Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌ : ହ୍ୟାଟ୍ରିକ୍‌ ବିଜୟ ସହ ଶ୍ରେଷ୍ଠ- ୪ ସ୍ଥାନ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧୧।୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ଆରମ୍ଭ କରିଛି। ଏଠାରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଓଡ଼ିଶା ଶନିବାର ଶକ୍ତିଶାଳୀ ମୁମ୍ବାଇ ଏଫ୍‌ସିକୁ ଭେଟିବ। ମୁମ୍ବାଇକୁ ହରାଇ ଓଡ଼ିଶା କ୍ରମାଗତ ୩ଟି ବିଜୟ ହାସଲ କରିବା ସହ ହ୍ୟାଟ୍ରିକ୍‌ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ବିଜୟୀ ହେବା ସହ ଓଡ଼ିଶା ମୁମ୍ବାଇକୁ ହଟାଇ ଶ୍ରେଷ୍ଠ ୪ ବା ପ୍ଲେ ଅଫ୍‌ରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି।
କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଜାମସେଦପୁରକୁ ୨-୧ ଗୋଲରେ ହରାଇବା ପରେ ଚେନ୍ନାଇନ୍‌କୁ ୨-୦ ଗୋଲରେ ପରାସ୍ତ କରିଥିଲା। ଏହାପୂର୍ବରୁ ଓଡ଼ିଶା ପୁଣେକୁ ତା’ର ହୋମ୍‌ ଗ୍ରାଉଣ୍ଡ ରୂପେ ବ୍ୟବହାର କରିଥିଲା ଓ ଏଠାରେ କେତୋଟି ମ୍ୟାଚ୍‌ ଖେଳିଥିଲା। ହେଡ୍‌ କୋଚ୍‌ ଜୋଶେଫ୍‌ ଗାମ୍ବାଉଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ସମାନ ସଂଖ୍ୟକ ପରାଜୟ ସହ ୩ଟି ମ୍ୟାଚ୍‌ ଡ୍ର ରଖି ମୋଟ୍‌ ୧୫ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି।
ଅପରପକ୍ଷରେ ମୁମ୍ବାଇ ସିଟି ସମାନ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ମୋଟ୍‌ ୧୬ ପଏଣ୍ଟ ପାଇ ଓଡ଼ିଶା ଉପରକୁ ଗୋଟିଏ ସ୍ଥାନ ଉପରେ ରହି ଚତୁର୍ଥ ସ୍ଥାନରେ ରହିଛି। ମୁମ୍ବାଇ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ବିଜୟ ଅବ୍ୟାହତ ରଖିଥିବା ବେଳେ ଗତ ମ୍ୟାଚ୍‌ରେ ଏଟିକେଠାରୁ ପରାସ୍ତ ହୋଇଥିଲା। ଗତ ୭ଟି ମ୍ୟାଚ୍‌ରେ ମୁମ୍ବାଇ ଗୋଟିଏ ମାତ୍ର ମ୍ୟାଚ୍‌ରେ ପରାସ୍ତ ହୋଇ ଟପ୍‌ ଫର୍ମରେ ରହିଛି।
