Posted inଖେଳ

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧-
କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିବସରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ ୧୦୬ ରନରେ ଅଲଆଉଟ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ହେବା ବେଳକୁ ଭାରତ ପ୍ରଥମ ଇନିଂସରେ ୩ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ଦଳ ବାଂଲାଦେଶ ପ୍ରଥମ ଇନିଂସଠାରୁ ୬୮ ରନରେ ଅଗ୍ରଣୀଲାଭ କରିଛି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ମାତ୍ର ଘରୋଇ ଦଳର ବୋଲରଙ୍କୁ ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ। ପ୍ରଥମ ୬ ଓଭର କୌଣସି ପ୍ରକାରେ କ୍ରିଜରେ ତିଷ୍ଠି ରହିଥିଲେ ହେଁ ୭ମ ଓଭରରୁ ହିଁ ଆରମ୍ଭ ହୋଇଥିଲା ବାଂଲାଦେଶର ବିପର୍ଯ୍ୟୟ ପର୍ବ। ଏହାର କର୍ଣ୍ଣଧାର ସାଜିଥିଲେ ଈଶାନ୍ତ ଶର୍ମା।
ସପ୍ତମ ଓଭରର ତୃତୀୟ ବଲ୍‌ରେ ଇମ୍ରୁଲ କାୟେସଙ୍କୁ ଆଉଟ କରି ଅଭିଯାନ ଆରମ୍ଭ କରିଥିବା ଈଶାନ୍ତ ପରେ ମହମୁଦୁଲ୍ଲା, ନଇମ ହାସନ, ଏବାଦତ ହୋସେନ ଓ ମେହିଦି ହାସନଙ୍କ ଉଇକେଟ ନେଇ ପରଫେକ୍ଟ ପାଇଭ୍‌ ପୂରଣ କରିଥିଲେ। ଏଥିସହ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବନ୍ଧ କରାଇଥିଲେ ଏହି ଦ୍ରୁତ ବୋଲର। ଈଶାନ୍ତଙ୍କୁ ଉପଯୁକ୍ତ ସହାୟତା କରି ଭାରତର ଅନ୍ୟତମ ପେସର ଉମେଶ ଯାଦବ ଟପ୍‌ ଅର୍ଡରର ମୁଖ୍ୟ ୩ଟି ଉଇକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ଓପନର ଶଦମନ ଇସଲାମ, ଅଧିନାୟକ ମୋମିନୁଲ ହକ ଓ ମହମ୍ମଦ ମିଥୁନଙ୍କ ଉଇକେଟ ହାସଲ କରିଥିଲେ। ମହମ୍ମଦ ସାମି ଅନ୍ୟ ୨ଟି ଉଇକେଟ ନେଇଥିଲେ। ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶଦମାନ ସର୍ବାଧିକ ୨୯ ଓ ରିଟାୟର୍ଡ ହର୍ଟ ହୋଇଥିବା ଲିଟନ ଦାସ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ୯ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଭାରତର ପେସ୍‌ ତ୍ରୟଙ୍କ ସମ୍ମୁଖରେ ବାଂଲାଦେଶ ଇନିଂସ ମାତ୍ର ୩୦.୦ ଓଭର ତିଷ୍ଠିଥିଲା।
ଭାରତର ଆରମ୍ଭ ଏଠାରେ ଆଶାନୁରୂପ ହୋଇପାରି ନ ଥିଲା। ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଯଥାକ୍ରମେ ଚୌକା ଓ ଛକା ମାରି ଇନିଂସ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୟଙ୍କ ୧୪ ଓ ରୋହିତ ୨୧ ରନ କରି ଆଉଟ ହେବାରୁ ୪୩ ରନରେ ଭାରତ ୨ଟି ଉଇକେଟ ହରାଇଥିଲା। ତେବେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଇନିଂସ ସମ୍ଭାଳି ନେଇଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ପୂଜାରା ୧୦୫ ବଲ୍‌ରୁ ୫୫ (୮ ଚୌକା) ରନ କରିଥିବାବେଳେ ଏବାଦତ ହୋସେନଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ପରେ କୋହଲି ଓ ଅଜିଙ୍କ୍ୟ ରାହାନେ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ। ଷ୍ଟମ୍ପ୍ସ ବେଳକୁ କୋହଲି ୯୩ ବଲ୍‌ରୁ ୫୯(୮ ଚୌକା) ଓ ରାହାନେ ୨୨ ବଲ୍‌ରୁ ୨୩(୩ ଚୌକା) ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ୨ଟି ଓ ଅଲ୍‌ ଅମିନ ହୋସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୧୦୬/ଅଲଆଉଟ(ଶଦମାନ-୨୯, ଲିଟନ-୨୪, ଈଶାନ୍ତ-୫/୨୨, ଉମେଶ-୩/୨୯, ଶାମି-୨/୩୬)।
ଭାରତ ପ୍ରଥମ ଇନିଂସ: ୧୭୪/୩(କୋହଲି-୫୯*, ପୂଜାରା-୫୫, ରାହାନେ-୨୩*, ଏବାଦତ-୨/୬୧, ଅଲ୍‌ ଅମିନ-୧/୪୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri