କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)-କେନ୍ଦୁଝର ସହରକୁ ଦୈନିକ ବହୁ ସଂଖ୍ୟାରେ ବନବାସୀ ବିଭିନ୍ନ ପ୍ରକାର ପନିପରିବା, ବନଜାତ ଦ୍ରବ୍ୟ ଧରି ବିକିବାକୁ ଆସିଥାନ୍ତି। ବିକିବା ପରେ ମିଳୁଥିବା ପଇସାରେ ତେଲଲୁଣ କିଣି ଘରକୁ ଫେରନ୍ତି। ଘରେ ସୁବିଧା ନ ଥିବାରୁ କ୍ଷୀର ଖାଉଥିବା ଶିଶୁଙ୍କୁ ଛାଡି ସେମାନେ ଆସିପାରନ୍ତି ନାହିଁ ା ଏଣୁ ମୁଣ୍ଡରେ ଓଜନଦାର କାଠ, ଦାନ୍ତକାଠିର ବୋଝ ଧରିଥିବା ବେଳେ କାଖରେ ଅସୁରକ୍ଷିତ ଅବସ୍ଥାରେ ନିଜର କୋମଳମତୀ ଶିଶୁମାନଙ୍କୁ ବୋହି ଆସିବାକୁ ବାଧ୍ୟ ହୋଇଥାନ୍ତି। ଶିଶୁକୁ ଲୁଗାରେ ବାନ୍ଧି କାଖରେ ଝୁଲାଇ ଆଣିଥାନ୍ତି। ଏହାକୁ ନେଇ ଅନେକ ସମୟରେ ବିତର୍କ ହୋଇଥାଏ ା କିନ୍ତୁ ସେମାନଙ୍କୁ ଗ୍ରାମରେ କାମଧନ୍ଦା ମିଳୁ ନ ଥିବାରୁ ଏଭଳି କଠିନ କାମ କରିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।
ମୁଣ୍ଡରେ ବୋଝ ବା କାଠ ଧରି ବହୁ ବାଟ ଚାଲିଚାଲି ଆସନ୍ତି। ପୁଣି ଅଧାବାଟରୁ ଗାଡିରେ ଆସିଥାନ୍ତି। ଆଣିଥିବା ସାମଗ୍ରୀ ବିକିବା ପାଇଁ ଅନେକ ସମୟରେ ଭୋକିଲା ଶୋଷିଲା ଦିନତମାମ ରହିବାକୁ ପଡୁଛି ା ଫଳରେ ଖାଦ୍ୟ ଅଭାବ ସହିତ ଖରାବର୍ଷା ଯୋଗୁ ମା’ ଓ ଶିଶୁଙ୍କ ଅବସ୍ଥା ସଙ୍କଟରେ ପଡିଥାଏ। ଏଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଏଭଳି ଶିଶୁମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଗଲେ କିଛିଟା କଷ୍ଟ ଲାଘବ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଡିଏମ୍ଏଫ୍ରେ ବହୁ ଅର୍ଥ ଅଛି ା ଏଣୁ ଏହି ଅର୍ଥରେ କେନ୍ଦୁଝର ସହର ବ୍ୟତୀତ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ କ୍ରେଚ ବ୍ୟବସ୍ଥା କରାଗଲେ ଅନୂ୍ୟନ ଏଭଳି ଅସହାୟ ମା’ମାନେ ସେମାନଙ୍କ ଶିଶୁଙ୍କୁ ସୁରକ୍ଷିତ ସ୍ଥାନରେ ଛାଡି ଆସିପାରନ୍ତେ ବୋଲି ସାମାଜିକ କର୍ମୀ ସୁବ୍ରତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ କାଠ, ଦାନ୍ତକାଠି ଆଣିବା ଦ୍ୱାରା ଜଙ୍ଗଲ ଓ ପରିବେଶ ନଷ୍ଟ ହେଉଥିବାରୁ ସେମାନଙ୍କୁ ସଚେତନ କରି ଗ୍ରାମରେ ଏମ୍ଜିଏନ୍ଆରଇଜିଏସ କିମ୍ବା ଅନ୍ୟ ଯୋଜନାରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଗଲେ ସେମାନଙ୍କୁ ସହର ବା ବଜାରକୁ ଆସିବାକୁ ପଡିବ ନାହିଁ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କ୍ଷେତ୍ରପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।