ନୂଆଦିଲ୍ଲୀ,୨।୯: ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇବାକୁ ବିରୋଧ କରିବା ପାଇଁ ଲାଇନ ଅଫ୍ କଣ୍ଟ୍ରୋଲ (ଏଲଓସି)ଠାରେ ବିକ୍ଷୋଭ କରିବାକୁ ଯାଇ ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ ଭାରତୀୟଙ୍କୁ ଖଣ୍ଡାରେ ନିପାତ କରିବାକୁ ଧମକ ଦେଇଛନ୍ତି। ନିକଟରେ ପୂର୍ବତନ କ୍ରିକେଟରଙ୍କ ନେତୃତ୍ୱରେ ଏକ ଗ୍ରୁପ ଏଲଓସି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କଶ୍ମୀର ଭାଇମାନେ ଚିନ୍ତା କରନ୍ତୁ ନାହିଁ। ଆମେ ତୁମ ସାଥିରେ ଅଛୁ। ମୋ ପାଖରେ ପୂର୍ବରୁ ବ୍ୟାଟ ଥିଲା ଛକା ଲଗାଉଥିଲି। ଏବେ ଖଣ୍ଡ ଅଛି। ଯଦି ମୁଁ ବ୍ୟାଟରେ ଛକା ମାରିପାରେ, ଖଣ୍ଡାରେ ଲୋକଙ୍କୁ ହତ୍ୟା କାହିଁକି କରିପାରିବି ନାହିଁ ବୋଲି ହିନ୍ଦୀ ଭାଷାରେ କହୁଥିବା ନଜର ଆସିଛନ୍ତି। ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀ ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ପାକିସ୍ତାନ ପକ୍ଷରୁ ହେଉଥିବା ବିକ୍ଷୋଭରେ ମଆଁଦାଦଙ୍କ ବ୍ୟତୀତ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ମଧ୍ୟ ସାମିଲ ହୋଇଥିଲେ।