ନୂଆଦିଲ୍ଲୀ,୧୩।୫: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ଟେଲିକମ୍ ଶିଳ୍ପରେ ପରିବର୍ତ୍ତନ ଆଣିବା ପରେ ଏବେ କିରାନା ବା ଖୁଚୁରା ଷ୍ଟୋର କ୍ଷେତ୍ରରେ କ୍ରାନ୍ତି ଆଣିବା ଦିଗରେ ଅଗ୍ରସର ହେଉଛି। ଦେଶରେ ୭୦୦ ବିଲିୟନ ଡଲାରର ଖୁଚୁରା ବଜାର ରହିଛି। ଏହାର ୯୦% ଅସଙ୍ଗଠିତ । ରିଲାଏନ୍ସ ବର୍ତ୍ତମାନ ଦେଶରେ ବିଶ୍ୱର ସର୍ବବୃହତ୍ ଅନଲାଇନ ଟୁ ଅଫଲାଇନ ଇ-କମର୍ସ ପ୍ଲାଟଫର୍ମ ଆଣିବା ଦିଗରେ କାର୍ଯ୍ୟ କରୁଛି। ଅନ୍ଲାଇନ ରିଟେଲରେ ରିଲାଏନ୍ସର ଏଭଳି ପ୍ରୟାସ ଯୋଗୁ ଦେଶରେ ଥିବା ବର୍ତ୍ତମାନର ୧୫୦୦୦ ଡିଜିଟାଲ ରିଟେଲ ଷ୍ଟୋର ୨୦୨୩ ବେଳକୁ ୫୦ ଲକ୍ଷ ଛୁଇଁପାରେ। ବ୍ୟାଙ୍କ ଅଫ୍ ଆମେରିକା ମେରିଲ ଲିଞ୍ଚ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଘରୋଇ ବଜାରର କିରାନା ଷ୍ଟୋରଗୁଡିକ ସାଧାରଣତଃ ତେଜରାତି ଏବଂ ଅନ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ଉକ୍ତ ଷ୍ଟୋରଗୁଡିକ ସେମାନଙ୍କ ଟେକ୍ନୋଲୋଜିକୁ ଉନ୍ନତୀକରଣ ଲାଗି ଆଗ୍ରହୀ ଥିବାରୁ ଏହା ଆଧୁୁନିକୀକରଣକୁ ପ୍ରୋତ୍ସାହନ କରିବାରେ ବିଶେଷ ସହାୟକ ହେବ ବୋଲି ଅଧ୍ୟୟନରୁ ସାମ୍ନାକୁ ଆସିଛି। ବାଣିଜ୍ୟର ପରିଭାଷା ଏବେ ବଦଳୁଛି। ଆଧୁନିକ ବାଣିଜ୍ୟରେ ଇ-କମର୍ସ ଅନ୍ୟ ବାଣିଜ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) ଏ ଦିଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜିଏସ୍ଟି ଅନୁପାଳନ ବିଲ୍ ଏବେ ବାଧ୍ୟତାମୂଳକ ହୋଇଥିବାରୁ ସଂସ୍ଥାଗୁଡିକ ଏହା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।
ସାରା ଦେଶରେ ରିଲାଏନ୍ସର ୧୦,୦୦୦ ରିଟେଲ ଆଉଟଲେଟ ରହିଛି। ବିଶ୍ୱର ସର୍ବବୃହତ୍ ଅନଲାଇନ ଟୁ ଅଫଲାଇନ ମାର୍କେଟ ପ୍ଲେସ ଆଡକୁ ଏହା ଏବେ ଅଗ୍ରସର। ରିଲାଏନ୍ସ ବର୍ତ୍ତମାନ କିରାନା ଷ୍ଟୋରଗୁଡିକରେ ଜିଓ ମୋବାଇଲ ପଏଣ୍ଟ ଅଫ୍ ସେଲ(ଜିଓ ଏମ୍ପିଓଏସ୍) ସ୍ଥାପନା ଦିଗରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ସ୍ଥାନୀୟ ଯୋଗାଣକାରୀ କମ୍ପାନୀର ୪ଜି ହାଇସ୍ପିଡ ନେଟଓ୍ବର୍କ ସହ ଯୋଡି ହେବେ। ସେହିଭଳି ଗ୍ରାହକମାନେ ଏହାକୁ ଅର୍ଡର ଯୋଗାଣ ଲାଗି ବ୍ୟବହାର କରିପାରିବେ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ନାପବିଜ, ନୁକଡ ଶପ୍ ଗୋଫ୍ରୁଗାଲ ଭଳି ପ୍ଲାଟଫର୍ମକୁ ଏହା ପଛରେ ପକାଇବ ବୋଲି ଅନୁମାନ କରାଯାଉଛି।
ଜିଓ ଏମ୍ପିଓଏସ୍ ୩୦୦୦ ଟଙ୍କା ନିବେଶରେ ଉପଲବ୍ଧ ହେଉଛି। ଯାହାକୁ ସ୍ଲାପବିଜ ୫୦,୦୦୦ ଟଙ୍କାରେ ବିକ୍ରି କରୁଛି। ସେହିଭଳି ନୁକଡ ଶପ୍ ଏଥିଲାଗି ୩୦ ହଜାର ଏବଂ ଗୋ ଫ୍ରୁଗାଲ ୫୫ ହଜାର ଚାର୍ଜ କରୁଛି। ଏଥିଲାଗି ସଫ୍ଟଓ୍ବେର ଲାଗି ୧୫ ହଜାରରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଜିଓ ଏହାର ଏମ୍ପିଓଏସ୍ ଲାଗି କୌଣସି ମର୍ଚ୍ଚାଣ୍ଡାଇଜ ଡିସକାଉଣ୍ଟ ରେଟ(ଏମ୍ଡିଆର୍) ଚାର୍ଜ ନେବ ନାହିଁ। ଏଥିରେ ଲୟାଲଟି ପ୍ରୋଗ୍ରାମ ପ୍ରଦାନ କରିବ। ସେହିଭଳି ମର୍ଚ୍ଚାଣ୍ଡାଇଜ ଡେଲିଭରି, ବିଜ୍ଞାପନ, ଯୋଗାଣ କ୍ଷେତ୍ର ସଂଯୋଗୀକରଣ ଭଳି କ୍ଷେତ୍ରରେ ମଧ୍ୟ ସହାୟତା କରିବ। ଏଣୁ ଏହି କ୍ଷେତ୍ରରେ ରିଲାଏନ୍ସର ପ୍ରବେଶ କ୍ରାନ୍ତିକାରୀ ସାବ୍ୟସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି।