ପଞ୍ଜାବ ଲୁଧିଆନାର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡୋ ବେଟ ଗାଁ। ଏଠାରେ ଥିବା ଏକ ମସ୍ଜିଦ ପରାଧିନ ଭାରତର ଗାଥା ବଖାଣିଥାଏ। କାରଣ ପୂର୍ବରୁ ଏଠାରେ ପାଖାପାଖି ୫୦ ଜଣ ମୁସଲମାନ ପରିବାର ରହୁଥିବା ବେଳେ ଦେଶ ବିଭାଜନ ପରେ ଏଠାରେ ଗୋଟିଏ ହେଲେ ମୁସଲମାନ ପରିବାର ନାହାଁନ୍ତି। ହେଲେ ଆଜିବି ମସଜିଦରେ ଜଳୁଛି ସଦ୍ଭାବନାର ଦୀପ। ପାକିସ୍ତାନ ମିରଖପୁର(ସିଆଲକୋଟ)ରୁ ଆସିଥିବା ୧୫ଟି ଚାଷୀ ପରିବାର ମସ୍ଜିଦର ଦେଖାରଖା କରୁଛନ୍ତି। ମୁସଲମାନ ନ ଥାଇ ମଧ୍ୟ କେବେ ମସ୍ଜିଦର ଦ୍ୱାର ବନ୍ଦ ହୋଇନାହିଁ କି କେହି କେବେ ଏହାକୁ ଭାଙ୍ଗି ଦେବାକୁ ଚାହିଁ ନାହାଁନ୍ତି। ଏହି କୃଷକ ପରିବାରର ସଦସ୍ୟ ପ୍ରେମ ସିଂ ଗତ ୪ ବର୍ଷ ହେବ ସକାଳେ ସନ୍ଧ୍ୟାରେ ମସ୍ଜିଦରେ ଦୀପ ଜାଳୁଥିବା ବେଳେ ଆତ୍ମସନ୍ତୋଷ ଲାଭ କରୁଥିବା କୁହନ୍ତି। ଯଦି କୌଣସି କାମରେ ପ୍ରେମ ସିଂ ବାହାରକୁ ଯାଆନ୍ତି ତେବେ ତାଙ୍କ ପୁଅ ଗଗନଦୀପ ପିତାଙ୍କ କାମକୁ ସମ୍ଭାଳି ନେଇ ମସ୍ଜିଦରେ ଦୀପ ଜାଳି ଦିଅନ୍ତି। ଦୂରଦୂରାନ୍ତରୁ ଲୋକେ ଏଠାରେ ଆସି ମାନସିକ କରିବା ସହ ମାନସିକ ପୂରଣ ହେଲେ ଚାଦର ମଧ୍ୟ ଚଢାଇ ଥାଆନ୍ତି। ମସ୍ଜିଦ ପାଇଁ ଗାଁରେ ସୁଖଶାନ୍ତି ବଜାୟ ରହିଛି ବୋଲି ପ୍ରେମ ସିଂ କୁହନ୍ତି।