ଦିଗପହଣ୍ଡି,୧୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀମପୁର ଶାସନ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରାମର ଅମିତ ତ୍ରିପାଠୀ ସପରିବାର ସହ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଆଲମାରିରୁ ୧୬ ହଜାର ଟଙ୍କା ସହ ସୁନାଗହଣା ଚୋରିକରି ନେଇଯାଇଛନ୍ତି। ଜରୁରୀ କାଗଜପତ୍ର ଓ ଲୁଗାପଟା ଏଣେତେଣେ ଫୋପାଡ଼ିଥିବା ଜଣାପଡ଼ିଛି।
ସେହିପରି ଗ୍ରାମର ଶିକ୍ଷକ ସନ୍ତୋଷ ରଥଙ୍କ ୪ଟି କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଘର ଭିତରେ ପଶି ଚୋରି ପାଇଁ ଉଦ୍ୟମ କରିଥିଲେ। ମାତ୍ର ଶିକ୍ଷକ ରଥ ନିଦରୁ ଉଠି ପଡିବାରୁ ଦୁର୍ବୃତ୍ତମାନେ ବାରିପଟେ ଦୌଡି ପଳାଇଥିଲେ। ଖବର ପାଇ ଦିଗପହଣ୍ଡି ଥାନା ଏସ୍ଆଇ ମାଧବ ଚନ୍ଦ୍ର ଟାକରୀ ସଦଳବଳେ ଗାଁରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।