ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ବାରଣ ଅଛି। ଏକଥା ଶିବପୁରାଣରେ ବର୍ଣ୍ଣିତ ଅଛି। ଶଙ୍ଖଚୂଡ଼ ନାମକ ଏକ ମହାପରାକ୍ରମୀ ରାକ୍ଷସ ଥିଲା। ଯିଏକି ଦୈତରାମ ଦମ୍ଭଙ୍କ ପୁତ୍ର ଥିଲା। ଦମ୍ଭଙ୍କର ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ହେଉ ନ ଥିଲେ। ଏଥିପାଇଁ ସେ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କଲେ। ତାଙ୍କ ତପସ୍ୟାରେ ବିଷ୍ଣୁ ପ୍ରସନ୍ନ ହୋଇ ଦମ୍ଭଙ୍କୁ ବର ମାଗିବାକୁ କହିଲେ। ଦମ୍ଭ ବିଷ୍ଣୁଙ୍କୁ ଏକ ମହାପରାକ୍ରମୀ ପୁତ୍ର ମାଗିଥିଲେ। ବିଷ୍ଣୁ ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଗଲେ।
ଦମ୍ଭଙ୍କ ପୁତ୍ର ଭାବେ ଜନ୍ମନେଲା ଶଙ୍ଖଚୂଡ଼। ସେ ଯେତେବେଳେ ବଡ଼ ହେଲା ବ୍ରହ୍ମାଙ୍କୁ ବର ମାଗିଥିଲା ଯେ, ଦେବତାମାନେ ତାକୁ ହରାଇପାରିବେ ନାହିଁ। ବ୍ରହ୍ମା ତଥାସ୍ତୁ କହିବା ସହ ଶଙ୍ଖଚୂଡ଼କୁ ଶ୍ରୀକୃଷ୍ଣକବଚ ଦେଇଥିଲେ। ଏଥିସହିତ ବ୍ରହ୍ମା ଧର୍ମଧ୍ୱଜଙ୍କ କନ୍ୟା ତୁଳସୀଙ୍କ ସହିତ ବିବାହ ପାଇଁ ଶଙ୍ଖଚୂଡ଼କୁ ଆଜ୍ଞା ଦେଇଥିଲେ। ଏହା ପରେ ଶଙ୍ଖଚୂଡ଼ ତୁଳସୀଙ୍କୁ ବବାହ କରିନେଲା। ବ୍ରହ୍ମା ଏବଂ ବିଷ୍ଣୁଙ୍କ ବର ପାଇ ଶଙ୍ଖଚୂଡ଼ ତିନିପୁରକୁ ଦଖଲ କରିନେଲା।
ଏଥିରେ ଦେବତାମାନେ ତ୍ରାହି ତ୍ରାହି ଡାକିଲେ। ଶେଷରେ ଏଥିରୁ ରକ୍ଷା ପାଇବା ପାଇଁ ଦେବଗଣ ବିଷ୍ଣୁଙ୍କ ସହାୟତା ମାଗିଲେ। ବିଷ୍ଣୁ ଦମ୍ଭଙ୍କୁ ବର ଦେଇଥିବାରୁ ଶିବଙ୍କୁ ପ୍ରାର୍ଥନା କଲେ। ଶିବ ଦେବତାମାନଙ୍କ ଦୁଃଖ ଦୂର କରିବାକୁ ପ୍ରତିଜ୍ଞା କଲେ। କିନ୍ତୁ ବ୍ରହ୍ମା ଦେଇଥିବା ଶ୍ରୀକୃଷ୍ଣକବଚ ଯୋଗୁ ସେ ଶଙ୍ଖଚୂଡ଼କୁ ବଧ କରିପାରିବେ ନାହିଁ ବୋଲି କହିଲେ। ବ୍ରାହ୍ମଣ ରୂପ ଧରି ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚକୁ ମାଗି ଆଣିବାକୁ ବିଷ୍ଣୁଙ୍କୁ କହିଲେ। ଏହା ପରେ ବିଷ୍ଣୁ ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚ ମାଗି ଆଣିଲେ। ପରେ ଶିବ ଶଙ୍ଖଚୂଡ଼ଙ୍କୁ ବଧ କଲେ। ଏହାର ହାଡ଼ରେ ଶଙ୍ଖର ସୃଷ୍ଟି। ଯେହେତୁ ଶଙ୍ଖଚୂଡ଼ ବିଷ୍ଣୁଙ୍କ ଭକ୍ତ ଥିଲା ତେଣୁ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ଶଙ୍ଖ ଅତି ପ୍ରିୟ। କିନ୍ତୁ ଶିବ ଶଙ୍ଖଚୂଡ଼କୁ ବଧ କରିଥିବାରୁ ତାଙ୍କ ଉପରେ ଶଙ୍ଖରେ ଜଳ ଢଳାଯିବାକୁ ବାରଣ ଅଛି।