ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ବ୍ଲକର ୪୩ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇରହିଛି। ମନମୁଣ୍ଡାଠାରୁ ୩୦ କିମି ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବାତେପଙ୍ଗା ସମେତ କକଟପଙ୍ଗା, ଶିଗାଡି, ମିନକାସାହି, ଚୁହୁରାକନ, କୁଆକୁଣ୍ଡା, ଛଲଣ୍ଡା, ଆଡସିଂ, ଡୁଡସିଂ, ସସକାପଦର, ବାରକୁଥୁଲି, କଏରଡୁଇ, ଟଙ୍ଗିଆପାଲି, ନଳିକମ୍ପା, ରାହୁରପଡା, ପେନିଯୋର, ଝାଙ୍କରପଡା, ବେନାମୁଣ୍ଡା, ଗୋପିଗାଁ, ମାଲିତଗୋଛାପଡା, ବାଡେବଙ୍ଗ ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ । ପ୍ରାୟ ୯୦ ପ୍ରତିଶତ କନ୍ଧ ସମ୍ପ୍ରଦାୟର ଲୋକ ଉକ୍ତ ଅଞ୍ଚଳରେ ବସବାସ କରୁଛନ୍ତି । ବୌଦ୍ଧ ଜିଲାର ନଗଡା ବୋଲାଉଥିବା ଏହି ଅଞ୍ଚଳ କନ୍ଧମାଳ ସୀମା ସହ ସଂଲଗ୍ନ ରହିଛି । ଏହି ଅଞ୍ଚଳକୁ ଜଙ୍ଗଲ ଓ ପାହାଡ ଘେରି ରହିଛି। ଅଞ୍ଚଳବାସୀ ବ୍ୟାଙ୍କ, ପୋଷ୍ଟ ଅଫିସ, ଫାଣ୍ଡି, ସ୍ବାସ୍ଥ୍ୟକେନ୍ଦ୍ର, ଜନସେବାକେନ୍ଦ୍ର, ହାଟ, ବଜାର ଓ ପଞ୍ଚାୟତରୁ ରାସନ ସାମଗ୍ରୀ ପାଇଁ ଶଗଡା ଉପରେ ନିର୍ଭର କରୁଥିବାରୁ ସେମାନେ ଜଙ୍ଗଲ ପାହାଡ ହୁରି ରାସ୍ତା ଦେଇ ବହୁ କଷ୍ଟରେ ଯିବାଆସିବା କରିଥାନ୍ତି। ବୃଦ୍ଧାବୃଦ୍ଧ ଓ ବିଶେଷ କରି ଗର୍ଭବତୀ ମହିଳାଙ୍କୁ ଭାର କରି ଶଗଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡୁଛି । ସେହିପରି ଶଗଡା ଅଞ୍ଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଗରିବ ଲୋକମାନଙ୍କୁ ଭୟଭୀତ କରି ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ ହେଉଛି। ଶଗଡାଠାରୁ ପ୍ରାୟ ୨୦ କିମି ଦୂର ଉପାନ୍ତ ବାତେପଙ୍ଗାକୁ ରାସ୍ତା ଦିବାସ୍ବପ୍ନ ପାଲଟିଛି। ତୁରନ୍ତ ଏହି ଅଞ୍ଚଳକୁ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରକାଶ କହଁର, କାଲିଆ କହଁର, ଋଷି ମଲିକ, ଉଦୟ କହଁର, ମାନେଶ୍ୱର ବିଭାର, ରତ୍ନ କହଁର, ପ୍ରବେଶ କହଁର, ଡେରା କହଁର, ସତ୍ୟ କହଁର, ମନ୍ତ୍ରୀ ଛନ୍ଦ, ଉମେଶ ଛନ୍ଦ, ମିଶ୍ର ଭଇନା, ସୁନା ପ୍ରଧାନ, ଶ୍ରଦ୍ଧାକର ମଲିକ, ପଞ୍ଚାନନ କହଁର ପ୍ରମୁଖ ଦାବି କରିଛନ୍ତି । କଣ୍ଟାମାଳ ବିଧାୟକ ମହିଧର ରଣା ଏହି ରାସ୍ତା ନିର୍ମାଣ ପ୍ରତି ଧ୍ୟାନ ଦେବେ ବୋଲି କହିଥିବା ଜଣାପଡିଛି ।