ଗତ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରଦର୍ଶନରେ ସ୍ଥିରତା ଆସିନାହିଁ ଓ ଦଳ ଏପର୍ଯ୍ୟନ୍ତ ଲୟ ହାସଲ କରିପାରିନାହିଁ। ତେବେ ଦଳର ପ୍ରଦର୍ଶନ ମଧ୍ୟ ସେତେ ଖରାପ ହୋଇନାହିଁ। ବେଳେବେଳେ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ କରିଛି। ଓଡ଼ିଶା କେତେ ସମୟରେ ଆକର୍ଷଣୀୟ ଫୁଟବଲ ଖେଳିବାରେ ସକ୍ଷମ ହୋଇଛି। ସ୍ପାନିସ୍‌ ଷ୍ଟ୍ରାଇକର ଆଡ୍ରିଆନ ସାଣ୍ଟାନ ଡବଲ୍‌ ଗୋଲ ବଳରେ ଓଡ଼ିଶା ପୂର୍ବରୁ ମୁମ୍ବାଇକୁ ଆଓ୍ବେ ମ୍ୟାଚ୍‌ ୪-୨ ଗୋଲରେ ପରାସ୍ତ ହୋଇଥିଲା।
ଘରୋଇ ଦର୍ଶକଙ୍କ ସମର୍ଥନ ଉତ୍ସାହିତ କରିବ: ଗୋମ୍ବାଓ
ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ଓ ଏମାନଙ୍କ ସମର୍ଥନ ଓଡ଼ିଶା ଖେଳାଳିଙ୍କୁ ଆହୁରି ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି କୋଚ୍‌ ଗୋମ୍ବାଓ କହିଛନ୍ତି। ଏହି ମ୍ୟାଚ୍‌ ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବିଜୟୀ ହେଲେ ଆମେ ଶ୍ରେଷ୍ଠ ୪ରେ ସ୍ଥାନ ପାଇବୁ । ଏହି ମ୍ୟାଚ୍‌ ଖେଳାଯିବା ପରେ ଲିଗ୍‌ ଦୁଇ ତୃତୀୟାଂଶ ମ୍ୟାଚ୍‌ ଶେଷ ହେବ। ଆମେ କଠିନ ପରିଶ୍ରମ କରୁଛୁ ଓ ବିଜୟୀ ହେବା ପାଇଁ ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି। ଖେଳାଳିମାନେ ସଫଳତା ପାଇଁ ବ୍ୟଗ୍ର ଅଛନ୍ତି। ଆମେ ଭଲ ପ୍ରଦର୍ଶନ କରି ପାରିବୁ ବୋଲି ସେ କହିଛନ୍ତି। ଦୀର୍ଘଦିନ ଧରି ଆମେ ଘରୋଇ ପରିବେଶରେ ଖେଳି ନ ଥିଲୁ। ବାହାରେ ଆମେ ୧୦ଟି ମ୍ୟାଚ୍‌ ଖେଳିବା ପରେ ଭୁବନେଶ୍ୱର ଆସିଥିଲୁ। ଏଠାରେ ଆମକୁ ବହୁତ ସମର୍ଥନ ମିଳିଛି ଓ ଏହା ଚମତ୍କାର।
ଓଡ଼ିଶା ଦଳରେ କ୍ୱାଲିଟି ଖେଳାଳି ରହିଛନ୍ତି: ମାର୍କୋ
ମୁମ୍ବାଇ ଆସିଷ୍ଟାଣ୍ଟ କୋଚ୍‌ ମାର୍କୋ ଲେଇଟ୍‌ ମଧ୍ୟ ଦଳର ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଥିବା କଥା କହିଛନ୍ତି। ପ୍ରତିପକ୍ଷ ଦଳ କଥା ଅଧିକ ଚିନ୍ତା ନ କରି ନିଜ ଖେଳ କିପରି ଭଲ ହେବ ସେ ନେଇ ଫୋକସ କରୁଛୁ। ଶ୍ରେଷ୍ଠ-୪ ରେ ସ୍ଥାନ ବଜାୟ ରଖିବା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ ଓ ଆମେ ବିଜୟ ନେଇ ବେଶ୍‌ ଆଶାବାଦୀ ଅଛୁ ବୋଲି ସେ କହିଛନ୍ତି। ଓଡ଼ିଶା ଏକ ଭଲ ଦଳ। ବହୁତ ସରଳ ଭାବେ ଓଡ଼ିଶା ଖେଳାଳିମାନେ ସାଧାରଣ ଜିନିଷକୁ କାର୍ଯ୍ୟକାରୀ କରୁଛନ୍ତି। ଏହି ଦଳ ପାଖରେ ମ୍ୟାଚ ଓ୍ବିନର ରହିଛନ୍ତି। ଏହି ଦଳରେ ଉଭୟ ଭଲ ବିଦେଶୀ ଓ ଭାରତୀୟ ଖେଳାଳି ରହିଛନ୍ତି। ସେହିପରି ଆମ ପାଖରେ ମଧ୍ୟ କ୍ୱାଲିଟି ଖେଳାଳି ରହିଛନ୍ତି। ପ୍ରତିପକ୍ଷର କୌଣସି ଖେଳାଳିକୁ ନେଇ ଆମେ ଚିନ୍ତିତ ନୋହୁଁ କିନ୍ତୁ ପୂରା ଦଳକୁ ନେଇ ଆମେ ରଣନୀତି ପ୍ରସ୍ତୁତ କରିଛୁ ବୋଲି ମାର୍କୋ କହିଛନ୍ତି।
ବିନୀତ, ଜେରୀ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ
ଓଡ଼ିଶା ଦଳରେ ଭାରତୀୟ ଖେଳାଳି ବିନୀତ ରାୟ ଓ ଜେରୀ ମାଓ୍ବମିଙ୍ଗ୍‌ଥାନାଙ୍ଗ ରହିଛନ୍ତି। ଏହି ଦୁଇ ଖେଳାଳି ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜେରୀ ୨ଟି ଗୋଲ ସ୍କୋର କରିଥିବା ବେଳେ ୪ଟି ଗୋଲ ଦେବାରେ ସହାୟତା କରିଛନ୍ତି। ଆଟକ୍‌ରେ ଆଡ୍ରିଆନ ବେଶ୍‌ ପ୍ରଭାବଶାଳୀ ମନେ ହେଉଛନ୍ତି। ଏପର୍ଯ୍ୟନ୍ତ ସେ ୬ଟି ଗୋଲ ସ୍କୋର କରିଛନ୍ତି ଓ ଗୋଟିଏ ଗୋଲରେ ସହାୟତା କରିଛନ୍ତି। ସେହିପରି ଜିସ୍କୋ ହେର୍ନାଣ୍ଡିଜ ମିଡ୍‌ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେବାକୁ ସକ୍ଷମ ହୋଇଛନ୍ତି। ତେଣୁ ଏହି ମ୍ୟାଚ୍‌ରେ ଓଡ଼ିଶା ଭଲ ଖେଳିବ ବୋଲି ଆଶା କରାଯାଉଛି।
ମାଚାଡୋଙ୍କ ଇଞ୍ଜୁରୀ ନେଇ ମୁମ୍ବାଇ ଚିନ୍ତିତ
ଅପରପକ୍ଷରେ ପାଉଲୋ ମାଚାଡୋ ଆହତ ହେବା ମୁମ୍ବାଇ ପାଇଁ ଚିନ୍ତା ସୃଷ୍ଟି କରିଛି। ମିଡ୍‌ଫିଲ୍ଡରେ ସେ ହେଉଛନ୍ତି ମୁଖ୍ୟ ଖେଳାଳି। ତେବେ ଇନ୍‌ଫର୍ମ ଷ୍ଟାଇକର ଆମିନ ଚେରମିଟି ଓ ଗତ ସେସନର ଟପ୍‌ ସ୍କୋରର ମୋଡୋଉ ସୋଉଗୋଉ ଚମତ୍କାର କରିବା ଆଶା କରାଯାଉଛି। ଲିଗ୍‌ରେ ମୁମ୍ବାଇ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। କେବଳ ଦୁଇଟି ଦଳ ଏଟିକେ ଓ ଏଫ୍‌ସି ଗୋଆ ଲିଗ୍‌ରେ ମୁମ୍ବାଇଠାରୁ ଅଧିକ ଗୋଲ ସ୍କୋର କରିଛନ୍ତି। ମୋଟ ଉପରେ ଶୁକ୍ରବାର ଲିଗ୍‌ରେ ଏକ କ୍ୱାଲିଟି ଫୁଟବଲ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri