କରୋନାରେ ଦାଦନ ଶ୍ରମିକ

ସତୀଶ ବିଶ୍ୱାଳ

ନାଁଟି ତା’ର ଚିତା ସାହୁ। ବୟସ ୭୦ ପାଖାପାଖି। ଘର ଯାଜପୁର ଜିଲାର ଧର୍ମଶାଳା ବ୍ଲକ ମଧୁପୁରଗଡ (କୁକୁଡାଖାଳି)। କାହିଁ କେବେଠାରୁ ସ୍ବାମୀ ଆରପାରିକୁ ଚାଲିଗଲେଣି। ଚିତାର ସାହା ଭରସା କହିଲେ ତା’ର ଦୁଇ ପୁଅ। ଜମିବାଡି ସେମିତି ବି କିଛି ନାହିଁ। ପୁଅ ଖଟିଲେ ଆର ବକତକ ପାଇଁ ଚୁଲି ଜଳେ। ତା’ର ପୁଅ ଦାଦନ ଖଟିବାକୁ ଯାଇଛି ସୁଦୂର ହାଇଦ୍ରାବାଦ। କରୋନା କ’ଣ, କି ପ୍ରକାର ରୋଗ, ଏହାର ପ୍ରଭାବରେ ଦେଶରେ ଏମିତି ଗୋଟିଏ ଲକ୍‌ଡାଉନ ଅବସ୍ଥା ହେବ ବୋଲି ତା’ର ହାଇଦ୍ରାବାଦରେ ଥିବା ୨୫ ବରଷର ପୁଅ ବାଇଧର ବୁଝିବା ପୂର୍ବରୁ ସବୁ ଠପ୍‌ ହୋଇଗଲା। ଯିଏ ଯୋଉଠି ସେଇଠି ଅଟକିଗଲେ।
ଚିତା କହିବା ଅନୁସାରେ ୪ କୋଡି ବୟସ ଅତିକ୍ରାନ୍ତ କରିଛି, ହେଲେ କରୋନା ପରି ମହାମାରୀ କିମ୍ବା ଦୁରବସ୍ଥା ଆଗରୁ ଦେଖି ନ ଥିଲା କି ଶୁଣି ନ ଥିଲା। ତା’ ପୁଅ ତା’ ପାଇଁ ଅନ୍ଧର ଲଉଡି। ସେଇ ପୁଅ ମୁହଁ ଚାହିଁ ସେ ବଞ୍ଚତ୍ ଯାଉଥିଲା। ଅଭିଆଡି ପୁଅ। କେବଳ ପେଟ ଚାଖଣ୍ଡକ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି। ସରକାରଙ୍କ ଏତେ ସବୁ ଯୋଜନା କିନ୍ତୁ ବାଇଧରଙ୍କ ପରି ଯୁବକକୁ ନିଜ ମାଟିରେ ଆତ୍ମନିଯୁକ୍ତି ଦେବାର ସଳଖ ବାଟଟିଏ ଦେଖାଇ ପାରିନାହିଁ। ନ ହେଲେ କିଏ ବା କାହିଁକି ଦାଦନ ଖଟିବାକୁ ନିଜ ଗାଁ ମାଟି ଛାଡି ଯାଆନ୍ତା ଯେ? ଲୋକେ ଯେ ଗାଁ ଛାଡୁ ନାହାନ୍ତି ତାହା ନୁହେଁ। ଅନେକ ସମୟରେ କୋଟିପତି ହେବାର ମୋହ ହେଉ କିମ୍ବା ଅଧିକ ଧନଶାଳୀ ହେବାର ଲୋଭରେ ଲୋକେ ଗାଁ ଛାଡିଥାନ୍ତି। କେହି କେହି ସହରର ଚାକଚକ୍ୟର ଲାଳସାରେ ବି ଗାଁ ଛାଡିଥାନ୍ତି। ଅନେକେ ଉଚ୍ଚ ବେତନରେ ସରକାରୀ କିମ୍ବା ବେସରକାରୀ ଉଦ୍ୟୋଗରେ ଚାକିରି ପାଇଁ ଗାଁ ଛାଡିଥାନ୍ତି। ହେଲେ ଏଭଳି ଅଭାବ ଅନଟନରେ ପଡି କେବଳ ପେଟ ଚାଖଣ୍ଡକ ପାଇଁ ପରିସ୍ଥିତିର ବାଧ୍ୟ ବାଧକତାରେ ନିଜ ଗାଁ, ମାଟି ଓ ମମତାକୁ ଛାଡି ରାଜ୍ୟ ବାହାରକୁ ଯିବାର ଅନ୍ତଃବେଦନା କେବଳ ଅନୁଭବୀ ହିଁ ବୁଝିପାରେ।
ସନ୍ଧ୍ୟାରେ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ଡିଏମ୍‌ୟୁ ଟ୍ରେନ୍‌ରେ ଯିଏ ଆସିଥିବ ସେଥିରେ ଗୋଟିଏ କଥା ଲକ୍ଷ୍ୟ ରଖିଥିବ ଯେ, ଦୈନନ୍ଦିନ ବିଭିନ୍ନ କାର୍ଯ୍ୟରେ ଘର ଛାଡି ଯାଉଥିବା ମଣିଷର ଆବେଗ। ସେହି ଆବେଗଟି ହେଉଛି- କେମିତି ଶୀଘ୍ର ନିଜ ଷ୍ଟେଶନରେ ଗାଡି ଅଟକିଲେ ଯାତ୍ରୀଟି ନିଜ ଘରେ ପହଞ୍ଚତ୍ବ। ଦୈନିକ ନିଜର କାମ ସାରି ଘରକୁ ଫେରୁଥିବା ମଣିଷର ଯେତେବେଳେ ଏଭଳି