ଈଶ୍ୱର ଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମ ଓ ମୃତ୍ୟୁ ମଧ୍ୟରେ କେବଳ ସୁଖ ଭୋଗ କରେନାହିଁ, ଦୁଃଖ ଓ ଯନ୍ତ୍ରଣାରେ ମଧ୍ୟ ଦଗ୍ଧୀଭୂତ ହୁଏ। ପୁନଶ୍ଚ ହିନ୍ଦୁଧର୍ମ ଅନୁସାରେ ନିଜର କର୍ମ ଅନୁଯାୟୀ ବାରମ୍ବାର ଜନ୍ମଗ୍ରହଣ କରେ। ଏହି ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ସାଧନା କରେ ଓ ବହୁ ଦେବଦେବୀଙ୍କୁ ଆରାଧନା କରେ। ସ୍କନ୍ଦ ପୁରାଣ କହେ-”ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ।“ ଅର୍ଥାତ୍‌ ରଥ ଉପରେ ଜଗନ୍ନାଥଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ। ଏଣୁ ରଥଯାତ୍ରା ସମୟରେ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷାଧିକ ଲୋକ ବଡ଼ଦାଣ୍ଡରେ ସମବେତ ହୁଅନ୍ତି। କେବଳ ଜଗନ୍ନାଥ ମନ୍ଦିର ନୁହେଁ, ଭାରତର ବିଭିନ୍ନ ବିଶିଷ୍ଟ ମନ୍ଦିର ଯଥା ତିରୁପତି ମନ୍ଦିର, ରାମେଶ୍ୱର ମନ୍ଦିର, ମୀନାକ୍ଷୀ ମନ୍ଦିର, କାମାକ୍ଷା ମନ୍ଦିର, ପଦ୍ମନାଭ ମନ୍ଦିର ଆଦିରେ ପ୍ରବଳ ଭିଡ଼ ହୁଏ ଓ ବେଳେବେଳେ ଦଳାଚକଟାରେ ଭକ୍ତମାନେ ଆହତ ହେବାର ଉଦାହରଣ ମଧ୍ୟ ଅଛି। ପ୍ରଶ୍ନ ହେଉଛି, ପ୍ରକୃତରେ ଭକ୍ତମାନେ ମନ୍ଦିରକୁ ଯାଇ ଈଶ୍ୱର ଦର୍ଶନ କରନ୍ତି କି? ଋକ୍‌ବେଦ କହେ- ଈଶ୍ୱର ସର୍ବବ୍ୟାପୀ, ନିରାକାର, ନିର୍ଲିପ୍ତ, କର୍ମାଧ୍ୟକ୍ଷ, ସମସ୍ତ କର୍ମର ସାକ୍ଷୀସ୍ବରୂପ ଓ ସର୍ବଭୂତର ଅନ୍ତରାତ୍ମାସ୍ବରୂପ। ଯଜୁର୍ବେଦ କହେ-”ନ ତସ୍ୟ ପ୍ରତିମା ଅସ୍ତି“ ଅର୍ଥାତ୍‌ ଈଶ୍ୱରଙ୍କ ପ୍ରତିମା ନାହିଁ। ଆମେ ଯେଉଁମାନେ ମନ୍ଦିରକୁ ଯାଉ, ଈଶ୍ୱରଙ୍କୁ ଦେଖି ନ ଥାଉ, ଦେଖୁ ଈଶ୍ୱରଙ୍କ ପ୍ରତିମା। ଚର୍ମଚକ୍ଷୁରେ ଈଶ୍ୱରଙ୍କୁ ଦେଖିହୁଏ ନାହିଁ। ଏଣୁ ମଣିଷ ଈଶ୍ୱରଙ୍କୁ କଳ୍ପନା ଚକ୍ଷୁରେ ଦେଖେ ଓ ତଦନୁଯାୟୀ ତାଙ୍କ ରୂପ ନିଏ ଓ ତାଙ୍କର ପ୍ରତିମା