ନୂଆଦିଲ୍ଲୀ,୩୧।୧୦(ପି.ଟି.)- ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ର ଉନ୍ନତି ପାଇଁ ନବ ନିଯୁକ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ସେ ଏନ୍ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ରାହୁଲ ଡ୍ରାଭିଡ୍ଙ୍କୁ ଭେଟିଛନ୍ତି। ଏନ୍ସିଏର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ଡ୍ରାଭିଡଙ୍କୁ ସାକ୍ଷାତ କରିଛନ୍ତି। ପୂର୍ବରୁ ସାଥି ହୋଇ ଦେଶ ପାଇଁ ଖେଳିଥିବା ଏହି ଦୁଇ ମହାନ୍ କ୍ରିକେଟର ଆଲୋଚନା କରିଥିଲେ। ଏହି ଅବସରରେ ସେ ମଧ୍ୟ ଗାଙ୍ଗୁଲିଙ୍କୁ କେତୋଟି ମୂଲ୍ୟବାନ ପରାମର୍ଶ ଦେଇଥିଲେ। ନୂଆ ଏନ୍ସିଏ ଫ୍ୟାସିଲିଟି ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ସ୍ଥାନକୁ ମଧ୍ୟ ଗାଙ୍ଗୁଲି ପରିଦର୍ଶନ କରିଥିଲେ।
ଉଲ୍ଲେଖଥାଉ କି, ଗତ ମେ’ରେ ବିସିସିଆଇ କର୍ନାଟକ ସରକାରଙ୍କ ସହ ୨୫ ଏକର ଜମି ନେଇ ଏକ ଚୁକ୍ତି କରିଛନ୍ତି। ଏବେ ଅତିରିକ୍ତ ୧୫ ଏକର ଜମି ମଧ୍ୟ ସରକାରଙ୍କଠାରୁ ପ୍ରାପ୍ତ ହୋଇଛି। ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ନିର୍ମାଣ ପାଇଁ ଏହି ଅତିରିକ୍ତ ଜମିର ଉପଯୋଗ ହେବ। ନୂଆ କ୍ରିକେଟ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏନ୍ସିଏ ଏବେ ରିହାବିଲିଟେଶନ ସେଣ୍ଟରରେ ପରିଣତ ହୋଇଛି ବୋଲି ଗାଙ୍ଗୁଲି ହୃଦୟଙ୍ଗମ କରିଛନ୍ତି। ଏନ୍ସିଏ ଏବେ ଚିନ୍ନାସ୍ବାମୀ ଷ୍ଟାଡିୟମ ନିକଟରେ କାର୍ଯ୍ୟ କରୁଛି। ବିସିସିଆଇ ଏବେ ଏହାକୁ ଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ଚାହୁଛି। ନୂଆ ସ୍ଥାନରେ ୩ଟି ଗ୍ରାଉଣ୍ଡ ସ୍ଥାପନ ହେବ। ଏଥିସହିତ ଇନ୍ଡୋର ନେଟ୍ସ, ପ୍ରଶାସନିକ ବିଲ୍ଡିଂ ଓ ହଷ୍ଟେଲର ସୁବିଧା ମଧ୍ୟ ମିଳିପାରିବ। ଭିଭିଏସ୍ ଲକ୍ଷ୍ମଣ ଓ ଭାରତୀୟ ହେଡ୍ କୋଚ୍ ରବି ଶସ୍ତ୍ରୀ ଏନ୍ସିଏର ଦ୍ରୁତ ପୁନଃରୁଦ୍ଧାର ପାଇଁ ଦାବି କରିଆସୁଛନ୍ତି।