ଗୁଆହାଟୀ,୩।୧୦: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡ କରିଛନ୍ତି। ଏସିଆ କପ ୨୦୨୨ରୁ ଫର୍ମକୁ ଫେରିଥିବା ବିରାଟ କୋହଲି କ୍ରମାଗତ ଭାବରେ ଚମତ୍କାର ଇନିଂସ ଖେଳିଆସୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲି ୨୮ ବଲରେ ୪୯ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ସହିତ ସେ ଏକ ବଡ ରେକର୍ଡ ନିଜ ନାଁରେ କରିଥିଲେ।
ଗୁଆହାଟି ଟି-୨୦ରେ କୋହଲି ୭ ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହି ଇନିଂସ ସହିତ ବିରାଟ କୋହଲି ପ୍ରଥମ ଭାରତୀୟ ଖେଳାଳି ଭାବେ ଟି-୨୦ କ୍ରିକେଟରେ ୧୧,୦୦୦ ରନ ସ୍କୋର କରିଛନ୍ତି। ଏହି ସଫଳତା ପାଇବାରେ କୋହଲି ବିଶ୍ୱର ଚତୁର୍ଥ ଖେଳାଳି ହୋଇପାରିଛନ୍ତି। କୋହଲିଙ୍କ ପୂର୍ବରୁ କ୍ରିସ ଗେଲ, କିରନ ପୋଲାର୍ଡ ଏବଂ ଶୋଏବ ମଲିକ ଟି-୨୦ କ୍ରିକେଟରେ ଏହି ସଂଖ୍ୟା ଅତିକ୍ରମ କରିଛନ୍ତି। ଟି-୨୦ କ୍ରିକେଟରେ କ୍ରିସ ଗେଲ ୧୪୫୬୨ ରନ, କିରନ ପୋଲାର୍ଡ ୧୧୯୧୪ ଏବଂ ପାକିସ୍ତାନର ଶୋଏବ ମଲିକ ୧୧୯୦୨ ରନ କରିଛନ୍ତି।