ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଥିବା ବେଳେ ୨ ନାବାଳକ ରହିଛନ୍ତି। ତେବେ ମୃତକମାନେ ହେଲେ ତୃପ୍ତିମୟୀ ଦେହୁରୀ(୧୬), ନିହାଲ ଦେହୁରୀ(୮), ପ୍ରତିବାଳା ଦେହୁରୀ (୧୩) ଏବଂ ରାଜେଶ ଦେହୁରୀ (୧୦)। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।