କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ ଉଦ୍ୟମରେ ଚାଷକୁ ଆଦରି ସ୍ବାବଲମ୍ବୀ ହୋଇଥିବା ମଣିଷମାନଙ୍କ ଦମ୍ଭ ଭାଙ୍ଗିପାରିନି କୋଭିଡ୍। ଯଦିଓ ଆଗଭଳି ଲାଭ ହେଉନାହିଁ, ତଥାପି ପରିବାର ଚଳାଇବାରେ କୌଣସି ସମସ୍ୟା ନାହିଁ। କରୋନା ସଙ୍କଟ ସମୟରେ ଖୋଲା ଆକାଶ ତଳେ ଛାଇ ଜାଗାରେ ପାଳ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ଏବଂ ପରଜଙ୍ଗ ଅଞ୍ଚଳର ବହୁ ଛତୁ ଚାଷୀ।
ଛତୁ ଉତ୍ପାଦନ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଚୁଳିଆ ମୁଣ୍ଡାସାହି, ସିବୁଳାପଶି, ଆଲୁଅଝରଣ, ମହୁଲି, ପରଜଙ୍ଗ ବ୍ଲକର ପଥରଖମ୍ବ, ସିଆରିମାଳିଆ। ଅଳ୍ପ ପୁଞ୍ଜି ଖଟାଇ ଅଧିକ ଲାଭ ମିଳୁଥିବାର ଗ୍ରାମାଞ୍ଚଳରେ ଛତୁ ଚାଷ ପ୍ରତି ଆଗ୍ରହ ବଢୁଛି। ହେଲେ ସମ୍ପୃକ୍ତ ଅଞ୍ଚଳ ଛତୁ ଚାଷର ପଦ୍ଧତି ନିଆରା। ଏଥିଲାଗି ସ୍ବତନ୍ତ୍ର ଘର କି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ଆବଶ୍ୟକ ପଡୁନି। ଖୋଲା ଆକାଶ ତଳେ ଛାଇ ଜାଗାରେ ହେଉଛି ଛତୁ ଚାଷ। ଏଥିଲାଗି ସବୁଠୁ ବଡ଼ ଆବଶ୍ୟକତା ନଡ଼ା ଆଉ ଛତୁ ମଞ୍ଜି। ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ଯାଏ ଛତୁ ଉତ୍ପାଦନ କରାଯାଏ। ଶୀତ ଦିନେ ଅନୁକୂଳ ପାଣିପାଗ ନ ଥିବାରୁ ଛତୁ ଚାଷ ବନ୍ଦ ଥାଏ। ଛତୁ ଚାଷ ଲାଗି ଅଞ୍ଚଳର ଆଗ୍ରହୀ ଚାଷୀ ଉଦ୍ୟାନ ବିଭାଗ ତରଫରୁ ପ୍ରଶିକ୍ଷଣ ନେଇଛନ୍ତି। ପ୍ରଶିକ୍ଷିତ ଚାଷୀମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା, କୋଭିଡ୍-୧୯ ଭୟ ସମୟରେ ମଧ୍ୟ ଛତୁ ଉତ୍ପାଦନ ଜାରି ରହିଛି। ଏହାଦ୍ୱାରା କେବଳ ମାଲିକ ଲାଭବାନ ହେଉନାହାନ୍ତି, ବରଂ ଫାର୍ମରେ ନିୟୋଜିତ ଶ୍ରମିକମାନେ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି। ପାଳ ଛତୁ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୂରଣ କରିବା ସହ ପଡ଼ୋଶୀ ଜିଲାକୁ ମଧ୍ୟ ରପ୍ତାନୀ ହେଉଛି।
ଏ ନେଇ ଚୁଳିଆ ମୁଣ୍ଡାସାହିର ଅଗ୍ରଣୀ ଚାଷୀ ଆର୍ତ୍ତତ୍ରାଣ ବିଶ୍ୱାଳ (୫୫) କୁହନ୍ତି, ସେ ଦୀର୍ଘ ୧୦ ବର୍ଷ ହେଲା ପାଳ ଛତୁ ଚାଷ କରି ଆସୁଛନ୍ତି। ଏଥିଲାଗି ଆବଶ୍ୟକ ନଡ଼ା ସଂଗ୍ରହ ଲାଗି ସଜାଗ ରହିବାକୁ ପଡ଼େ। ଧାନ ଅମଳ ସମୟରେ ୪ ଲକ୍ଷ ଟଙ୍କା ଯାଏ ନଡ଼ା ସଂଗ୍ରହ କରାଯାଇଥାଏ। ତାଙ୍କ ଫାର୍ମରେ ଆଗରୁ ୨୦ରୁ ୩୦ ଜଣ ଶ୍ରମିକ କାମ କରୁଥିଲେ। ଏବେ କରୋନା ଲାଗି ଯାନବାହନ ଚଳାଚଳ ବାଧାପ୍ରାପ୍ତ କାରଣରୁ ଉତ୍ପାଦନ କମାଇବାକୁ ପଡିଛି। ଫାର୍ମରେ ଏବେ ୪ ଜଣ ଶ୍ରମିକ କାମ କରୁଥିବାବେଳେ ଦୈନିକ ୧୫୦ କେଜି ଛତୁ ବିକ୍ରି ହେଉଛି। ବ୍ୟବସାୟୀମାନେ ଆସି ସିଧାସଳଖ ଛତୁ କିଣି ନେଉଛନ୍ତି। ପୂର୍ବରୁ ଢେଙ୍କାନାଳ, ତାଳଚେର ଅଞ୍ଚଳରୁ ଛତୁ ମଞ୍ଜି ଆଣୁଥିଲୁ। ଏବେ କଟକଣା ଯୋଗୁ ଲୋକାଲ ମଞ୍ଜିରେ କାମ ଚଳାଇବାକୁ ପଡୁଛି। ବିଦେଶରେ ଯାଇ ଖଟିବା ଅପେକ୍ଷା ଏପରି ଚାଷ ଦ୍ୱାରା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି।
(ସୁଧୀର କୁମାର ପରିଡ଼ା)