ବିଞ୍ଝାରପୁର,୨୩ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମର ୬୩ ବର୍ଷିୟା ବୃଦ୍ଧା କାଞ୍ଚନ ଦେଈଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ତାଙ୍କ ସ୍ବାମୀ ନଟବର ପ୍ରଧାନ (୭୦) ବର୍ଷରେ ମଜୁରି ଲାଗି ପରିବାର ଚଳାଉଛନ୍ତି। କାଞ୍ଚନ ଏକ ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇଛନ୍ତି। ମାତ୍ର ଟଙ୍କା ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁନାହିଁ। କାଞ୍ଚନ କର୍କଟ ରୋଗରେ ପୀଡିତ ଥିବା ଜାଣି ଗ୍ରାମର କେତେଜଣ ବ୍ୟକ୍ତି ସହାୟତା କରିଥିଲେ। ସେହି ଅର୍ଥରେ ସେ କଟକରେ ଯାଇ ଚିକିତ୍ସିତ ହେଉଥିଲେ। ହେଲେ ଅର୍ଥ ସରିଯିବାରୁ ଏବେ ଘରକୁ ଫେରି ଆସିଛନ୍ତି। କାଞ୍ଚନ କିମ୍ବା ତାଙ୍କ ପରିବାର ବିଜୁ ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଏବେ କର୍କଟ ଭଳି ରୋଗର ଚିକିତ୍ସା କରାଇ ପାରୁନାହାନ୍ତି। ବଡ଼ କଥା ହେଉଛି କାଞ୍ଚନଙ୍କ ବୟସ ୬୦ ଟପି ସାରିଥିଲେ ବି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଖଣ୍ଡେ ମଧ୍ୟ ପାଇ ପାରି ନାହାନ୍ତି। କାଞ୍ଚନଙ୍କ ଚିକିତ୍ସା ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରୀ ସହାୟତା ନ ମିଳିଲେ କାଞ୍ଚନଙ୍କ ଚିକିତ୍ସା କରାଇବା ଅସମ୍ଭବ ବୋଲି ତାଙ୍କ ସ୍ବାମୀ ନଟବର ପ୍ରକାଶ କରିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।