ଡି. ଶୁଭମ୍
ଓଡ଼ିଶାରେ ଚାଷୀମାନେ ଉପତ୍ାଦିତ ଫସଲକୁ ଠିକ୍ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରନ୍ତି ସତ କିନ୍ତୁ ଏଥିରେ ବିଫଳ ହୁଅନ୍ତି। ଚାଷୀ ନିଜ ଫସଲର ଉପଯୁକ୍ତ ମୂଲ୍ୟ ସବୁବେଳେ ଠିକ୍ ଭାବରେ ପାଏ ନାହିଁ। ତଥାପି ସେ ଚାଷ କରେ। କିନ୍ତୁ ଏଇ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଆମ ବାପା ଅଜା ଅମଳରେ ଖରାଦିନେ ଖରା, ବର୍ଷାଦିନେ ବର୍ଷା ଆଉ ଶୀତ ଦିନେ ଶୀତ – ଏସବୁ ଲୋକେ ଅନୁଭବ କରିପାରୁଥିଲେ। ହେଲେ ଆଜି ଆମେ ଆଷାଢ଼ର ଧାରାଶ୍ରାବଣରେ ନିଦାଘର ତାପକୁ ଅନୁଭବ କରୁଛୁ। ଜଳବାୟୁ ପରିବର୍ତ୍ତନ କୃଷିକୁ ଏବେ ଅବନତି ଦିଗରେ ଟାଣି ନେଲାଣି।
ଜୈବ ବିବିଧତା ହେଉଛି କୃଷିର ପ୍ରମୁଖ ମାନଦଣ୍ଡ। ଏହା ଭୂତଳ ଜଳ ସଂରକ୍ଷଣ, ମାଟିର ସଂରଚନା,ଗଠନ,ଉର୍ବରତାଠାରୁ ଆରମ୍ଭ କରି ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ନେଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ କୃଷି ପରସ୍ପର ସହ ଜଡିତ ପ୍ରକ୍ରିୟା। ଗ୍ଲୋବାଲ ୱାର୍ମିଂର ପ୍ରଭାବ ବିଷୟରେ ଅବଗତ ହେବା ଜରୁରୀ। କାରଣ ଏହା ଜଳବାୟୁ ପରିବର୍ତ୍ତନର ପ୍ରଥମ ଓ ମୁଖ୍ୟ କାରଣ। ଏହା କୃଷିକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ। ତାପମାତ୍ରା, ବର୍ଷାର ପରିମାଣ ଏବଂ ରୋଗପୋକର ଅଚାନକ ବୃଦ୍ଧି କଥା ହେଉ ଅବା ଅଙ୍ଗାରକାମ୍ଳର ବୃଦ୍ଧି ଏସବୁ ପାଇଁ ଗ୍ଲୋବାଲ ୱାର୍ମିଂ ହିଁ ଦାୟୀ। ଜେନେଟିକ୍ ପ୍ରଜାତି ଏବଂ ଇକୋସିଷ୍ଟମ୍ ସ୍ତରରେ ଖାଦ୍ୟ ଏବଂ କୃଷି ପାଇଁ ଜୈବବିବିଧତାର ଅନେକ ମୁଖ୍ୟ ଉପାଦାନ ହ୍ରାସ ପାଇବାରେ ଲାଗିଛି। କୃଷକମାନଙ୍କ କ୍ଷେତରେ ଉପସ୍ଥିତ ଫସଲର ବିବିଧତା ହ୍ରାସ ପାଇଛି ଏବଂ ଫସଲର ବିବିଧତା ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଛି।
କଥା ହେଉଛି ଜଳବାୟୁ ପରିର୍ତ୍ତନ ଶୁଣିବାକୁ ଛୋଟ ଲାଗୁଥିଲେ ବି ଏହାର ପ୍ରଭାବ ଭାଷାରେ ବର୍ଣ୍ଣନା କରିହେବନାହିଁ। ଆପଣମାନେ ଏହି ପରିବର୍ତ୍ତନର ପ୍ରଭାବ ମଧ୍ୟ ଲକ୍ଷ୍ୟ କରିପାରୁଥିବେ। ଏହା ଖାଦ୍ୟ ଉପତ୍ାଦନକୁ କମେଇ ଉପତ୍ାଦିତ ଫସଲର ଦାମ ବୃଦ୍ଧି କରେ। ଆଇପିସିସିର ମତ ଅନୁଯାୟୀ ଏଇ ଶତାଦ୍ଦୀର ତାପମାତ୍ରା ୦.୪ରୁ ୨.୬ ଡିଗ୍ରୀ ଯାଏ ବୃଦ୍ଧି ପାଇଛି। କୃଷି ସବୁଜ ଘର ବା ଗ୍ରୀନ୍ ହାଉସ ଗ୍ୟାସ ବୃଦ୍ଧିର ଏକ କାରଣ, ଏଥିରେ ଦ୍ୱିମତ ନାହିଁ। ତେବେ କେତେବେଳେ ମରୁଡ଼ିର ସ୍ଥିତି ତ କେବେ ଅସହ୍ୟ ହିଟ୍ ୱେଭ୍ ଚାଷ ଓ ଚାଷୀକୁ ବେଶ୍ ପ୍ରଭାବିତ କରୁଛି। ଚାଷୀଟିଏ ଯେବେ କ୍ଷେତରେ ଚାଷ କରିବାକୁ ମନ ବଳାଏ ସବୁବେଳେ ବର୍ଷାକୁ ଅପେକ୍ଷା କରି ରହିଥାଏ। କିନ୍ତୁ ଏବେ ବର୍ଷାର ପରିମାଣ କମି କମି ଯାଉଛି। ଜୁନ୍ ମାସରେ ଯେଉଁ ମୌସୁମୀ ବାୟୁ ଚାଷ ପାଇଁ ଅନୁକୂଳ ହେବା କଥା ଆଜି ସେହି ସମୟରେ ଆମେ ଉତ୍ତାପ ଅନୁଭବ କରୁଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଚାଷର ସମୟ ବଢ଼ିଯିବା ସହ ଚାଷ କାର୍ଯ୍ୟ କରିବା କଷ୍ଟକର ହୋଇଯାଏ। ଏହା ସର୍ବୋପରି କୃଷି, ମୃତ୍ତିକାର ଗୁଣବତ୍ତା, ଗ୍ରାମ୍ୟ ଜୀବନ ତଥା ଚାଷୀକୁଳକୁ ପ୍ରଭାବ କରିଥାଏ। ଯେଉଁ ଚାଷୀମାନଙ୍କର ଚାଷର ଅବଧି ଅଧିକ ସମୟ ଯାଏ, ସେମାନଙ୍କୁ ଜମିରେ ଅଧିକ ପରିଶ୍ରମ, ଜଳସେଚନଠାରୁ ସବୁ ଖର୍ଚ୍ଚ ଅଧିକ ପଡିଥାଏ। ଏପରିକି ଯେତେବେଳେ ଗଛ ଭୂତଳ ଓଜୋନକୁ ଅଧିକ ପରିମାଣରେ ଶୋଷଣ କରେ, ସେବେ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ଫଳସ୍ବରୂପ ଫସଲ ଠିକ୍ ଭାବରେ ବଢ଼ିପାରେନି ଓ ରୋଗପୋକ ସହନଶୀଳ ହୋଇପାରେନାହିଁ। ଜଳବାୟୁ ପରିବର୍ତ୍ତନ ଜଙ୍ଗଲ ନିଆଁ ଉପରେ ବି ଅଧିକ ପ୍ରଭାବ ପକାଇଥାଏ। ଫଳସ୍ବରୂପ ଏହା ଆଖପାଖ ଚାଷ ଜମି ଓ ଗୋଚର ଜମି ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଚଳିତ ବର୍ଷ ରାଜ୍ୟରେ ଅଧିକ ତାପମାତ୍ରା ଅନୁଭବ କରିଛେ। ତାପମାତ୍ରାରେ ପରିବର୍ତ୍ତନ ଯୋଗୁ କୃଷି କାର୍ଯ୍ୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳିଛି। ଅଧିକ ତାପମାତ୍ରାକୁ ସହ୍ୟ କରି ଚାଷୀଟିଏ ନିଜ ଜମିରେ ଚାଷ କରେ, ରୋଗପୋକ ଅଧିକ ଲାଗିଲେ କୀଟନାଶକ ସ୍ପ୍ରେ କରିବା ଯୋଗୁ ପରିବେଶ ସନ୍ତୁଳନ ନଷ୍ଟ ହୁଏ।
ଏବେ ବଜାରକୁ ପରିବା କିଣିବାକୁ ଗଲେ ପନିପରିବାର ଚଢ଼ା ଦର ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ସବୁ ଖବରରେ ପରିବା ଦର ଆକଶଛୁଆଁ ଏମିତି ଶୀର୍ଷକ ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ଚାଷୀଟିଏ ଫସଲ ଉପତ୍ାଦ କରି ଲାଭ ପାଇପାରେନି। ଜଳବାୟୁ ପରିବର୍ତ୍ତନ ଗୋଟିଏ ପଟେ ଉପତ୍ାଦ କମାଇଥିବା ବେଳେ ଲୋକମାନଙ୍କ ମନରେ ଚାଷ ପାଇଁ ଉସତ୍ାହ ଓ ଆଗ୍ରହ ବି ସମପରିମାଣରେ କମିଛି। ଆମେ ସହରୀକରଣ ଢାଞ୍ଚାରେ ଆଉ ନିଜ ବାଡ଼ିରେ ପନିପରିବାଟିଏ ବି ଲଗାଉନାହୁଁ। ପାକଶାଳା ବଗିଚା ଆଉ ରୁଫ୍ଟଫ ଗାର୍ଡେନିଙ୍ଗ ଆଜି କେବଳ କଥାରେ ସୀମିତ ରହିଯାଇଛି। ସହରରେ ରହିଲେ ମଧ୍ୟ ଆମେ ଛାତ ଉପରେ ବାଇଗଣ, ଲଙ୍କା ପରି ଅନେକ ଫସଲ କରିପାରିବା, ଯାହା ଆମ ନିତ୍ୟ ବ୍ୟବହାର ପାଇଁ ଉପଯୋଗ ହୋଇପାରିବ। ଉପତ୍ାଦନ ବଢ଼ାଇବାରେ ସାହାଯ୍ୟ କରିଥିବା ଚୁକ୍ତିଭିତ୍ତିକ ଚାଷ ବା କଣ୍ଟ୍ରାକ୍ଟ ଫାର୍ମିଙ୍ଗ। ଆଜି ସେସବୁ କ୍ୱଚିତ ଦୃଶ୍ୟମାନ ହେଉଛି। ଉଦ୍ୟୋଗୀମାନେ କେବଳ ନୂଆ ଫଳ କିି ପରିବା ନୁହେଁ ବରଂ ନେଟ୍ହାଉସ,ପଲିହାଉସ କରି ଅଫ୍ ସିଜିନ୍ ଚାଷ ଉପରେ ଗୁରୁତ୍ୱ ଦେବା ଦରକାର। ରାଜ୍ୟରେ ଶୀତଳଭଣ୍ଡାରର ଅବ୍ୟବସ୍ଥା ମଧ୍ୟ ଦରଦାମ ବୃଦ୍ଧିର ଅନ୍ୟ ଏକ କାରଣ। ଆମେ ଉପତ୍ାଦ କରୁଛେ ସତ କିନ୍ତୁ ଗଚ୍ଛିତ କରି ରଖିବା ପାଇଁ ଆମ ପାଖରେ ଶୀତଳଭଣ୍ଡାରର ଅଭାବ ରହୁଛି। ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ। କୃଷି ଉଦ୍ୟୋଗୀମାନେ କିପରି ନିଜ ରାଜ୍ୟରେ ବୈଜ୍ଞାନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଚାଷ କରାଯାଇପାରିବ, ସେ ଦିଗରେ ଧ୍ୟାନ ଦେବାର ସମୟ ଅଛି। ନିଜ ବାଡ଼ିବଗିଚାକୁ ଖାଲି ନ ପକାଇ ସେଥିରେ କିଛିଟା ଫସଲ ଲଗାନ୍ତୁ। ଆମକୁ ଆମତ୍ନିର୍ଭରଶୀଳ ହେବାକୁ ପଡ଼ିବ। ଏକ ସବୁଜିମାମୟ ପୃଥିବୀ ଗଠନରେ ନିଜକୁ ସାମିଲ କରିବାକୁ ହେବ। ଏହା ଆମ ସମସ୍ତଙ୍କ ପାଇଁ ଆହ୍ବାନ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା (ଓସୋକା), ଭୁବନେଶ୍ୱର , ମୋ- ୯୪୩୮୪୬୭୦୭୯