ଶରତ ଚନ୍ଦ୍ର ମିଶ୍ର
ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ ଅବଶ୍ୟ ପୁରୀରେ ଗୋଟିଏ ଜିଲା କମିଟି ଥିଲା। ପ୍ରାଦେଶିକ କଂଗ୍ରେସ କମିଟିରେ ସାଧାରଣ ସମ୍ପାଦକ ଭାଗୀରଥି ମହାପାତ୍ରଙ୍କ ବ୍ୟତୀତ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ବିଶ୍ୱନାଥ ଦାସ, ଗୋପବନ୍ଧୁ ଚୌଧୁରୀ ଓ ତତ୍କାଳୀନ ଯୁବନେତା ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଓ ନିତ୍ୟାନନ୍ଦ କାନୁନ୍ଗୋ ଅନ୍ତର୍ଭୁକ୍ତ ଥିଲେ। ଏଇମାନେ ହିଁ ଓଡ଼ିଶା କଂଗ୍ରେସର ପ୍ରଥମ ପିଢ଼ିର ନେତା। ଏହି ନେତାମାନଙ୍କ ମଧ୍ୟରେ ଶ୍ରେଣୀ ଚରିତ୍ର ହିସାବରେ ଗୋପବନ୍ଧୁ ଓ ନୀଳକଣ୍ଠ ସ୍ବଚ୍ଛଳ, ଗୋଦାବରୀଶ ଦରିଦ୍ର, ବିଶ୍ୱନାଥ ଦାସ ବିଶାଳ ଭୂମି ଅଧିକାରୀ ଓ ଅନ୍ୟମାନେ ମଧ୍ୟମ ବର୍ଗର ଜମିଦାର। ଗୋପବନ୍ଧୁଙ୍କ ନେତୃତ୍ୱକୁ ଜମିଦାର ଗୋଷ୍ଠୀ ସହଜରେ ଗ୍ରହଣ କରୁ ନ ଥିଲେ ମଧ୍ୟ ଗୋପବନ୍ଧୁଙ୍କ ଜନପ୍ରିୟତା ହେତୁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ବିରୋଧ କରିପାରୁ ନ ଥିଲେ।
ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ଦିନରୁ ଗୋଷ୍ଠୀ କନ୍ଦଳରେ ସଂକ୍ରମିତ। ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକମାନଙ୍କର ଗୋଟିଏ ଗୋଷ୍ଠୀ ଓ କଟକରେ ଭାଗୀରଥି ମହାପାତ୍ରଙ୍କ ନେତୃତ୍ୱରେ ‘ଭାରତୀ ମନ୍ଦିର’ ନାମରେ ଆଉ ଗୋଟିଏ ଗୋଷ୍ଠୀ ଥାଏ। ହରେକୃଷ୍ଣ ମହତାବ ‘ଭାରତୀ ମନ୍ଦିର’ ଗୋଷ୍ଠୀର ସମର୍ଥକ ଥିଲେ। ଗୋପବନ୍ଧୁଙ୍କର ୧୯୨୮ରେ ମୃତ୍ୟୁ ପରେ ଦୁଇଗୋଷ୍ଠୀ ମଧ୍ୟରେ କନ୍ଦଳ ତୀବ୍ର ହେଲା। ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱକୁ ‘ଭାରତୀ ମନ୍ଦିର’ ଗୋଷ୍ଠୀ ପ୍ରାୟତଃ ବିରୋଧ କରୁଥାନ୍ତି ଓ ଦୁଇ ଗୋଷ୍ଠୀ ମଧ୍ୟରେ ସାଙ୍ଗଠନିକ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେଉଥାଏ। ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ କଂଗ୍ରେସ ୧୯୩୭ ନିର୍ବାଚନରେ ଜୟଯୁକ୍ତ ହେଲେ ହେଁ ନୀଳକଣ୍ଠ ଦାସ ନିଜେ ଆସେମ୍ବ୍ଲି ସଭ୍ୟ ହୋଇ ନ ଥିବାରୁ ତାଙ୍କ ମନୋନୀତ ପ୍ରାର୍ଥୀ ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଶ୍ୱନାଥ ଦାସ ୩୬ଜଣ ବିଧାୟକଙ୍କ ମଧ୍ୟରୁ ୨୪ ଜଣଙ୍କ ଭୋଟ୍ ପାଇଥିଲେ ଓ ଅନ୍ୟ ୩ ଜଣ ପ୍ରାର୍ଥୀ ୪ଟି ଲେଖାଏଁ ଭୋଟ ପାଇଥିଲେ। ହରେକୃଷ୍ଣ ମହତାବ ୧୯୩୮ ମସିହାରେ କେନ୍ଦ୍ର କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ସଭାପତି ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ମନୋନୀତ ହେଲେ ଓ ୧୯୪୨ ମସିହାରେ ଦେଶର ବିଶିଷ୍ଟ ନେତାମାନଙ୍କ ସହ କାରାରୁଦ୍ଧ ହେଲେ। ସେଠାରେ ସେ ସର୍ଦ୍ଦାର ପଟେଲଙ୍କର ଘନିଷ୍ଠ ହେଲେ। କାଳକ୍ରମେ ହରେକୃଷ୍ଣ ମହତାବ ଓ ବିଶ୍ୱନାଥ ଦାସ ସହଯୋଗ କରି ନୀଳକଣ୍ଠ ଦାସଙ୍କୁ ଦଳରେ ସଂଖ୍ୟାଲଘୁ କରିବାରେ ସକ୍ଷମ ହେଲେ। ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର କଂଗ୍ରେସରୁ ଇସ୍ତଫା ଦେଲେ।
ହରେକୃଷ୍ଣ ମହତାବ ୧୯୪୬ରେ ପ୍ରଧାନମନ୍ତ୍ରୀ ହେଲେ। ତା’ପରଠାରୁ କଂଗ୍ରେସରେ ଦୁଇଟି ଗୋଷ୍ଠୀ, ମହତାବ ଗୋଷ୍ଠୀ ଓ ବିଶ୍ୱନାଥ ଦାସ ଗୋଷ୍ଠୀ। ମହତାବ ୧୯୫୦ ମସିହାରେ କେନ୍ଦ୍ରମନ୍ତ୍ରୀ ହୋଇଗଲା ବେଳେ ସଂଖ୍ୟାଧିକ ଏମ୍ଏଲ୍ଏ ବିଶ୍ୱନାଥ ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ ମଧ୍ୟ ମହତାବ ନିଜ ପ୍ରଭାବ ବଳରେ ନବକୃଷ୍ଣ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ। ଏହି ପ୍ରକ୍ରିୟାରେ କଂଗ୍ରେସର ଯୁବଗୋଷ୍ଠୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ମହତାବଙ୍କୁ ସାହାଯ୍ୟ କରିଥିଲେ। ଇତିମଧ୍ୟରେ ଗଡ଼ଜାତ ମିଶ୍ରଣ ହୋଇ ଓଡ଼ିଶାର କଳେବର ବୃଦ୍ଧି ପାଇଥାଏ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ମାଧ୍ୟମରେ ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ଦାସ ଓ ରାଧାନାଥ ରଥ କଂଗ୍ରେସରେ ନେତୃସ୍ଥାନ ଅଧିକାର କରିଥାନ୍ତି। ସାମ୍ୟବାଦୀ ନେତା ସୁରେନ୍ଦ୍ର ଦ୍ୱିବେଦୀ ଓ ସାରଙ୍ଗଧର ଦାସ କଂଗ୍ରେସରୁ ପରେ ଅଲଗା ହୋଇଗଲେ।