ଅବସ୍ଥା, ସେତିକିବେଳେ ବର୍ଷ ବର୍ଷ ଘର ଛାଡି ରହୁଥିବା ଦାଦନ ଶ୍ରମିକଟିଏ ମାନବଜାତି ପ୍ରତି ଏଭଳି ଭୟଙ୍କର ବିପତ୍ତି ସମୟରେ ନିଜ ଘରକୁ ଫେରିବାର କେତେ ଆବେଗ, ଆଗ୍ରହ ଥିବ ତାହା କଳନା କରାଯାଇ ନ ପାରେ। ଏଣେ ଦାଦନ ଶ୍ରମିକଟିର ପେଟକୁ ଦାନା ନାହିଁ କିମ୍ବା ରହିବାକୁ କରୋନାର ମୁକାବିଲା କଲା ଭଳି ଘରଟିଏ ନାହିଁ। ସେମାନେ ରହୁଥିବା ଘରେ ସାମାଜିକ ଦୂରତା ରକ୍ଷା ସମ୍ବବ ନୁହେଁ ବୋଲି ସରକାର ବି ଜାଣନ୍ତି। ଏବେ ଚିତା ସାହୁର ପୁଅ ପରି ଲକ୍ଷାଧିକ ଦାଦନଙ୍କର ଭଗବାନ ଭରସା। ଚିତା ସାହୁର ଗାଁ ମଧୁପୁରଗଡ କେବଳ ଦେଶର ଶିଳ୍ପନଗର କଳିଙ୍ଗନଗର ନିକଟବର୍ତ୍ତି ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରକୁ ଏହି ଅଞ୍ଚଳରୁ ଯାଉଥିବା କଳାପଥରରେ ସରକାରଙ୍କର ବ୍ୟାପକ ଉନ୍ନୟନ କାର୍ଯ୍ୟ ହୋଇଥାଏ। ଗୋଟିଏ ପରେ ଗୋଟିଏ ପାହାଡ ମାଟିରେ ମିଶେ। ଶହ ଶହ କ୍ରଶରର ପ୍ରଦୂଷଣରେ ଅଞ୍ଚଳ ପ୍ରଦୂଷିତ ହୁଏ। ବିକାଶ ପାଇଁ ଲୋକେ ବି ଏଠାରେ ସ୍ଥାନୀୟ ସ୍ଥାୟୀ ନେତୃତ୍ୱ ସପକ୍ଷରେ ବାରମ୍ବାର ମତ ଦେଇଛନ୍ତି। ହେଲେ ଏଠାକାର ବହୁ ଯୁବକ କିନ୍ତୁ ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଛନ୍ତି । ତେବେ ଗତ ୨୮ ମାର୍ଚ୍ଚରେ ସରକାରଙ୍କୁ ଏହି ଦାଦନମାନଙ୍କୁ ମୁକୁଳାଇ ଆଣିବାକୁ ନିବେଦନପତ୍ର ଦିଆଗଲା। ଦାଦନ ଶ୍ରମିକ ମାନେ ଗାଁକୁ ଫେରିବାକୁ ଆକୁଳ ନିବେଦନ ଥିବା ଭିଡିଓ ବି ପ୍ରଦାନ କରାଗଲା। ସେମାନେ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି। ତେଣୁ ସେମାନଙ୍କୁ ନିଜ ରାଜ୍ୟକୁ ନିଆଯାଇ ସେଠାରେ ସରକାରଙ୍କ ସମସ୍ତ ବିଧି ବ୍ୟବସ୍ଥା ଅନୁସାରେ ପରୀକ୍ଷା ନିରୀକ୍ଷା ପରେ ଘରକୁ ଫେରାଇ ନେବାକୁ ଅନୁରୋଧ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିଲା ନାହିଁ । ଏହାପରେ ବି ଗାଁ ଲୋକେ ନିଜସ୍ବ ଉଦ୍ୟମରେ ଗାଡି ଠିକ କରି ଏହି ଦାଦନମାନଙ୍କୁ ଗାଁକୁ ଫେରାଇ ଆଣିବାକୁ ସରକାରଙ୍କଠାରୁ ଅନୁମତି ମାଗିବାକୁ ମାନବିକତା ଦୃଷ୍ଟିରୁ ପ୍ରସ୍ତୁତ ହେଉଥିଲେ। ହେଲେ ମାନ୍ୟବର ଓଡିଶା ହାଇକୋର୍ଟ ଶେଷକୁ ଘରବାହୁଡା ଶ୍ରମିକଙ୍କୁ ସୀମାରେ ରଖିବାକୁ ନିର୍ଦ୍ଦେଶ ଦେଲେ। ଏହାପରେ ସବୁ ଆଶା ଓ ସମ୍ଭାବନା ମଉଳି ଗଲା।