ଗଢ଼େ। ସେହି ପ୍ରତିମା ଭିତରେ ସେ ଈଶ୍ୱରଙ୍କୁ ଅନୁଭବ କରେ। ଏଣୁ ସ୍କନ୍ଦ ପୁରାଣ, ଗରୁଡ଼ ପୁରାଣ ଓ ଚାଣକ୍ୟ ନୀତିରେ କୁହାଯାଇଛି-”ନ ଦେବୋ ବିଦ୍ୟତେ କାଷ୍ଠେ, ନ ପାଷାଣେ, ନ ମୃଣ୍ମୟେ/ ଭାବେ ହିଁ ବିଦ୍ୟତେ ଦେବୋସ୍ତସ୍ମାତ୍‌ ଭାବୋ ହି କାରଣମ୍‌।“ ଅର୍ଥାତ୍‌ କାଠ, ପଥର ବା ମାଟିରେ ଦେବତା ନ ଥା’ନ୍ତି। ସେ ଥା’ନ୍ତି ଭାବରେ। ଏଣୁ ଭାବ ହିଁ କାରଣ।
ଆମେ ଆମ ପ୍ରିୟବ୍ୟକ୍ତିଙ୍କୁ ଦେଖିବାକୁ ଚାହୁଁ। ମାତ୍ର ଯାହାଙ୍କୁ ଦେଖିବାକୁ ଚାହୁଁ ଯଦି ସେ ଦେଖାଦେବାକୁ ନ ଚାହାନ୍ତି, ତେବେ ଆମେ ତାଙ୍କୁ ଦେଖିପାରିବା ନାହିଁ। ଠିକ୍‌ ସେହିପରି ଭକ୍ତ ଈଶ୍ୱରଙ୍କୁ ଦର୍ଶନ କରିବାକୁ ଚାହେଁ ମାତ୍ର ଈଶ୍ୱର ଦର୍ଶନ ଦେବାକୁ ନ ଚାହିଁଲେ ସେ ତାଙ୍କୁ ଦେଖିପାରିବ ନାହିଁ। ଈଶ୍ୱର ଭକ୍ତର ପ୍ରିୟ ହୋଇପାରନ୍ତି, ମାତ୍ର ଯଦି ଭକ୍ତ ଈଶ୍ୱରଙ୍କ ପ୍ରିୟ ହୋଇ ନ ଥିବ, ଈଶ୍ୱର ଭକ୍ତକୁ ଦର୍ଶନ ଦେବେ କିପରି? ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାକୁ ଗଲେ ଈଶ୍ୱର ଦର୍ଶନ ହୁଏନାହିଁ। ଭଗବଦ୍‌ ଗୀତାର ଦ୍ୱାଦଶ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ପ୍ରିୟଭକ୍ତର ଲକ୍ଷଣ ବର୍ଣ୍ଣନା କରିଛନ୍ତି। ଅର୍ଜୁନଙ୍କ ପ୍ରଶ୍ନ ”କେଉଁ ଭକ୍ତ ଆପଣଙ୍କର ପ୍ରିୟ?“ ଏହାର ଉତ୍ତରରେ ସେ କହିଛନ୍ତି, ଯିଏ ନିଃସ୍ବାର୍ଥ ଭାବେ ସମସ୍ତଙ୍କୁ ପ୍ରେମକରେ, ଦ୍ୱେଷଶୂନ୍ୟ, ଅହଂକାରରହିତ, ଆସକ୍ତିରହିତ, ଦୁଃଖ ଓ ସୁଖରେ ସମଭାବାପନ୍ନ କ୍ଷମାଶୀଳ, ସଂଯମୀ, ଅନୁଦ୍‌ବିଗ୍ନ, ନିଷ୍କାମ, ଶୁଚିସମ୍ପନ୍ନ, ମାନ ଅପମାନରେ ସମଭାବାପନ୍ନ, ସ୍ଥିରବୁଦ୍ଧି, ଶ୍ରଦ୍ଧାଯୁକ୍ତ ଓ ମହତ୍‌ ପରାୟଣ ସେହି ଭକ୍ତ ମୋର ପ୍ରିୟ। ଏଣୁ ଈଶ୍ୱରଙ୍କ ପ୍ରିୟ ହେବାକୁ ହେଲେ ଏହିସବୁ ଗୁଣର ଅଧିକାରୀ ହେବାକୁ ପଡ଼ିବ ଓ ଈଶ୍ୱରଙ୍କ ପ୍ରିୟ ନ ହେଲେ ଈଶ୍ୱର ଦର୍ଶନ ଦେବେ କିପରି?
