ନୂଆଦିଲ୍ଲୀ,୨୧।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନ ବାଗ୍ରେ ବିଶେଷ କରି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୩୬ ଦିନ ଧରି ବିକ୍ଷୋଭକାରୀମାନେ ଶାହିନ ବାଗ୍ରେ ଧାରଣାରେ ବସିଥିବାରୁ ଦିଲ୍ଲୀ ଓ ନୋଏଡାକୁ ସଂଯୋଗକାରୀ ମୁଖ୍ୟ ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଛି। ଫଳରେ ମଙ୍ଗଳବାର ଏନେଇ ସମାଧାନର ସୂତ୍ର ବାହାର କରିବାକୁ ଉଦ୍ୟମ କରାଯାଇଛି। ସନ୍ଧ୍ୟାରେ ୮ ବିକ୍ଷୋଭକାରୀ ମହିଳାଙ୍କ ପ୍ରତିନିଧି ଦଳ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟିଛନ୍ତି। ପ୍ରତିନିଧି ଦଳ ସିଏଏକୁ ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ଉପରାଜ୍ୟପାଳଙ୍କ ସହ ବିଶଦ ଆଲୋଚନା କରିଥିଲେ। ସେହି ସମୟରେ ସ୍ଥାନୀୟବାସିନ୍ଦା, ଛାତ୍ରୀଛାତ୍ରଙ୍କ ଯାତାୟାତ ଓ ରୋଗୀଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ତାଙ୍କୁ ଧାରଣା ଶେଷ କରିବାକୁ ନିବେଦନ କରିଥିଲେ। ତେବେ ଏହି ସାକ୍ଷାତ୍କାର ସମୟରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।