ତଥାପି ପରିବାରର ଲୋକମାନେ ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକଟିର ମନରେ ଆଶା ସଞ୍ଚାର କରିବାକୁ ପ୍ରତିଶ୍ରୁତିଟିଏ ଦେଉଥିଲେ। ଆମ ସରକାର ତୁମ ପାଇଁ ଖାଇବା, ରହିବା ଏବଂ ଔଷଧର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥିପାଇଁ ବଡ଼ ଚିନ୍ତା ପ୍ରକଟ କରିଛନ୍ତି। ନିଯୁକ୍ତିଦାତା ଦରମା କାଟିବ ନାହିଁ, ଘରବାଲା ଘରଭଡା ମାଗିବ ନାହିଁ ଇତ୍ୟାଦି ଇତ୍ୟାଦି। ଓଡିଆ ଶ୍ରମିକମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମ ମୁଖ୍ୟମନ୍ତ୍ରୀ ଚିଠି କରିଛନ୍ତି। ଏଥିନେଇ ବିଭିନ୍ନ ରାଜ୍ୟ ପାଇଁ ନୋଡାଲ ଅଫିସର ମାନେ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ଚାକିରି ନେଇ ଉକ୍ତ ଦାଦନ କିମ୍ବା ସରକାରଙ୍କ ପାଖରେ କ’ଣ ପ୍ରମାଣ ରହିଛି ସେ କଥା ସମସ୍ତେ ଜାଣନ୍ତି। ସେଭଳି ଅବସ୍ଥାରେ ଦାଦନଙ୍କ ଦରମା କାଟିଲେ ବି କିଏ କ’ଣ କରିପାରିବ?
ଦେଶର ସଙ୍କଟକୁ ଅତି ନିବିଡତା ଓ ଆତ୍ମୀୟତାର ସହ ମୁକାବିଲା କରୁଥିବା ଆମ ପ୍ରଧାନମନ୍ତ୍ରୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ସର୍ବଦା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି ପଦକ୍ଷେପ ମାନ ନେଉଛନ୍ତି। ଜନତା କର୍ଫ୍ୟୁର ଅଦ୍ଭୁତ ସଫଳତା ପରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା ବ୍ୟତୀତ ଅନ୍ୟ ରାସ୍ତା ନ ଥିଲା। ଉତ୍ତର ପ୍ରଦେଶ ସରକାର ଦାଦନମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ କେତୋଟି ବସ ସେବାରେ ଲଗାଇଥିଲେ। ଓଡ଼ିଶାର ଦାଦନ ଶ୍ରମିକ ମାନଙ୍କୁ ଅଣାଯାଇ ଆମ ରାଜ୍ୟରେ ରଖିବାକୁ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ, କଲେଜର ତ ଅଭାବ ନାହିଁ। ସେଠାରେ ସେମାନଙ୍କୁ ରଖାଯାଇ ପରୀକ୍ଷା ନିରୀକ୍ଷା କରାଯାଇ ପାରିଥାନ୍ତା। ଆମ ରାଜ୍ୟର ବୁଲା ବିକାଳିଙ୍କ ପର୍ଯ୍ୟନ୍ତ ଚିନ୍ତା କରାଯାଇ ସେମାନଙ୍କୁ ତିନି ହଜାର ପର୍ଯ୍ୟନ୍ତ ଟଙ୍କା ସହାୟତା ଘୋଷଣା କରାଗଲା। ସବୁଠାରୁ ଅଧିକ ଦୁଃଖ ଓ ଦୁର୍ଦ୍ଦିନରେ ନିଜ ଗାଁ ଛାଡି ରହୁଥିବା ଏଇ ଦାଦନମାନଙ୍କ କଥା ସବା ପଛକୁ ରହିଗଲା। ଏଭଳି ମହାବିପତ୍ତି ସମୟରେ ଦୁଃଖରେ ଥିବା ଏବଂ ଭୋକରେ ଥିବା ମଣିଷ ପାଖରେ ସରକାରଙ୍କ ସହାୟତା ପ୍ରଥମେ ପହଞ୍ଚତ୍ବା ଏକ ଜନମଙ୍ଗଳ ରାଷ୍ଟ୍ରର ସରକାରର ସର୍ବପ୍ରଥମ କାର୍ଯ୍ୟ । ହେଲେ ଚିତା ସାହୁ ପରି ଅସହାୟ ମା’ମାନଙ୍କ କୋହ ଭିତରୁ ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ତା’ର ବ୍ୟତିକ୍ରମ ହୋଇଥିବାର ଅଭିଯୋଗ ସ୍ପଷ୍ଟ ବାରି ହୋଇପଡୁଥିଲା।
ଭୁବନପୁର, ଗଡ଼ମଧୁପୁର, ଯାଜପୁର
ମୋ-୯୪୩୭୦୧୯୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri