ଲଖନପୁର,୧୬ା୫(ଡି.ଏନ୍.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍ଡାଉନ୍ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍ଡିସି ନିରଞ୍ଜନ ସାହୁ ଝାରସୁଗୁଡା ଦାୟିତ୍ୱରେ ରହିଛନ୍ତି। ଏଥିମଧ୍ୟରେ ଆର୍ଡିସି ସାହୁ ଶନିବାର ଝାରସୁଗୁଡା ଜିଲା ଗସ୍ତରେ ଆସି ଓଡ଼ିଶା ଛତିଶଗଡ଼ ସୀମାନ୍ତ କନକତୋରାରେ ପହଞ୍ଚି କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ତଦାରଖ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଏହା ପ୍ରବେଶପଥ ହୋଇଥିବାବେଳେ ଏଠାରେ ସ୍ବାସ୍ଥ୍ୟ ବିଭାଗ,ପୋଲିସ୍ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ସ୍ବତନ୍ତ୍ର କ୍ୟାମ୍ପ୍ କରି ଜଗି ରହିଛନ୍ତି। ଏଠାରେ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜୀକରଣ କରିବା ସହ ହାତରେ ଷ୍ଟାମ୍ପିଂ କରାଯାଉଛି। ଏସବୁ କାର୍ଯ୍ୟ କିଭଳି ଚାଲିଛି ଏ ସମ୍ପର୍କରେ ଆର୍ଡିସି ପଚାରି ବୁଝିଥିଲେ। ଏସମ୍ପର୍କରେ ଜିଲାପାଳ ସରୋଜ କୁମାର ସାମଲ,ଏସ୍ପି ରାହୁଲ ଆର୍ପି, ପିଡିଡିଆର୍ଡିଏ ତପିରାମ ମାଝି, ବିଡିଓ ସଞ୍ଜୀବ ପଟେଲ,ଏସ୍ଡିପିଓ ଦିଲୀପ ଦାସ ଓ ଆଇଆଇସି ଦାନୀୟଲ କେର୍କେଟା ପ୍ରମୁଖ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଆର୍ଡିସି ଲଖନପୁର ବ୍ଲକ୍ ୧୯ ଖଣ୍ଡ ମୌଜା ଗସ୍ତକରି ପିଥିଣ୍ଡା ଗ୍ରାମରେ ହୋଇଥିବା ପନିପରିବା ଚାଷ ପରିଦର୍ଶନ କରିଥିଲେ। ଏ ସମ୍ପର୍କରେ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।