ଛତ୍ରପୁର, ୧୨।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍କୁ ଜିଲାକୁ ପଠାଇଥିଲେ। ମଙ୍ଗଳବାର ଛତ୍ରପୁରଠାରେ ଥିବା ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଟିମ୍ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଏକ ଆଲୋଚନା କରିଛନ୍ତି। ଏଥିରେ କ୍ୱାରାଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା, ଅନ୍ତେବାସୀଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ସେଠାରେ ସେବା ଯୋଗାଉଥିବା ଲୋକ ମାସ୍କ ଏବଂ ଗ୍ଳୋବ୍ସ ବ୍ୟବହାର, ସମଦୂରତା ରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ଟିମ୍ର ସଦସ୍ୟ ପରାମର୍ଶ ଦେଇଥିଲେ। ଏହାଛଡ଼ା ଗତ ୩ ଦିନ ଧରି ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରକୁ ଉକ୍ତ ୭ ଜଣିଆ ଟିମ ବୁଲି କେନ୍ଦ୍ର ଅଧିକାରୀ, ଏଏନ୍ଏମ୍ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଅନ୍ତେବାସୀଙ୍କୁ ସଠିକ ଭାବେ ଖାଦ୍ୟ ଦିଆଯାଉଛି କି ନାହିଁ, ସାମାଜିକ ଦୂରତା ବଜାୟ ରଖାଯାଉଛି କି ନାହିଁ ଓ କୌଣସି ପଜିଟିଭ ଚିହ୍ନଟ ହେଲା ପରେ ସେ କାହା ସହିତ ସଂସ୍ପର୍ଶରେ ଆସିଛି ତାହାର ତଥ୍ୟ ରଖାଯାଉଛି କି ନାହିଁ, କୌଣସି ବ୍ୟକ୍ତିଙ୍କୁ କରୋନା ଲକ୍ଷଣ ଦେଖାଗଲେ ସଠିକ ଚିକିତ୍ସା କରାଯାଉଛି କି ନାହିଁ, ସଠିକ ସମୟରେ କର୍ମଚାରୀମାନେ ସଂଗରୋଧ କେନ୍ଦ୍ରକୁ ଆସୁଛନ୍ତି କି ନାହିଁ ଏବଂ ସଂଗରୋଧ କେନ୍ଦ୍ର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି କି ନାହିଁ ତାହା ତଦାରଖ କରିଥିବା ନେଇ ସୂଚନା ମିଳିଛି। ତେବେ ଏହି ଆଲୋଚନାରେ ଆଇସିଏମ୍ଆର୍ ବୈଜ୍ଞାନିକ ଡ଼. ଜୟପ୍ରକାଶ କ୍ଷତ୍ରୀ, ଡବ୍ଲୁଏଚ୍ଓ ଷ୍ଟେଟ ପ୍ରୋଗ୍ରାମର ଅଫିସର ଡ଼. ନିହାର ରାୟ , ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର , ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ହସ୍ପିଟାଲ ସୁପରିଡେଣ୍ଟ କାହ୍ନୁ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