ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍ ସେବା ଯୋଗାଣକାରୀ କମ୍ପାନୀ ଓଲା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛି। ଓଲା ଗତ ୨ମାସ ମଧ୍ୟରେ ୯୫% ରାଜସ୍ବ ହରାଇବା ଯୋଗୁ ସମସ୍ୟାରେ ରହିଛି। କମ୍ପାନୀ ବିଭିନ୍ନ କାରଣ ଦର୍ଶାଇ ବର୍ତ୍ତମାନ ଏହାର ପ୍ରାୟ ୧୪ଶହ କର୍ମଚାରୀ ଛଟେଇ କରିଛି । କିଛି ମାସ ହେଲା ଯାତ୍ରୀସେବା ଯୋଗାଣରେ ସମସ୍ୟା ଉପୁଜୁଥିବାରୁ କମ୍ପାନୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କମ୍ପାନୀର ସିଇଓ ଭାବେଶ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଲକ୍ଡାଉନ ଜାରି ଥିବାରୁ ବର୍ତ୍ତମାନ କାରବାରରେ ଅସ୍ଥିରତା ଦେଖାଦେଇଛି । କୋଭିଡ୍ ସଂକ୍ରମଣ ଥମୁ ନ ଥିବାରୁ ଘରୋଇ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଗ୍ରାହକ ମଧ୍ୟ ପୂର୍ବପରି ଆଉ ଗାଡ଼ି ବୁକିଂ କରୁନାହାନ୍ତି । କମ୍ପାନୀ ବ୍ୟାପକ କ୍ଷତିରେ ଚାଲୁଥିବାରୁ କର୍ମଚାରୀମାନଙ୍କ ବେତନଠାରୁ ଆରମ୍ଭକରି ଅନ୍ୟାନ୍ୟ ସୁବିଧା ଯୋଗାଣରେ ଅସୁବିଧା ସୃଷ୍ଟି ହେଉଛି। ସେ ଆହୁରି କହିଛନ୍ତି ଯେ, ଆସନ୍ତା ୬ମାସ ଯାଏ କମ୍ପାନୀର ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ବେତନ ପ୍ରଦାନ ଓ ଅନ୍ୟାନ୍ୟ ସୁବିଧା ଯୋଗାଣରେ ସମସ୍ୟା ରହିବ। ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କର୍ମଚାରୀମାନଙ୍କୁ ମେଲ୍ ମାଧ୍ୟମରେ ସୂଚାଇ ଦିଆଯାଇଛି । ସେହିଭଳି ଗତ ସପ୍ତାହ ମଧ୍ୟରେ ଉବେର, ଜମାଟୋ, ସ୍ବିଗି ଭଳି ଅନେକ ସଂସ୍ଥା ବିଭିନ୍ନ କାରଣ ଦର୍ଶାଇ କର୍ମଚାରୀ ଛଟେଇ କରିଥିବା ଜଣାପଡିଛି।