ଈଶ୍ୱର ଦର୍ଶନ ସମ୍ପର୍କରେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଉପନ୍ୟାସ ‘ପ୍ରଭଞ୍ଜନ’ରେ ସୋମ୍ୟଦେବ ଓ ରୀନା ମଧ୍ୟରେ ହୋଇଥିବା କଥୋପକଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ରୀନା ସୋମ୍ୟଦେବଙ୍କୁ ପ୍ରଶ୍ନ କଲା, ”ସାଧୁବାବା! ଆପଣ ଭଗବାନ୍‌ଙ୍କୁ ଦେଖିଛନ୍ତି?“ ସୋମ୍ୟଦେବ ଉତ୍ତର ଦେଲେ, ”ହଁ“। ରୀନା କହିଲା ”ମୋତେ ଦେଖାଇପାରିବେ?“ ସୋମ୍ୟଦେବ ହସିଲେ, କିନ୍ତୁ କିଛି କହିଲେ ନାହିଁ। ରୀନା ପୁଣି ପଚାରିଲା, ”ଆପଣ ଯଦି ଦେଖିଛନ୍ତି ମୋତେ ଦେଖାଇ ନ ଦେବେ କିଆଁ? ମଁୁ ତ ଦେଖିବାକୁ ଉତ୍ସୁକ।“ ସୋମ୍ୟଦେବ ଉତ୍ତର ଦେଲେ, ”ଝିଅ! ସେ ତ ପୁଣି ତୁମକୁ ଦେଖିବାକୁ ଉତ୍ସୁକ ହେବା ଲୋଡ଼ା।“ ଆମେ ଯଦି ଜୀବନରେ ଗୀତାରେ ଶ୍ରୀକୃଷ୍ଣଙ୍କ ଦ୍ୱାରା କଥିତ ବିପରୀତ ଗୁଣର ଅଧିକାରୀ ହେବା ଯଥା ଅସଂଯମୀ, ବର୍ବର, ହିଂସ୍ର, ସ୍ବାର୍ଥାନ୍ବେଷୀ, ଅହଂକାରୀ ଓ ଦ୍ୱେଷପୂର୍ଣ୍ଣ ହେବା, ତା’ହେଲେ ଈଶ୍ୱର ଆମକୁ ଦର୍ଶନ ଦେବାକୁ ଉତ୍ସୁକ ହେବେ କିପରି? ଆମେ ଈଶ୍ୱରଙ୍କୁ ଭଲ ପାଇପାରୁ। ମାତ୍ର ଈଶ୍ୱର ଆମକୁ ଭଲପାଇବା ଦରକାର, ତା’ହେଲେ ସିନା ସେ ଦର୍ଶନ ଦେବେ। ଏହି ପ୍ରସଙ୍ଗ ଇଂରାଜୀ କବି ଲେ ହଣ୍ଟ ତାଙ୍କ କବିତା ”ଆବୁ ବେନ୍‌ ଆଦେମ୍‌“ରେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।
ଦିନେ ରାତିରେ ଆବୁ ବେନ୍‌ ଆଦେମ୍‌ଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଘରର ଏକ କୋଣରେ ଜଣେ ଦେବଦୂତ ଏକ ଖାତାରେ କିଛି ଲେଖୁଛନ୍ତି। ଆବୁ ବେନ୍‌ ସେ କ’ଣ ଲେଖୁଛନ୍ତି ଜାଣିବାକୁ ଚାହାନ୍ତେ ଦେବଦୂତ କହିଲେ- ମୁଁ ସେହିମାନଙ୍କ ନାମ ଲେଖୁଛି, ଯେଉଁମାନେ ଈଶ୍ୱରଙ୍କୁ ଭଲ ପାଆନ୍ତି। ଆବୁ ବେନ୍‌ ତାଙ୍କ ନାମଟି ତା’ ଭିତରେ ଅଛି କି ନା ସେକଥା ଜାଣିବାକୁ ଚାହିଁଲେ। ଦେବଦୂତ ମନା କରିବାରୁ ଆବୁ ବେନ୍‌ ଭାବିଲେ ବାସ୍ତବିକ୍‌ ସେ ଜୀବନରେ କେବେ ଈଶ୍ୱରଙ୍କ କଥା ଚିନ୍ତା କରିନାହାନ୍ତି। ଚିନ୍ତା କରିଛନ୍ତି କେବଳ ତାଙ୍କ ଚତୁଃପାର୍ଶ୍ୱରେ ରହୁଥିବା ଦୀନ ଦୁଃଖୀ ମଣିଷଙ୍କ କଥା। ତାଙ୍କ ନାମଟି ସେହି ତାଲିକାରେ ନ ରହିବା ସ୍ବାଭାବିକ। ଏଣୁ ସେ ଦେବଦୂତଙ୍କୁ କହିଲେ, ”ତା’ହେଲେ ତୁମେ ମଣିଷମାନଙ୍କୁ ଭଲ ପାଉଥିବା ଲୋକଙ୍କ ତାଲିକାରେ ମୋର ନାମଟି ଲେଖିଦିଅ।