ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ ପାଳନ କରାଯାଇଥିଲା। ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ ବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଓ୍ବାଲର୍ଡ ଫେଡେରେଶନ ଅଫ୍ ମେଣ୍ଟାଲ୍ ହେଲ୍ଥ( ବିଶ୍ୱ ମାନସିକ ସ୍ବାସ୍ଥ୍ୟ ମହାସଂଘ) ଦ୍ୱାରା ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏହି ଦିବସର ଉଦ୍ଦେଶ୍ୟ। ଏହି ଦିନ ପୂରା ବିଶ୍ୱରେ ବିଭିନ୍ନ ଦେଶର ସରକାର ତଥା ସାମାଜିକ ସଂଗଠନଗୁଡିକ ଦ୍ୱାରା ଲୋକମାନଙ୍କୁ ମାନସିକ ଚାପମୁକ୍ତ କରିବା ପାଇଁି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ୨୦୧୮ରେ ଏହିି ଦିବସର ସ୍ଲୋଗାନ୍ ‘ବିଶ୍ୱରେ ପରିବର୍ତ୍ତିତ ପରିସ୍ଥିତିରେ ବୟସ୍କ ଓ ମାନସିକ ସ୍ବାସ୍ଥ୍ୟ’ ବୋଲି ରଖାଯାଇଥିଲା । ୨୦୧୯ରେ ଏହି ଦିବସର ସ୍ଲୋଗାନ ରହିଛି‘ଆମତ୍ହତ୍ୟା ରୋକିବା ଲାଗି ଧ୍ୟାନଦେବା’। ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ରୋଗଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ,ବିଶ୍ୱରେ ପାଖାପାଖି ୩୫୦ ମିଲିୟନରୁ ଅଧିକ ଲୋକ ମାନସିକ ବିଷାଦଗ୍ରସ୍ତ। ଏ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବେଶି। ବିଷାଦ ଯୋଗୁ ପ୍ରତିବର୍ଷ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଶ୍ୱରେ ଆନୁମାନିକ ୪୫୦ ମିଲିୟନ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହିଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି। ଭାରତରେ ପ୍ରାୟ ୧.୫ ମିଲିୟନ ବ୍ୟକ୍ତି ମାନସିିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ। ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋର ବି ସାମିଲ ରହିଛନ୍ତି। ଆଧୁନିକ ତଥା ବ୍ୟସ୍ତ ଜୀବନଶୈଳୀ ଏବେ ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଉଛି। ବିଷାଦ ଆମତ୍ହତ୍ୟାର ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏଣୁ ଏହି ପରିସ୍ଥିତିରେ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାର ଯଥାର୍ଥତା ରହିଛି।
ମାନସିକ ରୋଗ ବ୍ୟକ୍ତିଙ୍କ ଭାବନା ଓ କାର୍ଯ୍ୟଶୈଳୀକୁ ପ୍ରଭାବିତ କରେ। ଏହି ରୋଗ ଏକାଗ୍ରତା,ସ୍ବଭାବ,ସଂଯୋଜନା ଏବଂ କହିବା କ୍ଷମତାରେ ସମସ୍ୟା ଆଣିଥାଏ। ଏହାଦ୍ୱାରା ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ବି ସଂଘର୍ଷ କରିବାକୁ ପଡେ। ଏଣୁ ଏହି ସମସ୍ୟା ଏବେ ବିଶ୍ୱରେ ଚିନ୍ତା ବଢାଇ ଦେଇଛି ଓ ସବୁ ଦେଶ ପାଇଁ ବୋଝ ପାଲଟିଯାଇଛି। ଭାରତ ସରକାର ଏହି ସମସ୍ୟାକୁ ରୋକିବା ପାଇଁ ୧୯୮୨ରେ ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଏନ୍ଏମ୍ଏଚ୍ବି) ଆରମ୍ଭ କରିଛନ୍ତି।