ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍ଆର୍)ର ବୈଜ୍ଞାନିକ ଏଭଳି ଚମତ୍କାର କରିଛନ୍ତି। ଏହାର ରଙ୍ଗ କଳା। କଳାସୁନା କାର୍ବନ ଡାଇଅକ୍ସାଇଡ୍ ଏବଂ ସୌରରଶ୍ମୀ ଅବଶୋଷକ ଭାବେ କାର୍ଯ୍ୟ କରିବ। ଏହା କାର୍ବନ ଡାଇଅକ୍ସାଇଡ୍ରୁ ମିଥେନ୍ ଗ୍ୟାସ୍ ପ୍ରସ୍ତୁତ କରିପାରିବ। ସୁନାର ନାନୋ ପାର୍ଟିକିଲ୍ ମଧ୍ୟରେ ଥିବା ସଂଯୋଜନା ଦୂରତାରେ କେତେକ ପରିବର୍ତ୍ତନ କରି କଳାସୁନା ଉଦ୍ଭାବନ କରାଯାଇଥିବା ବୈଜ୍ଞାନିକ ବିବେକ ପୋଲଶିଟ୍ଟିଓ୍ବାର ସୂଚନା ଦେଇଛନ୍ତି। କଳାସୁନାର ବ୍ୟବହାର ଦ୍ୱାରା ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା କାର୍ବନ ଡାଇଅକ୍ସାଇଡ୍ସ୍ତରକୁ କମ୍ କରାଯାଇପାରିବ। ଏହାଫଳରେ ଗ୍ଲୋବାଲ ଓ୍ବାର୍ମିଂ ହ୍ରାସ ପାଇପାରିବ ବୋଲି ସେ କହିଛନ୍ତି।