ମହତାବ ତାଙ୍କର ଚାରିବର୍ଷ (୧୯୪୬-୫୦)ର ମୁଖ୍ୟମନ୍ତ୍ରିତ୍ୱ ସମୟରେ ନୂଆ ପିଢ଼ିର ନେତାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ପିଢ଼ିର ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ନୀଳମଣି ରାଉତରାୟ, ଦୀନବନ୍ଧୁ ସାହୁ ଓ ବନମାଳୀ ପଟ୍ଟନାୟକ ପ୍ରମୁଖ କଂଗ୍ରେସ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରି ମହତାବଙ୍କର ଘନିଷ୍ଠ ହେଲେ। ଏଇ ଦ୍ୱିତୀୟ ପିଢ଼ିର ନେତାମାନେ ୧୯୪୨ ଭାରତଛାଡ଼ ଆନ୍ଦୋଳନ ଜରିଆରେ ନିଜକୁ ଆଖିଦୃଶିଆ କରାଇପାରିଥିଲେ। ‘ସମାଜ’ ଖବରକାଗଜ ମହତାବ ସରକାରକୁ ସମର୍ଥନ କରୁନାହିଁ ବୋଲି ଅନୁଭବକରି ‘ପ୍ରଜାତନ୍ତ୍ର’ ଖବରକାଗଜର ଦୈନିକ ସଂସ୍କରଣ କଟକରୁ ଆରମ୍ଭ ହେଲା। ‘ପ୍ରଜାତନ୍ତ୍ର’ କେତେକ ଭବିଷ୍ୟତ ପିଢ଼ିର କଂଗ୍ରେସ ନେତାଙ୍କ ଅନ୍ତୁଡ଼ିଶାଳ। ଏଇ ଦ୍ୱିତୀୟ ପିଢ଼ିର ନେତାମାନେ ବମ୍ବେରୁ ମହତାବଙ୍କୁ ଆଣି ଦ୍ୱିତୀୟ ଥର ନିମନ୍ତେ ମୁଖ୍ୟମନ୍ତ୍ରୀ କରାଇଥିଲେ ଓ ମହତାବଙ୍କ ସଙ୍ଗେ ମତଭେଦ ହୋଇ ତାଙ୍କୁ ୧୯୬୦ରେ ଗାଦିଚ୍ୟୁତ କରାଇଥିଲେ। ଏହି ପିଢ଼ିର ମୁଖ୍ୟ ନେତା ବିଜୁ ପଟ୍ଟନାୟକ ୧୯୬୧ରେ ମୁଖ୍ୟମନ୍ତ୍ରୀ ହେଲେ ଓ ୧୯୭୦ରେ ଉତ୍କଳ କଂଗ୍ରେସ ଗଠନ ପର୍ଯ୍ୟନ୍ତ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତା ଥିଲେ। ମହତାବଙ୍କ ଜନ କଂଗ୍ରେସ ଓ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସରେ ଏହି ପିଢ଼ିର ସବୁ ମୁଖ୍ୟ ନେତା ଯୋଗଦେବାରେ କଂଗ୍ରେସ ନେତୃତ୍ୱରେ ଏକ ଶୂନ୍ୟତା ଦେଖାଦେଲା ଓ ଏକ ନୂତନ ପିଢ଼ିର ନେତା ବାହାରିଲେ। ସେମାନେ ସ୍ବାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାଗ ନେଇ ନ ଥିଲେ, କିନ୍ତୁ ଛାତ୍ରାବସ୍ଥାରେ ରାଜନୀତି ସହିତ ସମ୍ପୃକ୍ତ ଥିଲେ। ସେମାନେ କେନ୍ଦ୍ର ନେତୃତ୍ୱର ଅନୁକମ୍ପା ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିଲେ। ଏହି ପିଢ଼ିର ନେତାମାନେ ହେଲେ ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବ୍ରଜମୋହନ ମହାନ୍ତି, ବାଙ୍କବିହାରୀ ଦାସ ଓ ବିନାୟକ ଆଚାର୍ଯ୍ୟ। ନନ୍ଦିନୀ ଦେବୀ ଓ ବିନାୟକ ଆଚାର୍ଯ୍ୟଙ୍କର କମ୍ୟୁନିଷ୍ଟ ପୃଷ୍ଠଭୂମି ଓ ବାଙ୍କବାବୁଙ୍କର