କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା କମୁଛି। ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବନୀକରଣ କରାଯାଉଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଗଛଗୁଡିକ ବଞ୍ଚୁ ନାହିଁ। କେବଳ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ଚିତ୍ର ଅଲଗା ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୦୦-୦୧ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ବନଖଣ୍ଡରେ ସମୁଦାୟ ୧,୯୩,୯୨,୦୨୦ ଟି ଚାରା ରୋପଣ ହୋଇଛି। ଏବାବଦରେ ଅଦ୍ୟାବଧି ୭୦ କୋଟି ୬୪ ଲକ୍ଷ ୪୨ ହଜାର ୫୯୦ ଟଙ୍କା ବ୍ୟୟ କରାଯାଇଛି। ସେଥିମଧ୍ୟରୁ ଖଣିସଂସ୍ଥା ଦ୍ୱାରା ୧୪୦୦୫.୯୦୧୪ ହେକ୍ଟର ଜମିରେ ବନୀକରଣ କରାଯାଇଛି। ୩୦.୪୪ କି.ମି. ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇ ସମୁଦାୟ ୬୧ଲକ୍ଷ ୩୧ହଜାର ୮୯୪ ଟି ଚାରା ରୋପଣ କରାଯାଇଛି। ଏଥିପାଇଁ ୧୮ କୋଟି ୭୩ ଲକ୍ଷ ୭୬ ହଜାର ୯୬୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦ ଲକ୍ଷ ୭୫ ହଜାର ୯୧୧ ଟଙ୍କା ବ୍ୟୟରେ ବଡବିଲ ଅଞ୍ଚଳରେ ୩୦୦୦ ଚାରା ରୋପଣ କରାଯାଇଛି। ଏହାପରେ ବି ଜଙ୍ଗଲ ଓ ଘନତ୍ୱ ବୃଦ୍ଧି ପାଉନାହିଁ। ଜିଲାରେ ସମୁଦାୟ ୩୮୮୪୧୫.୬୭୦୫ ହେକ୍ଟର ବିଭିନ୍ନ କିସମର ଜଙ୍ଗଲ ଜମିରୁ ୨୩୯୧୭.୨୩୧୬ ହେକ୍ଟର ଖଣି କମ୍ପାନୀକୁ ଦିଆଯାଇଛି। ସେଥିରୁ ୭୦୧୬.୧୯୨୨ ହେକ୍ଟର ଜମିରେ ଖନନ ଚାଲିଛି। ଜିଲାର ଖଣିସଂସ୍ଥାଙ୍କୁ ସମୁଦାୟ ୧୧୦୮୦.୦୮୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଲିଜ୍ ଦିଆଯାଇଛି। ସେଥିମଧ୍ୟରୁ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ଅନୁମତି ଦିଆଯାଇଛି। ସେହିପରି ୧୭୫୫.୭୦୨ ହେକ୍ଟର ପିଆରଏଫ୍ (ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ) ଜଙ୍ଗଲ ଜମି ଖଣିସଂସ୍ଥାକୁ ଲିଜ୍ ସୂତ୍ରରେ ଦିଆଯାଇଥିବାବେଳେ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ପାଇଁ ଅନୁମତି ଦିଆଯାଇଛି। ଏହା ଛଡା ୪୮୨୧.୦୮୫ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ଲିଜ୍ ସୂତ୍ରରେ ଦିଆଯାଇଥିବା ବେଳେ ସେଥିରୁ ୧୪୫୦.୩୭୦୪ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ୪୯୨୩.୯୦୩୬ ହେକ୍ଟର ଡିଏଲ୍ସି (ଡିଷ୍ଟ୍ରିକ୍ଟ ଲେବଲ କମିଟି) ଦ୍ୱାରା ଘୋଷିତ ଜଙ୍ଗଲ ଜମି ଖଣି ସଂସ୍ଥାମାନଙ୍କୁ ଲିଜ୍ ଦିଆଯାଇଥିବା ବେଳେ ୧୭୮୮.୭୨୩୬ ହେକ୍ଟର ଜମିରେ ଖଣି ଖନନ ଅନୁମତି ମିଳିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା କେନ୍ଦୁଝର ଜଙ୍ଗଲରେ ଶାଳ, ପିଆଶାଳ, ଅସନ, କେନ୍ଦୁ, ଶିଶୁ, ଧଉରା, ଶିମିଳି, ବର, ଅଶ୍ୱତ୍ଥ, କୁସୁମ, ନିମ୍ବ, ଜାମୁ, ଆମ୍ବ, ମହୁଲ, ଚାର ଆଦି ବହୁ ଜାତିଜାତିକା ଗଛ ରହିଛି। ଜଙ୍ଗଲ ପଦା ହେବା ଫଳରେ ଏହି ସବୁ କିସମର ଗଛ ନଷ୍ଟ ହୋଇଯାଇଛି। ଏହା ବଦଳରେ ଶାଗୁଆନ, ଇଉକାଲିପଟାସ, ଆକାଶିଆ ଆଦି ଭଳି ଗଛ ଲଗାଯାଉଥିବାରୁ ଅସନ୍ତୋଷ ବଢୁଛି। ଗଛ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି। ଫଳରେ ବନ୍ୟପ୍ରାଣୀ ବାସହରା ହୋଇ ପଡୁଛନ୍ତି। ଖାଦ୍ୟାଭାବ ଯୋଗୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ବହୁ ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ସରୀସୃପ ତଥା କୀଟ ପତଙ୍ଗ ଲୋପ ପାଇବାକୁ ବସିଲେଣି। ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଏଣୁ ବେଳଠୁଁ ଜଙ୍ଗଲର ସୁରକ୍ଷା କରିବା ଜରୁରୀ ହୋଇପଡିଛି। ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଗାରଖା କରାଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ ଏବଂ ଘନତ୍ୱ ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