ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ଆଗକୁ କିଛିଦିନ ମଉନ ବ୍ରତ ରଖି ନିଜ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଲୋସଭା ଆସନର ପ୍ରାର୍ଥୀ ହୋଇଥିବା ସ୍ବାଧୀ ନିକଟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି କହି ବିବାଦ ଘେରକୁ ଆସିଥିଲେ। ଏହି ମନ୍ତବ୍ୟ ପାଇଁ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟି ଜାରି କରିଥିଲା। ତାଙ୍କର ଏହି ମନ୍ତବ୍ୟକୁ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିଲେ। ସୋମବାର ନିଜ ଟୁଇଟର ଆକାଉଣ୍ଟରେ ସେ ଲେଖିଛନ୍ତି, ନିର୍ବାଚନ ବେଳେ ଦେଇଥିବା ପ୍ରତିକ୍ରିୟା ଦ୍ୱାରା କାହାକୁ ଯଦି କଷ୍ଟ ପହଞ୍ଚିଥାଏ ତେବେ ମୁଁ କ୍ଷମା ମାଗୁଛି। ଏଭଳି ଭୁଲର ପ୍ରାୟଶ୍ଚିତ ପାଇଁ ମଉନ ବ୍ରତ କରିବି ବୋଲି ସେ କହିଛନ୍ତି।