ଭୁବନେଶ୍ୱର,୧।୬(ବ୍ୟୁରୋ)-ରାତ୍ରକାଳୀନ କର୍ଫ୍ୟୁରେ ସମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଅପରାହ୍ନରେ ପୋଲିସ ଡିଜିପି ଅଭୟ ଘୋଷଣା କରିଥିଲେ ଯେ, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ। ମାତ୍ର ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏଣିକି ରାତି ୭ଟାରୁ ସକାଳ ୫ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ରହିବ। ଏହାକୁ କଡାକଡି ପାଳନ କରିବାକୁ ଡିଜିପି କହିଛନ୍ତି।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟକୁ ୪ ଲକ୍ଷ ୨୬ ହଜାର ପ୍ରବାସୀ ଆସିଛନ୍ତି। ଏହିମାନଙ୍କ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାତ୍ରକାଳୀନ କର୍ଫ୍ୟୁ କୋହଳ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିନା କାରଣରେ ଜନସାଧାରଣ ବାହାରେ ବୁଲାବୁଲି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଡିଜିପି ଅଭୟ କହିଛନ୍ତି।