ଇସ୍ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ପ୍ରଥମଥର ଲାଗି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହାପରେ ଆଉ ଏକ ରିପୋର୍ଟକୁ ସେ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଇସଲାମାବାଦରେ ଥିବା ପିଆଇଏମ୍ଏସ୍ ହସ୍ପିଟାଲରୁ ବୁଧବାର ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଗୁରୁବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଆସିବାକୁ ଥିବା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦ୍ୱିତୀୟ ରିପୋର୍ଟ ଯଦି ନେଗେଟିଭ ଆସେ ତେବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏହାପରେ ସେ କରାଚି ଯିବେ ବୋଲି କହିଛନ୍ତି। ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ଓ ତାଙ୍କ ନିକଟରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସୂଚନାଯୋଗ୍ୟ, ଫୈଜଲ ଏପ୍ରିଲ ୧୫ରେ ଲାହୋର ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭେଟିବା ସହ ତାଙ୍କୁ ଏକ ଚେକ୍ ପ୍ରଦାନ କରିଥିଲେ। ଏହାପରେ ସେ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ଇମ୍ରାନ ନିଜକୁ କ୍ୱାରାଣ୍ଟାଇନରେ ରଖି କୋଭିଡ-୧୯ ଟେଷ୍ଟ କରାଇଥିଲେ। ହେଲେ ଇମ୍ରାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।