଓ ୨ ଦ୍ୱାରା ସ୍ଥିର କରାଯାଏ। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟଗୁଡିକ ଶୁଳ୍କ ଆଦାୟ ପ୍ରକ୍ରିୟା ସଂଚାଳିତ କରିଥାନ୍ତି। ସିବିଆଇସି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରୁଛିି। ଦେଶରେ କେତେ ଟିକସ ଦେବାକୁ ହେବ ଓ ତାହା କିପରି ଆଦାୟ କରାଯିବ ସେ ସଂକ୍ରାନ୍ତରେ ନିୟମ ପ୍ରଣୟନ କରିବା ଓ ତାହାକୁ କାର୍ଯ୍ୟକାରୀ କରିବାରେ ସିବିଆଇସି ପ୍ରମୁଖ ଭୂମିକା ନେଇଥାଏ। ଏଥିପାଇଁ ଦେଶକୁ ୧୦ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ରେ ଥିତ୍ବା ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟରେ ମୁଖ୍ୟ ଜଣେ କମିଶନର ରହିଛନ୍ତିି। ସବୁ ଜୋନରେ ପ୍ରାୟ ୬୧ଟି କମିଶନରେଟ କାର୍ଯ୍ୟ କରୁଛି। ଏହାଦ୍ୱାରା ବିଭିନ୍ନ ଆଇନକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ କେନ୍ଦ୍ରୀୟ ଶୁଳ୍କ ଆଦାୟ ସହଜ ହୋଇପାରିଛି।