ସାମ୍ୟବାଦୀ ପୃଷ୍ଠଭୂମି ଥିଲା। କେନ୍ଦ୍ର ନେତୃବୃନ୍ଦଙ୍କ ଦ୍ୱାରା ମନୋନୀତ ହୋଇ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ମୁଖ୍ୟମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ନିଯୁକ୍ତ ହେବାର ପରମ୍ପରା ଆରମ୍ଭ ହେଲା ଓ ପ୍ରଦେଶ କଂଗ୍ରେସ ମୁଖ୍ୟ ଏବେ ମଧ୍ୟ ଦଳୀୟ କର୍ମୀମାନଙ୍କ ଦ୍ୱାରା ନିର୍ବାଚିତ ନ ହୋଇ ହାଇକମାଣ୍ଡଙ୍କ ଦ୍ୱାରା ମନୋନୀତ ହେଉଛନ୍ତି।
ତୃତୀୟ ପିଢ଼ିିର ନେତାଙ୍କ ପରେ ଆଉ ଏକ ଗ୍ରହଣଯୋଗ୍ୟ ଚତୁର୍ଥ ପିଢ଼ିର ନେତା ସୃଷ୍ଟି ହୋଇପାରିନାହାନ୍ତି। ସେ ଦିଗରେ ତୃତୀୟ ପିଢ଼ିିର ନେତାମାନେ ଉଦ୍ୟମ କରିବା ଉଚିତ ହୋଇଥାନ୍ତା। ଏହା ମଧ୍ୟରେ ରାଜନୀତିର ପରିଭାଷା ମଧ୍ୟ ପରିବର୍ତ୍ତିତ। ରାଜନୀତି ଆଉ ଦେଶସେବାର ମାଧ୍ୟମ ନ ହୋଇ ଏକ ବୃତ୍ତି ବା ପେସା ହୋଇଗଲାଣି, ଯାହାର ଉଦ୍ଦେଶ୍ୟ ହେଲା କ୍ଷମତାକୁ ଆସିବା ଓ ନ ଆସିପାରିଲେ ଯିଏ କ୍ଷମତାରେ ଅଛି ତାକୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରିବା। ରାଜନେତାଙ୍କର ଶ୍ରେଣୀ ଚରିତ୍ର ମଧ୍ୟ ପରିବର୍ତ୍ତିତ। ଅଧିକାଂଶ ଧନିକ ଶ୍ରେଣୀର ଓ ସେଥି ମଧ୍ୟରୁ କେତେଜଣ ବ୍ୟବସାୟୀ ଶ୍ରେଣୀର। ଦଳ ମଧ୍ୟରେ ଦେଶ ସେବା ଓ ଜନ ଆନ୍ଦୋଳନରୁ ଉତ୍ପନ୍ନ ନେତା ନାହାନ୍ତି। ଦଳ ମଧ୍ୟରେ ବହୁକାଳୁ ‘ଗ୍ରାମକୁ ଫେରିଚାଲ’ର କାର୍ଯ୍ୟକ୍ରମ ହୋଇନାହିଁ। ସମାଜର ମଣ୍ଡଳୀକରଣ ପରେ, ଦଳିତମାନଙ୍କର ନିଜର ଦଳ ସୃଷ୍ଟି ହେଲା ପରେ ଓ ମୁସଲମାନମାନେ କଂଗ୍ରେସ ଉପରୁ ଭରସା ତ୍ୟାଗ କଲା ପରେ ଦଳର ଆଉ ଭୋଟ୍ବ୍ୟାଙ୍କ ନାହିଁ। ଜାତୀୟ ସ୍ତରରେ ଦଳର ଏହି ଅବକ୍ଷୟ ରାଜ୍ୟ କଂଗ୍ରେସକୁ ମଧ୍ୟ ପ୍ରଭାବିତ କରୁଛି।
କଂଗ୍ରେସର ହୃତଗୌରବକୁ ଫେରାଇ ଆଣିବାକୁ ହେଲେ ଦଳକୁ ଆତ୍ମସମୀକ୍ଷା କରି ଗ୍ରାମାଞ୍ଚଳକୁ ଫେରିଚାଲି, ଯେଉଁ ଯେଉଁ କାରଣ ଯୋଗୁ ଭୋଟର ସେମାନଙ୍କ ପ୍ରତି ବିମୁଖ ହୋଇଛନ୍ତି, ସେ କାରଣଗୁଡ଼ିକର ନିରାକରଣ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ। ଦଳ ପରିଚାଳନା ବର୍ତ୍ତମାନ ଊର୍ଦ୍ଧ୍ୱରୁ ନିମ୍ନମୁଖୀ, ତା’ ବଦଳରେ ନିମ୍ନରୁ ଊର୍ଦ୍ଧ୍ୱମୁଖୀ ହେବା ଆବଶ୍ୟକ।
ମୋ-୯୩୩୭୪୨୨୫୨୧