କୂଅର ଜଳ

ଅଞ୍ଜନ ଚାନ୍ଦ

ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ ଦୁଇ ପୁଅଙ୍କୁ ପାଖକୁ ଡାକି କୂଅ ଦୁଇଟିକୁ ବାଣ୍ଟି ଦେଲେ। କହିଲେ, ମୁଁ ଆସିବାଯାଏ ଏହାର ଦାୟିତ୍ୱ ନେବ। ପାଣି ଯେମିତି ସୁରକ୍ଷିତ ରହେ ସେଥିପାଇଁ ଯତ୍ନ କରିବ।
ବଣିକ ତୀର୍ଥ କରିବାକୁ ଚାଲିଗଲେ। ବଡ଼ ପୁଅ ଲୁହାର ଢାଙ୍କୁଣିଟିଏ ତିଆରି କଲା। କୂଅର ମୁହଁ ଉପରେ ରଖି ଜଞ୍ଜିରରେ ବାନ୍ଧି ତାଲା ପକାଇଦେଲା। ସାନପୁଅ କୂଅ ଉପରେ ପୁଲିଟିଏ ଲଗାଇଲା। ସେଥିରେ ରଶି ଲଗାଇ ଗୋଟେ ବାଲ୍ଟି ବାନ୍ଧିଦେଲା। ଗାଁଲୋକଙ୍କୁ କହିଲା, ବାପା ତୀର୍ଥ କରିବାକୁ ଯାଇଛନ୍ତି। ଯିବା ଆଗରୁ ଏଇ କୂଅଟି ଆପଣମାନଙ୍କ ପାଇଁ ଖୋଳି ଦେଇଛନ୍ତି l ଏହାର ଜଳ ଶୀତଳ ଓ ମଧୁର। ସମସ୍ତେ ଆସି ଏଠାରୁ ପିଇବା ପାଇଁ ପାଣି ନେଇଯିବେ। ଗାଁ ଲୋକେ ଖୁସି ହେଲେ। ସବୁଦିନ ସେଠାକୁ ଆସି କୂଅରୁ ପାଣି ନେଲେ।
ବହୁଦିନ ବିତିଗଲା। ବଣିକ ତୀର୍ଥସାରି ଘରକୁ ଫେରି ଆସିଲେ। ଦେଖିଲେ ସାନପୁଅର କୂଅ ପାଖରେ ମେଳା ଲାଗିଛି। ସ୍ତ୍ରୀଲୋକମାନେ କଳସୀରେ ପାଣି ଭରୁଛନ୍ତି। ଛୋଟପିଲାମାନେ ପାଖରେ ଖେଳୁଛନ୍ତି। ଜାଗାଟି ସରସ, ଶୀତଳ ଓ ସବୁଜିମାରେ ସୁନ୍ଦର ଦିଶୁଛି। ବଡ଼ପୁଅ ବଣିକଙ୍କୁ ତା’ କୂଅପାଖକୁ ନେଇଗଲା। ତାଲା ଖୋଲି ଢାଙ୍କୁଣି କାଢ଼ିଦେଲା। କହିଲା, ଆପଣ ଯିବାସମୟରେ ପାଣି ଯେମିତି ଥିଲା ଆଜି ବି ସେମିତି ଅଛି। ବଣିକ କହିଲେ, କୂଅରୁ ପାଣି କାଢ଼ି ଦେଖ। ବଡ଼ପୁଅ ପାଣି ବାହାରକଲା। ତାହା କଦର୍ଯ୍ୟ ଦିଶୁଥିଲା ଓ ଦୁର୍ଗନ୍ଧ ହେଉଥିଲା।
ପ୍ରତ୍ୟେକ ଜିନିଷ ବ୍ୟବହାର ହେଲେ ହିଁ ତାହା ସୁନ୍ଦର ରହେ। ବ୍ୟବହାର ନ ହେଲେ ମନ୍ଦିର ବି ଭୂତଙ୍କ ଆଡ୍ଡା ବନିଯାଏ।
ଆମ ଦେଶ ଦୁନିଆରେ ଯେତେ ଖାଦ୍ୟ ରହିଛି ସମାନ ଆବଣ୍ଟନ ହେଲେ କେହି ଜଣେ ଅଭୁକ୍ତ ରହିବ ନାହିଁ। ଯେତେ ବସ୍ତ୍ର ଅଛି ସମସ୍ତଙ୍କ ଶରୀରକୁ ଢାଙ୍କିଦେବ। ଯେତେ ଘର ଅଛି ସଭିଙ୍କ ମୁଣ୍ଡ ଉପରେ ଛାତ ମିଳିଯିବ। ଅଥଚ ଆଜି ବି ଅନେକ ଲୋକ ଖରା ବର୍ଷା ଶୀତରେ ଖୋଲା ଆକାଶ ତଳେ ରହୁଛନ୍ତି। ଅର୍ଦ୍ଧ ଉଲଗ୍ନ ଘୂରି ବୁଲୁଛନ୍ତି। ଦିନକୁ ଦି’ ଓଳି ପେଟପୂରା ଖାଇବାକୁ ପାଉ ନାହାନ୍ତି। ଅବ୍ୟବହୃତ ଖାଦ୍ୟ ବସ୍ତ୍ର ଓ ଗୃହ ପଡ଼ି ପଡ଼ି ନଷ୍ଟ ହେଉଛି ଏବଂ ପ୍ରାକୃତିକ ତଥା ସାମାଜିକ ପରିବେଶକୁ ନଷ୍ଟ କରୁଛି।
ଏଇ କିଛିଦିନ ତଳେ ଶାନ୍ତି ଅପାଙ୍କ ଘରକୁ ଯାଇଥିଲି। ସେ ଜଣେ ଅବସରପ୍ରାପ୍ତ ଅଧ୍ୟାପିକା। ତାଙ୍କ ସ୍ବାମୀ ବଡ଼ କଣ୍ଟ୍ରାକ୍ଟର। ଘର ନାଁରେ ସେ ଯେବେ ବିଶାଳ ଅଟ୍ଟାଳିକାଟିକୁ ତିଆରି କରିଥିଲେ ତାହାକୁ ଦେଖି ସମସ୍ତଙ୍କ ଆଖି ଖୋସିହୋଇ ଯାଇଥିଲା। ଘରଟିକୁ ଅନ୍ୟମାନଙ୍କୁ ବୁଲାଇ ଦେଖାଇବାବେଳେ ଗର୍ବରେ ତାଙ୍କ ଛାତି ଫୁଲିଉଠୁଥିଲା। ଅଥଚ ଆଜି ସେଇ ଘରଟି ସେମାନଙ୍କ ପାଇଁ ବୋଝ ପାଲଟିଛି। ପିଲାମାନେ ବଡ଼ଲୋକ ହୋଇ ଯେ ଯାହାର ପରିବାର ସହିତ ଦେଶାନ୍ତରୀ ହୋଇଛନ୍ତି। କାହିଁ କେବେଠାରୁ ଦେଶକୁ ଆସିନାହାନ୍ତି। ସମୟକ୍ରମେ ସହର ଦୂରକୁ ଘୁଞ୍ଚତ୍ୟିବାରୁ ଭଡ଼ାଟିଆ କେହି ରହିବାକୁ ଆସୁନାହାନ୍ତି। ଏତେ ବଡ଼ ଘରେ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀ। ଦିନବେଳେ ଜଣେ କାମବାଲୀ, ଅନ୍ୟକାମରେ କେହି କେବେ ଆସନ୍ତି। ରାତି ହେଲେ ଚାରିଆଡ଼େ ଖାଁ ଖାଁ। ଅସହ୍ୟ ଶୂନ୍ୟତା ଭରିଯାଏ ସବୁଠି। ଗଭୀର ରାତିରେ କେଜାଣି କେଉଁ ଘର ସନ୍ଧିରୁ ଅସ୍ବାଭାବିକ ଶବ୍ଦମାନ ଶୁଣାଯାଏ। ପତିପତ୍ନୀଙ୍କ ବୟସ୍କ ଛାତିରେ ଭୟ ସଞ୍ଚାର କରେ। କବାଟ ଖୋଲି ବାହାରକୁ ବାହାରିବାକୁ ସାହସ ହୁଏନାହିଁ। ମୁଁ କହିଲି, ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ବାଳାଶ୍ରମ ଖୋଲିବାକୁ ଘର ଖୋଜୁଛନ୍ତି। ଆପଣ ଏ ଘରୁ କିଛି ଅଂଶ ଦାନ କରି ଦିଅନ୍ତୁ। ଭାବନାର ବିପରୀତ ସ୍ବାମୀ ସ୍ତ୍ରୀ ଦୁହେଁ ହଠାତ୍‌ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ, ଯେମିତି ସେମାନେ ମୋ କଥା ଶୁଣିପାରି ନାହାନ୍ତି।