“ ଦେବଦୂତ ସେଭଳି ଲେଖି ଅନ୍ତର୍ଦ୍ଧାନ ହୋଇଗଲେ। ପରଦିନ ରାତିରେ ଦେବଦୂତ ପୁଣିଥରେ ଆସିଲେ ଓ ପୂର୍ବଭଳି ଏକ ତାଲିକା ମଧ୍ୟ ପ୍ରସ୍ତୁତ କରୁଥିଲେ। ଆବୁ ବେନ୍‌ ଏଥର ତାଙ୍କୁ କିଛି ପଚାରିଲେ ନାହିଁ। ଦେବଦୂତ ନିଜଆଡ଼ୁ କହିଲେ, ଶୁଣ ଆବୁ ବେନ୍‌ ! ଏଥର ମୁଁ ଆଜି ଆଉ ଏକ ତାଲିକା କରିଛି, ଯେଉଁଥିରେ ରହିଛି ସେହିମାନଙ୍କ ନାମ, ଯେଉଁମାନଙ୍କୁ ଭଗବାନ୍‌ ଭଲ ପାଆନ୍ତି। ସେଇ ତାଲିକାରେ ତୁମର ନାମ ଅଛି ସର୍ବାଗ୍ରେ।“ ଆବୁ ବେନ୍‌ କେବେ ଈଶ୍ୱରଙ୍କୁ ଖୋଜି ନ ଥିଲେ କି ସ୍ମରଣ କରି ନ ଥିଲେ। ମାତ୍ର ସେ ଭଲ ପାଉଥିଲେ ତାଙ୍କ ଚତୁଃପାର୍ଶ୍ୱସ୍ଥ ମଣିଷମାନଙ୍କୁ। ଦୁଃଖୀ ଦରିଦ୍ରଙ୍କୁ ସେ ସାହାଯ୍ୟ କରୁଥିଲେ ଓ ଅପାର ଆନନ୍ଦ ଲାଭ କରୁଥିଲେ। ଏଣୁ ଈଶ୍ୱର ତାଙ୍କୁ ଭଲ ପାଉଥିଲେ। ଆବୁ ବେନ୍‌ ଈଶ୍ୱରଙ୍କୁ ଖୋଜୁ ନ ଥିଲେ, ମାତ୍ର ତାଙ୍କର ସୁକର୍ମ ପାଇଁ ଈଶ୍ୱର ତାଙ୍କୁ ଖୋଜୁଥିଲେ। ଏଣୁ ଈଶ୍ୱର ଆମକୁ ଦର୍ଶନ ଦେବାକୁ ନ ଚାହିଁବା ପର୍ଯ୍ୟନ୍ତ ଆମେ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାକୁ ଗଲେ ମଧ୍ୟ ଈଶ୍ୱର ଦର୍ଶନ ସମ୍ଭବ ହେବନାହିଁ।
ଚର୍ମଚକ୍ଷୁ ରୂପକୁ ଦେଖିପାରେ। ମାତ୍ର ଈଶ୍ୱର ଅରୂପ ହୋଇଥିବାରୁ ଚର୍ମଚକ୍ଷୁରେ ତାଙ୍କୁ ଦେଖିବା ସମ୍ଭବ ନୁହେଁ। ‘ଗୀତା’ରେ ଭଗବାନ୍‌ ଅର୍ଜୁନଙ୍କୁ କହିଛନ୍ତ, ଈଶ୍ୱର ସମସ୍ତ ଭୂତଙ୍କ ହୃଦୟରେ ବାସ କରନ୍ତି। ଏଣୁ ଈଶ୍ୱରଙ୍କୁ ଚକ୍ଷୁରେ ଦେଖିହୁଏନାହିଁ, ହୃଦୟରେ ଅନୁଭବ କରିହୁଏ। ସ୍ବାମୀ ବିବେକାନନ୍ଦ କହୁଥିଲେ, ”ନିଖିଳ ଆମତ୍ାର ସମଷ୍ଟି ରୂପେ ଏକମାତ୍ର ଈଶ୍ୱର ବିଦ୍ୟମାନ ଅଛନ୍ତି ଓ ମୁଁ ସେହି ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରେ। ସେହି ଈଶ୍ୱରଙ୍କ ପୂଜା ପାଇଁ ମୁଁ ଥରକୁ ଥର ଜନ୍ମଗ୍ରହଣ କରିବାକୁ ଚାହେଁ ଓ ମୋର ଇଚ୍ଛା ନରନାରାୟଣ ଯେପରି ମୋର ସର୍ବାଧିକ ଉପାସ୍ୟ ଦେବତା ହୁଅନ୍ତୁ।“ ବିଡ଼ମ୍ବନାର ବିଷୟ ଯେ ମଣିଷ ଜୀବନ୍ତ ଈଶ୍ୱରଙ୍କୁ ସମାଜ ଭିତରେ ନ ଖୋଜି ଅଦୃଶ୍ୟ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜାକୁ ଧାଉଁଛି।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri