ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ପଶୁ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡ଼ିତ ଥିଲେ, ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ପଶୁପାଳନ ବିଭାଗର ଜିଲା ଅଧିକାରୀଙ୍କ କହିବା କଥା ହେଲା ଏହା ମନୁଷ୍ୟ ପାଇଁ ମଧ୍ୟ ପ୍ରାଣଘାତକ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା ମାଜିଷ୍ଟ୍ରେଟ୍ ଘୋଡ଼ା ଓ ଘୋଡୀଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିବା ଜଣାପଡିଛି। ଘୋଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ତରଫରୁ ଏହାର ମାଲିକଙ୍କୁ ୭୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶୁପାଳକ ରାଜେଶ ମୌର୍ଯ୍ୟଙ୍କର ଚମ୍ପା, ଚମେଲି ନାମକ ୨ ଘୋଡ଼ୀ ଓ ବାଦଲ ନାମକ ଗୋଟିଏ ଘୋଡ଼ା ଥିଲେ। କିଛିଦିନ ହେବ ଏହି ୩ଟି ଜୀବ ଅସୁସ୍ଥ ଥିବାରୁ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥଲା। ଏମାନଙ୍କଠାରେ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗର ଲକ୍ଷଣ ଥିବା ଜଣାପଡ଼ିଥିଲା। ଦୁଇଥର ପରୀକ୍ଷା ପରେ ଏହା ପଜିଟିଭ୍ ଆସିବାରୁ ଜିଲା ମାଜିଷ୍ଟ୍ରେଟଙ୍କ ପାଖରେ କରାଯାଇଥିବା ଇଚ୍ଛାମୃତ୍ୟୁ ଆବେଦନକୁ ସେ ଅନୁମତି ପ୍ରଦାନ କରିଛନ୍ତି।