କିଛିବର୍ଷ ତଳେ ଘଟିଥିବା ଅନ୍ୟ ଏକ ଭୟଙ୍କର ଘଟଣା ଏବେ ମନକୁ ଆସୁଛି। ଜଣେ ଅଶୀତିପର ବୃଦ୍ଧଙ୍କୁ ହତ୍ୟାକରି ଦୁର୍ବୃତ୍ତମାନେ ଘରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ। ତାଙ୍କ ପୁଅ ଝିଅମାନେ ସେମିତି ବାହାରେ ରହୁଥିଲେ। ସ୍ତ୍ରୀ ମରି ଯାଇଥିଲେ। ତାଙ୍କର ସୁନାଗହଣା ସବୁ ଝିଅବୋହୂଙ୍କୁ ନ ଦେଇ ସେ ନିଜ ପାଖରେ ରଖିଥିଲେ। ନିଜର ଯତ୍ନ ନେବାପାଇଁ ସମ୍ପର୍କୀୟ ପୁତୁରା ଓ ତା’ ସ୍ତ୍ରୀକୁ ପାଖରେ ରଖିଥିଲେ। ସେମାନେ ଜରୁରୀ କାମରେ ଯେଉଁଦିନ ଗାଁକୁ ଚାଲିଗଲେ ସେଇ ଦିନ ରାତିରେ ହିଁ ଏଇ ଦୁର୍ଘଟଣା ଘଟିଲା।
ଅସଲ ରହସ୍ୟ ହେଉଛି କିଛିଦିନ ପରେ ହତ୍ୟାକାରୀ ଭାବରେ ସେଇ ପୁତୁରା ଓ ତା’ ସ୍ତ୍ରୀକୁ ପୋଲିସ ଗିରଫ କଲା। ସେମାନେ ମାନିଲେ, ସେବା ବଦଳରେ ବୃଦ୍ଧଙ୍କଠାରୁ କିଛି ଆଶା କରୁଥିଲେ। ଗହଣା ଦି’ଖଣ୍ତ ପିନ୍ଧିବା ପାଇଁ ବୋହୂଟି ବାରମ୍ବାର ନେହୁରା ହୋଇ ନିରାଶ ହୋଇଥିଲା। ଟଙ୍କା, ସୁନା କିଛି ନ ପାଇ ଶେଷରେ ସେମାନେ ଏଇ ରାସ୍ତାକୁ ଆପଣେଇଥିଲେ ଏବଂ ଧରାପଡ଼ି ଜେଲଗଲେ।
ଏମିତି ଅନେକ ଅଘଟଣ ଦିନ ଦିନ ଆମେ ପ୍ରତ୍ୟକ୍ଷ କରୁଛୁ। ଅଥଚ ଅଯଥା ସଞ୍ଚତ୍ବାର ମୋହ ଆମ ମନରୁ ଯାଉନାହିଁ। ଜଣେ ଏକୁଟିଆ ଲୋକ, ମାତ୍ର କେତେ ବର୍ଷର ଆୟୁଷ କିନ୍ତୁ ସେ ନିଜକୁ ଅଜର ଅମର ଭାବି କୁଢ଼େଇ ଚାଲିଛି ସମ୍ପତ୍ତି। ମୋହରେ ପଡ଼ି ଭୁଲିଯାଉଛି ବାସ୍ତବତାକୁ। ସତ ହେଉଛି ବ୍ୟବହାର ନ ହୋଇ ପଡ଼ି ରହିଥିବା ସୁନା ବି କ୍ରମଶଃ ମଳିନ ପଡ଼ିଯାଏ। ଅଥଚ ବ୍ୟବହାର ହେଉଥିବା ବେଙ୍ଗି ପିତଳ ଖଣ୍ଡେ ବି ସୁନା ପରି ଚକ୍‌ଚକ୍‌ ଦିଶେ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri