ନୂଆଦିଲ୍ଲୀ,୨୨।୮: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍ ଓ୍ବାର୍ ପ୍ରଭାବ ଏବେ ଧୀରେ ଧୀରେ ଦୁଇଦେଶର ସୀମାସରହଦ ଅତିକ୍ରମ କରି ଅନ୍ୟ ଦେଶର ବାଣିଜ୍ୟକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଭାରତ ମଧ୍ୟ ଏଥିରୁ ଅଛୁଅଁା ରହିନାହିଁ। ଗୁଜରାଟର ହୀରା କାରବାର ଉପରେ ଟ୍ରେଡଖ ଓ୍ବାର୍ର ବେଶ୍ ପ୍ରଭାବ ପଡିଛି। ଫଳରେ ଚାଇନା ଓ ପଶ୍ଚିମ ଏସିଆ ଦେଶଗୁଡ଼ିକରେ ହୀର ଚାହିଦା ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ମଧ୍ୟରେ ଗୁଜରାଟର ଡାଏମଣ୍ଡ କଟିଂ ଓ ପଲିସିଂ କାରବାରରେ ୧୦ରୁ ୧୫ ପ୍ରତିଶତ ନିଯୁକ୍ତି ହ୍ରାସ ପାଇଛି। ଚାହିଦା କମିବା କାରଣରୁ ପରିଷ୍କୃତ ହୀରା ମୂଲ୍ୟ ୬ରୁ୧୦ ପ୍ରତିଶତ କମିଯାଇଛି। ଆଗାମୀ ଦିନରେ ଚାହିଦା ବଢ଼ିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରା ଉଦ୍ୟୋଗ ଜଗତରେ ମତପ୍ରକାଶ ପାଇଛି।
ଜେମ୍ସ ଆଣ୍ଡ ଜୁଏଲେରୀ କାଉନସିଲ ଉପାଧ୍ୟକ୍ଷ କଲିନ ଶାହ କହିଛନ୍ତି ଯେ, ହୀରା ଉଦ୍ୟୋଗରେ ନିଯୁକ୍ତି ୧୫% ହ୍ରାସ ପାଇସାରିଲାଣି। ଏହାର ପ୍ରଭାବ ସୁରଟ, ଅମରୋଲିର ଛୋଟ କେନ୍ଦ୍ର ଓ ଭାବନଗରରେ ଦେଖିବାକୁ ମିଳୁଛି। ବିଶ୍ୱରେ ଚାହିଦାର ଅଭାବ କାରଣରୁ ନଗଦ ସଙ୍କଟ ଦେଖାଦେଇଛି। ଆମେରିକା ଓ ୟୁରୋପରେ ଚାହିଦା କମିଥିବା ବେଳେ ଚାଇନାରେ ଏହା ୧୫ରୁ ୨୦ ପ୍ରତିଶତ କମିଛି। ଗଲ୍ଫ ଦେଶରେ ମଧ୍ୟ ଚାହିଦା ବଢ଼ୁନାହିଁ। ଟ୍ରେଡ ଓ୍ବାର କାରଣରୁ ଜୁଲାଇରେ କଟ ଆଣ୍ଡ ପଲିସଡ ହୀରା ରପ୍ତାନି ଗତବର୍ଷ ତୁଳନାରେ ୧୮.୧୫ ପ୍ରତିଶତ କମିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରପ୍ତାନୀ ୧୫.୧୧ ପ୍ରତିଶତ ହ୍ରାସ ପାଇଛି। ଏହି ଅବଧିରେ ଜେମ୍ସ ଆଣ୍ଡ ଜୁଏଲେରି ରପ୍ତାନି ୬.୬୭ ପ୍ରତିଶତ କମିଛି।